jayashree

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ବଙ୍ଗୋମୁଣ୍ଡାରେ ୧୨ ଘଣ୍ଟିଆ ବନ୍ଦ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ପାଇଁ ବହୁ ବର୍ଷରୁ ଦାବୀ ହୋଇ ଆସୁଥିବା ବେଳେ ବିଭିନ୍ନ ସମୟରେ ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଜିଲ୍ଲା ଦାବୀ ନେଇ ଆନ୍ଦୋଳନ କରାଯାଉଛି । ହେଲେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନାହିଁ । ଯାହା ଦ୍ୱାରା ଅସନ୍ତୋଷ ପ୍ରକାଶ ପାଇଛି । ଆଜି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ଆହ୍ୱାନ କ୍ରମେ ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳକୁ ସମ୍ପୂର୍ଣ୍ଣ ୧୨ ଘଣ୍ଟିଆ ବନ୍ଦ କରାଯାଇଛି । ଏହି ବନ୍ଦକୁ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ପ୍ରଥମେ ମାଟି ପରେ ପାର୍ଟି ବୋଲି ରାଜନୈତିକ ଦଳର ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି । ଏହି ବନ୍ଦ ପାଳନରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ବିଭିନ୍ନ ରାଜନୈତିକ ଦଳ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଛନ୍ତି । ଏହି ବନ୍ଦ ଡାକରାରେ ଦୋକାନ, ବଜାର, ଗାଡି ଚଳାଚଳ ସହିତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ କରାଯାଇଛି ।କେବଳ ଜରୁରୀ କାଳୀନ କାର୍ଯ୍ୟରେ ନିୟୋଜିତ ଅନୁଷ୍ଠାନ ଗୁଡିକୁ ବାଦ୍‌ ଦିଆଯାଇଛି । ସ୍କୁଲ, କଲେଜରେ ପରୀକ୍ଷା ଚାଲୁଥିବାରୁ ସ୍କୁଲ ବସ୍ ଓ କିଛି ଶିକ୍ଷା ଅନୁଷ୍ଠାନ ଗୁଡିକୁ ବନ୍ଦରୁ ବାଦ୍‌ ଦିଆଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୬୦ରୁ ୧୨୦ ପର୍ଯ୍ୟନ୍ତ ବିସ୍ତୃତ । ଏହି ୫ଟି ବ୍ଲକରୁ ବଲାଙ୍ଗିରକୁ ଗମନାଗମନର ବିଶେଷ ସୁବିଧା ନାହିଁ ଓ ଏହି ବ୍ଲକ ମଧ୍ୟ ଦାଦନ ସହ ମାଓ ପ୍ରବଣ ଅଞ୍ଚଳ ଅଟେ । ଏଣୁ ଏ ଅଞ୍ଚଳର ସରଳ, ନିରୀହ ଅଧିବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେବା ସଙ୍ଗେ ମୌଳିକ ଅଧିକାରରୁ ବଂଚିତ ରହୁଛନ୍ତି । ଅନ୍ୟ ପକ୍ଷରେ ପ୍ରଶାସନକୁ ଲୋକାଭିମୂଖୀ କରିବା ପାଇଁ ଏବଂ ସମତୁଳ ଆଂଚଳିକ ଉନ୍ନତି ପାଇଁ ସ୍ୱର୍ଗତ ବିଜୁ ବାବୁ ୧୩ ଜିଲ୍ଲାର ପୁନଃର୍ଗଠନ କରି ୩୦ଟି ଜିଲ୍ଲାରେ ପରିଣତ କରିଥିଲେ । ବର୍ତ୍ତମାନ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଲୋକସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ଜିଲ୍ଲା