ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ପକ୍ଷରୁ ଶରଧାବାଲିରେ ଆୟୋଜିତ ୨୭ତମ ପୁସ୍ତକ ମେଳା ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସମର୍ଥ ବର୍ମା ଯୋଗ ଦେଇ ଇଣ୍ଟରନେଟର ଆଶାତୀତ ବିକାଶ ପରେ ମଧ୍ୟ ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ ପ୍ରତିଟି କବି, ଗାଳ୍ପିକ, ଔପନ୍ୟାସିକ, ଗବେଷକ ସଂକଳ୍ପବଦ୍ଧ ହୋଇ ପାଠକଙ୍କ ପାଇଁ ପୁସ୍ତକ ପ୍ରକାଶ କରୁଛନ୍ତି, ଏହା କମ୍ କଥା ନୁହେଁ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନାରେ ପୁଷ୍କର ମହାପାତ୍ର, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ବୀରେନ୍ଦ୍ର ମହାନ୍ତି, ରଘୁନାଥ ମହାପାତ୍ର, ସ୍ୱାଧିନ ପଣ୍ଡା, ପ୍ରତିମା ମିଶ୍ର, ରଘୁନାଥ ମିଶ୍ର, ବିପିନ ଦଳାଇ, ସୁକାନ୍ତ ପଣ୍ଡା, ସୁରେନ୍ଦ୍ର ମିଶ୍ର, ଭବାନୀ ବଳିଆର ସିଂହ, ଶ୍ରୀକାନ୍ତ ମହାନ୍ତି, ଶ୍ୟାମପ୍ରକାଶ ସେନାପତି, ଗୀତାଞ୍ଜଳି ପଣ୍ଡା, ସୁନିଲ ରଥ ପ୍ରମୁଖ ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ପୁସ୍ତକମେଳାର ମୁଖପାତ୍ର ଉନ୍ମୋଚିତ ହୋଇଥିଲା । ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ଗ୍ରନ୍ଥ ମନ୍ଦିର, ବିଦ୍ୟାପୁରୀ ଏ.କେ ମିଶ୍ର ଆଣ୍ଡ କୋ, ଚିତ୍ରୋତ୍ପଳା, ସାଇଯମୁନା, ଓଡ଼ିଶା ବୁକ୍ ଷ୍ଟୋର, କଟକ ଲ-ଏଜେନ୍ସି , ଅନୁରାଗ ପବ୍ଲିକେଶନ ସମେତ ୬୦ଟି ପ୍ରକାଶନ ସଂସ୍ଥା ସହ ୧୪୫ଟି ଷ୍ଟଲ ଯୋଗଦାନ କରିଛନ୍ତି । ବୁଧବାର ଠାରୁ ଚନ୍ଦ୍ରବିଜୟୀଙ୍କ କୁଇଜ୍ ସହ ପ୍ରତିଦିନ ସଂଗୀତ, ନୃତ୍ୟ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପରିବେଷଣ କରିବେ । ଏଥିସହ ପ୍ରତିଦିନ ମେଳା ମଞ୍ଚରେ କବିତା ପାଠୋତ୍ସବ, ସାହିତ୍ୟ ଆଲୋଚନା ଓ ଜନମଞ୍ଚ ଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସଂପାଦକ ଚକ୍ରଧର ମହାପାତ୍ର, କାର୍ଯ୍ୟକାରୀ ସଭାପତି ଅନାମ ସାହୁ ଓ ବହିମେଳାର ଗଣମାଧ୍ୟମ ସଂପାଦକ ବଦ୍ରି ମିଶ୍ର ଜଣାଇଛନ୍ତି ।
Prev Post