ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ସର୍ବାଙ୍ଗୀନ ବିକାଶ ଦାବୀ କଲେ ବିଧାୟକ ନରସିଂହ

  • ମହାରାଣୀ ସାଗର, ଲକ୍ଷ୍ମୀଜୋର, ଗନ୍ଧ୍ରେଲ, ସିଭିଲ କୋର୍ଟ ଓ ଜିଲ୍ଲାପାଳ କୋଠା କାମ ଶୀଘ୍ର ଆରମ୍ଭ କରିବା ନେଇ ପ୍ରସ୍ତାବ ଗୃହିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲା ପଞ୍ଚାୟତିରାଜ କୋଠାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରର ବିକାଶ ପାଇଁ ଆସିଥିବା ଅନେକ ଅନୁଦାନ ବିନା ଖର୍ଚ୍ଚରେ ପଡିରହିଥିବା ନେଇ କ୍ଷୋଭ ପ୍ରକାଶ ସହ ଏସବୁର ସଫଳ ରୂପାୟନ ଶୀଘ୍ର କରାଯିବା ନେଇ ବୈଠକରେ ପ୍ରସ୍ତାବ ଦେଇଥିଲେ । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୁଝାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଶ୍ରୀ ମିଶ୍ର କହିଥିଲେ ମହାରାଣୀ ସାଗର ପାଇଁ ୨୨ କୋଟି ଟଙ୍କା ଆସି ନିର୍ମାଣକାରୀ ସଂସ୍ଥା ସହ କାର୍ଯ୍ୟାରମ୍ଭ ପାଇଁ ଚୁକ୍ତି ସରିଥିଲେ ହେଁ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ପାରି ନାହିଁ । ଠିକ ସେହିପରି ଲକ୍ଷ୍ମୀଜୋର ପାଇଁ ୮ କୋଟି, ଗନ୍ଧ୍ରେଲ ଡ୍ୟାମ୍‌ର ସୌନ୍ଦର୍ଯ୍ୟକରଣ, ସିଭିଲ କୋର୍ଟ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ନୂତନ କୋଠା ନିର୍ମାଣ ପାଇଁ ଅନୁଦାନ ଓ ମଞ୍ଜୁରୀ ବର୍ଷ ବର୍ଷ ହେଲା ପଡି ରହିଛି । ଏସବୁଥିରେ କେତେବେଳ ସରକାରୀ ଅଧିକାରୀ ତ କେତେବେଳେ ସରକାରୀ ଦଳର ନିର୍ବାଚିତ ପ୍ରତିନିଧିମାନେ ବାଧକ ସାଜୁଛନ୍ତି । ବୈଠକରେ ଏସବୁର ଶୀଘ୍ର କାର୍ଯ୍ୟାରମ୍ଭ ପାଇଁ ଅଧ୍ୟକ୍ଷ ଶ୍ରୀ ପୁଝାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରକଳ୍ପ ଗୁଡିକୁ ଶୀଘ୍ର ଆରମ୍ଭ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହା ସହ ବୈଠକରେ ଚାରି ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ଯୋଜନା ବୋର୍ଡର ବିବରଣୀର ଦୃଢିକରଣ କରିବା ପାଇଁ ଆଲୋଚନା ସହ ଆଗାମୀ ବର୍ଷ ପାଇଁ ଜିଲ୍ଲାର ବିକାଶ ଦିଗରେ ଏକ ପୂର୍ଣ୍ଣାଙ୍ଗ ଯୋଜନା ତିଆରି ପାଇଁ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଥିଲେ । ଶିଳ୍ପ ବିହିନ ବଲାଙ୍ଗିର ଜିଲ୍ଲାରେ ଟେଟକ୍ସଟାଇଲ୍‌ ଉଦ୍ୟୋଗ ସ୍ଥାପନ ସହ ବିଜୟାନନ୍ଦ ଚିନି କଳର ପୁନଃଉଦ୍ଧାର, କଣ୍ଟାବାଞ୍ଜିରେ ଥିବା ୭ ଶହ ଏକର ଜମିରେ ରେଳ ସମ୍ବନ୍ଧୀୟ ଶିଳ୍ପର ସ୍ଥାପନ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ଅଙ୍ଗ ଓ ତେଲ ନଦୀରେ ବ୍ୟାରେଜ ସ୍ଥାପନ, ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ରାଣୀପୁର ଝରିଆଲ, ହରିଶଙ୍କର ପାଇଁ ସ୍ୱତନ୍ତ୍ର ଅନୁଦାନ, ଭୀମ ପାହାଡ, ଚାନ୍ଦଲି ପାହାଡ, କୁମୁଡା ଓ ଗନ୍ଧ୍ରେଲ ଡ୍ୟାମ୍‌ରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନୁଦାନ ପ୍ରଦାନ । ପୁରୀ, ଭୁବନେଶ୍ୱର ଓ ସମ୍ବଲପୁରରେ ମନ୍ଦିର ଗୁଡିକର ବିକାଶ ଢାଞ୍ଚାରେ ବଲାଙ୍ଗିରର ସମଲେଶ୍ୱରୀ ମନ୍ଦିର ପାଇଁ ୫୦୦ କୋଟିର ଅନୁଦାନ ପ୍ରଦାନ, ଖେଳ ଓ ଖେଳାଳିଙ୍କ ଉନ୍ନତି ପାଇଁ କ୍ରୀଡା ଭିତ୍ତିଭୂମିର ବିକାଶ, ଭୀମ ଭୋଇ ମେଡିକାଲ କଲେଜ ଅତି ବିଶେଷଜ୍ଞ ଚିକିତ୍ସା ଆରମ୍ଭ କରିବା, ଦେଓଗାଁ ଠାରେ ସିଭିଲ ଓ କ୍ରିମିନାଲ କୋର୍ଟର ସ୍ଥାପନ ସହ ସମୟ କ୍ରମେ ଓଡିଶାର ବାର୍ଷିକ ବଜେଟ ଦୁଇ ଗୁଣ ହୋଇଥିବାରୁ ବିଜୁ କେବିକେ ଅନୁଦାନକୁ ୨୧ କୋଟିକୁ ଦୁଇ ଗୁଣ କରି ୪୨ କୋଟି କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଥିଲେ, ଯାହା ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!