ପ୍ରତିଟି ଭୋଟ୍ ମୂଲ୍ୟବାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଗଣତନ୍ତ୍ରକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ପଦ୍ମପୁର ଉପଖଣ୍ଡ ପ୍ରଶାସନ ସ୍ୱତନ୍ତ୍ର ଭାବରେ ପ୍ରୟାସ ଆରମ୍ଭ କରିଛି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟିକା ବର୍ଷା ସିଂ ବରିହାଙ୍କ ସମେତ ଅନେକ ରାଜନୈତିକ ଦଳୀୟ ବ୍ୟକ୍ତିମାନେ ଭାଗ ନେଇ ନିଜ ନିଜର ପ୍ରସ୍ତାବ ରଖିଛନ୍ତି । ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରତିଟି ଭୋଟକୁ ଗୁରୁତ୍ୱ ଦେଇ ପଦ୍ମପୁର ଉପଖଣ୍ଡ ପ୍ରଶାସନ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରିଛି । ସେଥିପାଇଁ ଏହି ବୈଠକରେ ସମସ୍ତ ରାଜନୈତିକ ଦଳମାନଙ୍କୁ ନିଜ ନିଜର ପ୍ରସ୍ତାବ ଦେବା ପାଇଁ ଅନୁରୋଧ କରାଯାଇଥିଲା । ସମସ୍ତଙ୍କଠାରୁ ପ୍ରସ୍ତାବ ଗ୍ରହଣ କରି ନିୟମ ଅନୁସାରେ ସେ ସବୁକୁ କାର୍ଯ୍ୟକାରୀ କରାଯିବ ବୋଲି ଉପଜିଲ୍ଲାପାଳ ମତ ରଖିଛନ୍ତି । ଯେଉଁ ଭଳି ଭାବରେ ପୋଲିଂ ଷ୍ଟେସନଗୁଡ଼ିକୁ ଜନସାଧାରଣ ସୁବିଧାରେ ଭୋଟଦାନ ପାଇଁ ଆସି ପାରିବେ ସେ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ଶ୍ରୀ କୁମ୍ଭାର ସୂଚାଇ ଦେଇଛନ୍ତି । ୩୦୦ ଭୋଟର ବିଶିଷ୍ଟ ଗ୍ରାମରୁ ପୋଲିଂ ଷ୍ଟେସନ ୩ କିଲୋମିଟରରୁ ଅଧିକ ଦୂରତାରେ ଥିଲେ ତା’ ପାଇଁ ସ୍ୱତନ୍ତ୍ର ପୋଲିଂ ଷ୍ଟେସନର ପ୍ରସ୍ତାବ ଦିଆଯାଇ ପାରିବ ବୋଲି ଉପଜିଲ୍ଲାପାଳ ସୂଚାଇଛନ୍ତି । ଜଙ୍ଗଲ, ନାଳ ଆଦି ଭଳି ପ୍ରାକୃତିକ ଅସୁବିଧା ରହିଥିଲେ ସେଭଳି ଗ୍ରାମର ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇ ପାରିବ ବୋଲି ସେ କହିଛନ୍ତି । ଆଜିର ସଭା ପୂର୍ବରୁ ଉପଜିଲ୍ଲାପାଳ ଶ୍ରୀ କୁମ୍ଭାର ଗାଇସିଲେଟ ବ୍ଲକର ଡଙ୍ଗରମୁଣ୍ଡା ଗ୍ରାମକୁ ଯାଇ ସେଠାରେ ନୂତନ ବୁଥ୍ ପ୍ରସ୍ତାବର ସମୀକ୍ଷା କରିଛନ୍ତି । ଉକ୍ତ ଗ୍ରାମର ଉଦାହରଣ ଦେଇ ସଭାରେ ସେ ସମସ୍ତଙ୍କୁ ପ୍ରସ୍ତାବ ଦେବାକୁ ଅନୁରୋଧ କରିଥିଲେ । ପ୍ରତିଟି ଭୋଟ ଗଣତନ୍ତ୍ରର ସୁଦୃଢ଼ିକରଣ ପାଇଁ ଜରୁରୀ ଓ ପ୍ରଶାସନ ଦୁର୍ଗମ ଅଞ୍ଚଳମାନଙ୍କୁ ମଧ୍ୟ ପହଞ୍ଚି ତାଙ୍କୁ ଭୋଟଦାନର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାର ସବୁ ଆନୁସଙ୍ଗିକ ବ୍ୟବସ୍ଥା କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହା ଛଡା ଏବେ ଚାଲିଥିବା ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମକୁ ନିର୍ଭୁଲ୍ କରିବା ପାଇଁ ସେ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି । ସଭାରେ ବିଧାୟିକା ବର୍ଷା ସିଂ ବରିହା ଓ ଅନ୍ୟାନ୍ୟ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ନିଜ ନିଜର ପ୍ରସ୍ତାବ ରଖିଛନ୍ତି । ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକଙ୍କ ଦ୍ଵାରା ସଂଯୋଜିତ ଏହି ସଭାରେ ରାଜବୋଡ଼ାସମ୍ବର ବିଡ଼ିଓ ବିଶ୍ଵନାଥ ସାହୁ ଯୋଗଦେଇ ଅନେକ ପ୍ରଶାସନିକ ଦିଗ ବିଷୟରେ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.