ପୁନଃର୍ଗଠନର ପ୍ରତିଶୃତି ଦେଇ ପଦକ୍ଷେପ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ପୁନଃର୍ଗଠନର ଯଥେଷ୍ଟ ଯୁକ୍ତିଯୁକ୍ତତା ରହିଅଛି । ତେବେ ନିରପେକ୍ଷ ଭାବରେ ପ୍ରତ୍ୟେକ ଦିଗକୁ ଦୃଷ୍ଟିରେ ରଖି ଏକ ନୂତନ ଜିଲ୍ଲା ଗଠନ କରିବା ପାଇଁ ଦାବୀ କରାଯାଉଛି । ତେବେ ଭୌଗଳିକ, ସମାଜିକ, ଅର୍ଥନୈତିକ, ରାଜନୈତିକ ବାସ୍ତବତାକୁ ଦୃଷ୍ଟିକୁ ନେଲେ ‘କଂଟାବାଞ୍ଜି ହିଁ ଏକ ନୂତନ ଜିଲ୍ଲା ହେବାର ଯଥାର୍ଥତା ବହନ କରେ’ ବୋଲି କଂଟାବାଞ୍ଜିବାସୀ ମତ ପ୍ରକାଶ କରିଛନ୍ତି । କଂଟାବାଞ୍ଜି, ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ବାଣିଜ୍ୟିକ ସହର, ବଲାଙ୍ଗିର ଜିଲ୍ଲାର ଅନ୍ୟତମ ମ୍ରୁଖ୍ୟ ସହର ତଥା ସର୍ବ ପୁରାତନ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଟେ । ସମିତି ଦେଇଥିବା ୨୦୧୧ ମସିହା ତଥ୍ୟ ଅନୁଯାୟୀ ଏହି ନିର୍ବାଚନ ମଣ୍ଡଳୀର ଜନସଂଖ୍ୟା ୪ ଲକ୍ଷରୁ ଅଧିକ, ଜିଲ୍ଲା ପାଇଁ ଆବଶ୍ୟକ ରହୁଥିବା ଅନେକ ସରକାରୀ କାର୍ଯ୍ୟାଳୟ ମଧ୍ୟ ନିର୍ବାଚନ ମଣ୍ଡଳୀରେ ରହିଛି । ନିର୍ବାଚନ ମଣ୍ଡଳୀର କଂଟାବାଞ୍ଜି ପୌରାଂଚଳ, ୩ଟି ବ୍ଲକ ଓ ୩ଟି ତହସିଲର ରାଜସ୍ୱ ଅନ୍ୟାନ୍ୟ ଜିଲ୍ଲା ଯଥା – ଦେବଗଡ଼, ବୌଦ୍ଧ, ନୂଆପଡ଼ା ଆଦି ଜିଲ୍ଲାଠାରୁ ୩ ଗୁଣା ରାଜସ୍ୱ ସରକାରଙ୍କ ତହବିଲରେ ଜମା ହୁଏ । ପ୍ରତ୍ୟେକ କ୍ଷେତ୍ରରେ ତୁଳନା କଲେ ଜିଲ୍ଲା ଦାବୀ ଦୃଷ୍ଟିରୁ ଅଧିକ ଯଥାର୍ଥତା ବହନ କରୁଅଛି । ଶିକ୍ଷା କ୍ଷେତ୍ରରେ କଂଟାବାଞ୍ଜି ଠାରେ ଯୁକ୍ତଦୁଇ ଓ ଡିଗ୍ରୀ କଲେଜ, ବିଜ୍ଞାନ, କଳା ଓ ବାଣିଜ୍ୟ ମହାବିଦ୍ୟାଳୟ, ସ୍ନାତକ ଓ ସ୍ନାତକୋତ୍ତତ୍ତର ଏବଂ ମହିଳା ଯୁକ୍ତଦୁଇ ଓ ସ୍ନାତକୋତ୍ତର ରହିଥିବା ସ୍ଥଳେ, ଆଇ.ଟି.ଆଇ. କିଲ୍ ଡେଭ୍‌ଲପ୍‌ଟ ସେଣ୍ଟର, ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ରହିଥିବା ହେତୁ ଏକ ସଦର ମହକୁମାରେ ଆବଶ୍ୟକ ଥିବା ଶିକ୍ଷା ବ୍ୟବସ୍ଥାର ପୂରଣ କରୁଛି ।ଭୌଗଳିକ ପରିସୀମା କ୍ଷେତ୍ରରେ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀର ପରିସୀମା ୨୬୨୨ ବର୍ଗ କି.ମି. ଯାହାକି ବଲାଙ୍ଗିର ଜିଲ୍ଲାର ପରିସୀମା ଠାରୁ ପ୍ରାୟ ୪୦ ଭାଗ । କଂଟାବାଞ୍ଜିର ଭୌଗଳିକ ପରିସୀମାକୁ ଅନୁଧ୍ୟାନ କଲେ ପୂର୍ବରୁ ଗଠିତ ହୋଇଥିବା ନୂତନ ଜିଲ୍ଲା ଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ ରହିଛି ।

Leave A Reply

Your email address will not be published.

error: Content is protected !!