csstore

ଗଞ୍ଜାମ ଜିଲ୍ଲାରେ କୁଳୀଣ ସମାଜ ମୁଖିଆଙ୍କ ଅର୍ଥ ଜୋରିମାନା, ଲୁଣ୍ଠନ, ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଲମ୍ବୁଛି

• ଜିଲ୍ଲା ପ୍ରଶାସନ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭିନ୍ନ ମହଲରେ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳମାନଙ୍କରେ ଜାତି, କୁଳୀଣ ସମାଜରେ ଗାଁ ବାସନ୍ଦ, କୁଳ ବହିଷ୍କାର କରାଯାଇ ବ୍ୟକ୍ତିବିଶେଷଙ୍କ ଉପରେ ଅର୍ଥ ଜୋରିମାନା, ଆର୍ଥିକ ଓ ମାନସିକ ଦଣ୍ଡ ଲଦୁଥିବା ଅଭିଯୋଗ ହୋଇଛି । ଗାଁ ମୁଖିଆ, ସାହୁକାରପଣିଆ ଦେଖାଇ ଲୁଣ୍ଠନ, ଭ୍ରଷ୍ଟାଚାର ଭଳି ଲୋକଙ୍କ ଉପରେ ନାନା ନିର୍ଯ୍ୟାତନା ଦେଉଛନ୍ତି । ପୁନଶ୍ଚ ଜିଲ୍ଲାର ଗ୍ରାମାଞ୍ଚଳମାନଙ୍କରେ ଜାତି କୁଳୀଣ ସମାଜ ମୁଖିଆଙ୍କ ଆର୍ଥିକ ଜୋରିମାନା, ହରିଲୁଟ ସମ୍ପର୍କରେ ପ୍ରଶାସନ ଠାରେ ବହୁ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହୋଇ ନାହିଁ ବୋଲି ମତ ପ୍ରକାଶ ପାଇଛି । ଫଳରେ ଜାତି ସମ୍ପ୍ରଦାୟର ଲୋକମାନେ ନାନା ହନ୍ତସନ୍ତ ହେଉଛନ୍ତି । ବାରମ୍ବାର ଜିଲ୍ଲା ପ୍ରଶାସନ ଠାରେ ଲୋକଙ୍କର ଅସନ୍ତୋଷର କ୍ଷୋଭ ପ୍ରକାଶ ପାଇବାରେ ଲାଗିଛି । ଫଳରେ ଗ୍ରାମୀଣ କୁଳ ଜାତିର ଲୋକଙ୍କର ନାନା ସ୍ୱର ଉଠି ସମାଜକୁ କଳୁଷିତ କରୁଛି । ଏଭଳି ଜାତି ସମ୍ପ୍ରଦାୟର ଘୋର ଆପତ୍ତିଜନକ ବିଷୟରେ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ଜାତିଗୋଷ୍ଠୀ ସମୂହ ହୋ ହାଲ୍ଲା କରି ସ୍ୱର ଉଠାଇଆସୁଛନ୍ତି । ପ୍ରକାଶ ଥାଉକି, ସୋମବାର ଦିନ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏଭଳି ଏକ ଅଭିଯୋଗ ପତ୍ର ପ୍ରଦାନ କରି ବାଉରୀ ଜାତି ତଥା ଗଞ୍ଜାମ ଜିଲ୍ଲା ବାଲ୍ମିକୀ ଦାସ କୁଳ, ମହୁରୀ ତାଲୁକା ମହାସଂଘର ସଭାପତି ଶୂନ୍ୟ ଚନ୍ଦ୍ର ଦାସ (ପିତା- ରଘୁ ଦାସ)ଙ୍କ ନାମରେ ଗଞ୍ଜାମ ଏସ୍‌ପି ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ଆପତ୍ତିଜନକ ଅଭିଯୋଗ ଅଣାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିନା ରେଜୁଲେସନରେ କୁଳ ସଂଘ ସଭାପତି ଏବଂ ଅନ୍ୟ ନେତୃତ୍ୱଧାରୀ ଅନ୍ୟ ୪/୫ଜଣ ନିର୍ବନ୍ଧ, ବିବାହ ସାର୍ଟିଫିକେଟ, ଛାଡପତ୍ର, ଘରର କଳିକଜିଆ, ଜମିଜମା ମାମଲା ଆଦିରେ କୁଳ ହିତାଧିକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଫିସ୍ ଏବଂ ଜୋରିମାନା ଆଦାୟ କରିବା ପ୍ରଥା ସ୍ୱାଭାବିକ ହୋଇଛି । ଯାହା ଅଗଣତାନ୍ତ୍ରିକ ଭାବେ ଚାଲିଥିବା ଅଭିଯୋଗ ହୋଇଛି । ଜୋରିମାନା ନ ଦେଲେ କୁଳ, ଜାତି ସଂଘରୁ ବାସନ୍ଦ କରିବା, ଗାଁ ସମାଜରୁ ବହିଷ୍କାର କରିବା ଆଦି ଅନ୍ୟାନ୍ୟ ପ୍ରଥା ଭଳି ଗାଁ ଜାତି ଲୋକଙ୍କଠାରୁ ଏଭଳି ଲୁଣ୍ଠନ ଓ ଭ୍ରଷ୍ଟାଚାର ଭଳି ଅଭିଯୋଗ ହୋଇଛି । ସୋମବାର ପ୍ରବଳ ହଟ୍ଟଗୋଳର ସହ କୁଳ ମୁଖିଆଙ୍କ ନାମରେ ବିଭିନ୍ନ ନାରାବାଜି ଦେଇ ସ୍ୱର ଉଠାଇଛନ୍ତି । ଅଭିଯୁକ୍ତଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସାଂଗକୁ ଗିରଫ କରିବା ନେଇ ଦାବୀ ହୋଇଛି ଏବଂ ଲୋକଙ୍କୁ ଦମନ କରି ଲୁଟ୍‌ କରିଥିବା ଅର୍ଥ ଫେରସ୍ତ କରିବାକୁ ଜନସାଧାରଣ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.