ଜ୍ୱାଇଁର ଛୁରାମାଡ଼ରେ ଶ୍ୱଶୁର ମୃତ : ଅଭିଯୁକ୍ତ ଜ୍ୱାଇଁକୁ ଅଟକ ରଖିଛି ପୋଲିସ୍‌

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜ୍ୱାଇଁର ଛୁରା ମାଡ଼ରେ ଶ୍ୱଶୁରଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁଳିମରା ସାହିରେ । ମୃତକ ଜଣକ ଗୁଳିମରା ସାହିର ଟୁନା ପ୍ରଧାନ । ଖବର ଅନୁସାରେ, ଟୁନା ପ୍ରଧାନଙ୍କ ଝିଅ ବ୍ରହ୍ମପୁର ଗେଟ ବଜାର ଅଞ୍ଚଳର ସିମାଞ୍ଚଳ ଚୌଧୁରୀଙ୍କୁ ବିବାହ କରିଥିଲେ । ସେଠାରେ ସିମାଞ୍ଚଳ ତାଙ୍କ ସ୍ତ୍ରୀଙ୍କୁ ନିର୍ୟାତନା ଦେବାରୁ ସେ ଆସି ବାପ ଘର ବାଲିଗୁଡାରେ ରହୁଥିଲେ । ବୁଧବାର ସନ୍ଧ୍ୟାରେ କୌଣସି କାରଣରୁ ଜ୍ୱାଇଁ ମଦ୍ୟପାନ କରି ଆସି ଶ୍ୱଶୁରଙ୍କ ସହ ପ୍ରବଳ ଝଗଡ଼ା କରିଥିଲା । ପରେ ଏହା ଉଗ୍ରରୂପ ନେବାରୁ ସିମାଞ୍ଚଳ ଏକ ଧାରୁଆ ଛୁରୀରେ ଶ୍ୱଶୁର ଟୁନାଙ୍କୁ ଆକ୍ରମଣ କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ହତ୍ୟା ଅଭିଯୁକ୍ତ ନରହନ୍ତା ଜ୍ୱାଇଁକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।

Leave A Reply

Your email address will not be published.