ବଲାଙ୍ଗିର, (କେପିଏନ୍ଏସ୍) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ତ୍ରୟମାସିକ ଶିଶୁ କିଶୋର ପତ୍ରିକା ମଠଖାଇ ଓ ବିଦ୍ୟାଳୟର ପୁରାତନ ଛାତ୍ରୀ ସରସ୍ୱତୀ ମିର୍ଦ୍ଧାଙ୍କର ଗୀତଟିଏ ମିତଟିଏର ଶୁଭ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ପ୍ରଥମ ଅଧିବେଶନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି, ଅଙ୍କୁରର ସଂପାଦକ ଡା. ଅଶୋକ କୁମାର ସେଠୀ ମୁଖ୍ୟବକ୍ତା ଓ ଅକ୍ଷରର ସଂପାଦକ ହୃଷିକେଶ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ପ୍ରକାଶିତ ମଠଖାଇ ପତ୍ରିକା ଶିଶୁ ସାହିତ୍ୟ ସୃଷ୍ଟି ପାଇଁ ଅଭିନୟ ପ୍ରଚେଷ୍ଟା ବୋଲି ମତବ୍ୟକ୍ତ କରିଥିଲେ । ଗୀତଟିଏ ମିତଟିଏ ଶିଶୁ କବିତା ଗୁଚ୍ଛର ସମୀକ୍ଷା କରିଥିଲେ ଲଲାଟ କେଶରୀ ପଧାନ । ଏ ଅବସରରେ ବିଶିଷ୍ଟ ଶିଶୁ ଲେଖକ ସୁରଥ ସାହୁଙ୍କୁ ‘ମଠଖାଇ ଶିଶୁ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ସ୍ୱାଗତ ସଂଗୀତ ଗାନ କରିଥିଲେ ରେଶମା ନାଏକ ଓ ସୁନିତା ନାଏକ । ସଭାକୁ ପରିଚାଳନା କରିଥିଲେ ମଠଖାଇର ସଂପାଦକ ମଦନ ମୋହନ ରଥ ।
ଦ୍ୱିତୀୟ ଅଧିବେଶନରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟଳୟର ୩୦ ଜଣ ଛାତ୍ରଛାତ୍ରୀ ନିଜସ୍ୱ କବିତା ପାଠ କରିଥିଲେ । କବିତା ପାଠକୁ ସଂଯୋଜନା କରିଥିଲେ ଜ୍ୟୋତି ବାରିକ, ସଂଗୀତା ସାଏ ଓ ଦିପ୍ତି ଦନ୍ତା । ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଧିରେନ୍ଦ୍ର ନାରାୟଣ ସିଂହଦେଓ, ସୁନାଧର ବନଛୋର, ସାଧନା ପଣ୍ଡା, ନିଳାଞ୍ଚଳ କୁଅଁର, ମୋଚି ଦଲାଇ, ହରେରାମ ବାରିକ ଓ ସରସ୍ୱତୀ ମିର୍ଦ୍ଧା । ଶେଷରେ କେଦାର ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।