ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଲୋକପ୍ରିୟ ଯୁବ ସଂଗଠନ ମାହେଶ୍ୱରୀ ସାମାଜିକ ସଂଗଠନର ଆଉ ଏକ ଶାଖା ଆଜି ଟିଟିଲାଗଡ ସହରରେ ଶୁଭାରମ୍ଭ ହୋଇଛି । ସମାଜର ହିତ ଉଦ୍ଦେଶ୍ୟରେ ଜାରି ରହିଥିବା କାର୍ଯ୍ୟମାନଙ୍କରେ ଅନୁପ୍ରାଣିତ ହୋଇ ତଥା ସଂଗଠିତ ଭାବରେ କାମ କଲେ ଅନେକାଂଶରେ ଅସହାୟଙ୍କୁ କିଛି ସାହାଯ୍ୟ କରିହେବ, ସେହି ବିଶ୍ୱାସରେ ଅନେକ ସଂଖ୍ୟାରେ ବିଶେଷ ଭାବରେ ମହିଳାମାନେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଆନୁଷ୍ଠାନିକ ଭାବେ ହୋଇଥିବା ପ୍ରାରମ୍ଭିକ ସଭାରେ ମାହେଶ୍ୱରୀ ସଂଗଠନରେ ଯୋଗ ଦେଇଥିଲେ । ଏଥିରେ ସଭାପତି ଭାବେ ମମତା ସାହୁ, ସଂଯୋଜକ ଭାବେ ରାଜଶ୍ରୀ ହୋତା, ବିଶେଷ କର୍ମକର୍ତ୍ତା ଭାବେ ଚନ୍ଦ୍ରକଳା ସାହୁ, ଧରିତ୍ରୀ ମହାନ୍ତି, ପୁଷ୍ପଲତା ପଟ୍ଟନାୟକ, ନନ୍ଦିନୀ ହୋତା, ଗୀତାଞ୍ଜଳି ଦାସ, ନରୋତ୍ତମ ହୋତା, ବନମାଳୀ ବେହେରା ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ । ବଲାଙ୍ଗିର ଶାଖାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ, ମହିଳା ଶାଖା ସଂଯୋଜିକା କ୍ରିତିକା ଅଗ୍ରୱାଲ, ବରିଷ୍ଠ ସଭ୍ୟ ଅପ୍ରମିତ ପରିଚ୍ଛା, ବିଷ୍ଣୁପ୍ରିୟା ପାଣି ତଥା ଜିଲ୍ଲା ସଂଯୋଜକ ସୌମ୍ୟରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଗଠିତ ସଂଗଠନକୁ ସୁଦୃଢ ତଥା ବ୍ୟାପକ କରିବାକୁ ଆହ୍ୱାନ ଦେଇଥିଲେ । କେବଳ ଟିଟିଲାଗଡ ସହରରେ ସେବା କାର୍ଯ୍ୟ ସୀମିତ ନ ରହି ବରଂ ପାରୁ ପର୍ଯ୍ୟନ୍ତ ଆଖପାଖ ଗ୍ରାମାଞ୍ଚଳରେ ମଧ୍ୟ ଆମ ଦୃଷ୍ଟି ରହିବ ବୋଲି ନୂତନ ଭାବେ ମନୋନୀତ ସଭାପତି ମତ ରଖିଥିଲେ । ମହିଳାମାନେ ନେତୃତ୍ୱ ନେଇଥିବାରୁ ମହିଳା ସଶକ୍ତିକରଣକୁ ଅଗ୍ରାଧିକାର ଦିଆଯିବା ପାଇଁ ମତ ରଖିଥିଲେ ମାହେଶ୍ୱରୀ ସଂଗଠନର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ।