ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ : ଏନଆଇଟି ରାଉରକେଲା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

ରାଉରକେଲା, (ପିଆଇବି) : ରାଉରକେଲା ଏନଆଇଟି ପକ୍ଷରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଶିଳ୍ପାନୁଷ୍ଠାନ ପ୍ରତିନିଧି ଓ ଶିକ୍ଷାବିତଙ୍କ ମଧ୍ୟରେ ଏକ ମତବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା ‘ଭବିଷ୍ୟତର କାର୍ଯ୍ୟ : ପ୍ରଯୁକ୍ତି ପରିଚାଳିତ ଉଦ୍ୟମିତା ଜରିଆରେ’ । ଏଥିରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ତଥା ଫିକ୍କିର ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା, ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ, ଫିକ୍କିର ମହାନିର୍ଦ୍ଦେଶକ ଅରୁଣ ଚାୱଲା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ସେହିପରି ଏନଆଇଟି ରାଉରକେଲା ଆନୁକୂଲ୍ୟରେ ବରଗଡ଼ ଜିଲ୍ଲା ପାଇକମାଳ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ରାଉରକେଲା, ବନ୍ଧମୁଣ୍ଡା ଏବଂ ଝାରୁସୁଗୁଡ଼ା କେନ୍ଦ୍ରୀୟ ବିଦ୍ୟାଳୟଠାରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜି-୨୦ ସମ୍ମିଳନୀ ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରିବା ଲାଗି ‘‘ବିବାଦ ନିରାକରଣ ଏବଂ ଶାନ୍ତି ପ୍ରତିଷ୍ଠା ଲାଗି ବୈଶ୍ୱିକ ସହମତି’’ ବିଷୟବସ୍ତୁକୁ ନେଇ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ସୂଚନା ଯୋଗ୍ୟ ଯେ, ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ବୈଠକମାନଙ୍କ ଆୟୋଜନ କରାଯାଉଛି । ଚଳିତ ମାସ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଜନଭାଗିଦାରୀ ଜରିଆରେ ଜି-୨୦ କାର୍ଯ୍ୟକ୍ରମକୁ ଫଳପ୍ରଦ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

Leave A Reply

Your email address will not be published.