କର୍ଲାମୁଣ୍ଡା ଖଳା ନିର୍ମାଣ ପ୍ରାପ୍ୟ ପାଇବା ଦାବୀରେ ଆମରଣ ଅନଶନ

  • ପ୍ରାପ୍ୟ ନମିଳିବା ପର୍ଯ୍ୟନ୍ତ ଧାରଣରେ ବସିବାକୁ ଚେତାବନୀ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ୨୦୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ ପଂଚାୟତରେ ଧାନଖଳା ନିର୍ମାଣର ୨ ବର୍ଷ ପରେ ମଧ୍ୟ ଟଙ୍କା ମିଳି ନଥିବାରୁ ବୁଧବାର ସକାଳରୁ କାମରେ ନିୟୋଜିତ ମେଟ୍ ଓ ଶ୍ରମିକମାନେ ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, କର୍ଲାମୁଣ୍ଡା ବ୍ଲକର ୧୨ଟି ପଂଚାୟତର ବିଭିନ୍ନ ସ୍ଥାନରେ ଧାନଖଳା ନିର୍ମାଣ ପାଇଁ ପ୍ରତି ଖଳାକୁ ୭ ଲକ୍ଷ ୩୨ ହଜାର ଟଙ୍କା ଲେଖାଏଁ ମୋଟ ୮୭ ଲକ୍ଷ ୮୪ ହଜାର ଟଙ୍କା ଅନୁଦାନ ଆସିଥିଲା । ଏଥିରେ ବ୍ଲକର ତେରେସିଂହା କଲୋନୀପଡା, କର୍ଲାମୁଣ୍ଡା ପଂଚାୟତର କର୍ଲାମୁଣ୍ଡା ବସ୍ତି, ପାଣି ପଂଚାୟତ କାର୍ଯ୍ୟାଳୟ ନିକଟରେ, ଗଜବାହାଲ ପଂଚାୟତର ଅବୁଜବାହାଲ ଡୁଙ୍ଗୁରୀ ଠାରେ, ରିଂଜା ପଂଚାୟତର ରେଙ୍ଗାଲି, ରେଗେଡା ପଂଚାୟତର ରେଗେଡା ଠାରେ, ଯୋରାଡବ୍ରା ପଂଚାୟତର ଯୋରାଡବ୍ରା ଠାରେ ନିର୍ମାଣ ହୋଇଥିଲା । କାର୍ଯ୍ୟ ସଂପାଦନର ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କାମ କରିଥିବା ଶ୍ରମିକ, ମେଟ୍ ଓ ବିଭିନ୍ନ ସାମଗ୍ରୀ ତଥା ଭଡା ବାବଦକୁ ଟଙ୍କା ପାଉନଥିବାରୁ ମେଟ୍‌ମାନେ ଆମରଣ ଅନଶନରେ ବସିଲୁ ବୋଲି କପିନ୍ଦ୍ର ରଣା, ବିରଂଚି ରଣା, ଶଶିଭୂଷଣ ସାହୁ, ଉତମ ରଣା, ଅର୍ଜୁନ ସାହୁ ପ୍ରମୁଖ କହିଛନ୍ତି । ତେବେ ଖବର ଲେଖାହେବା ପର୍ଯ୍ୟନ୍ତ, ଆମରଣ ଅନଶନ ସ୍ଥଳକୁ କୌଣସି ବ୍ଲକ ଅଧିକାରୀ ଆସି ନଥିବା ଦୁର୍ଭାଗ୍ୟର ବିଷୟ ବୋଲି ଆମରଣ ଅନଶନରେ ବସିଥିବା ବ୍ୟକ୍ତିମାନେ କହିଛନ୍ତି । ଅନ୍ୟପଟେ ଗତ ସେପ୍ଟେମ୍ବର ମାସରେ ଉକ୍ତ ବ୍ୟକ୍ତିମାନେ ଧାରଣାରେ ବସିଥିଲେ ଓ ତତ୍କାଳୀନ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା ଏକ ମାସ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି କହିବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏନେଇ ସ୍ଥାନୀୟ ବିଡିଓ ସୁଚରିତା ମୁଗ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ଗତକାଲି ସନ୍ଧ୍ୟାରେ ରିଷିଡା ଗସ୍ତରେ ଆସିଥିବା ରାଜ୍ୟସଭା ସାଂସଦ ସୁଜିତ କୁମାର ଧାରଣା ସ୍ଥଳକୁ ଯାଇ ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରି ଏସଂପର୍କରେ ଜିଲ୍ଲାପାଳଙ୍କ ସହିତ କଥାହୋଇ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ, କିନ୍ତୁ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନେ ଧାରଣା ଜାରି ରଖିଥିଲେ ।

Leave A Reply

Your email address will not be published.