centurian jitm

କରୁଆଁଝର ଗ୍ରାମରେ ସାମାଜିକ ବାସନ୍ଦକୁ ନେଇ ଦୀର୍ଘ ସମୟ ଧରି ପଡି ରହିଲା ଶବ : ଅନ୍ତିମ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

nschool

ବଲାଙ୍ଗିର, (କେପିଏନଏସ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କରୁଆଁଝର ଗ୍ରାମର ସୀମାଞ୍ଜଳି ସାହୁ (୩୧) କରୁଆଁଝର ଗ୍ରାମର ଅନୀଲ ପ୍ରଧାନଙ୍କୁ ବିବାହ କରି ସୁଖରେ ଜୀବନ ବିତାଉଥିଲେ । ଦୁହେଁ ସମାନ ଜାତିରେ ବିବାହ କରିଥିଲେ କିନ୍ତୁ ଗ୍ରାମବାସୀଙ୍କ ମତରେ ସମାନ ଜାତିରେ ବି ଜାତି ଉପଜାତି ହିସାବରେ ଟିକିଏ ଉଚ୍ଚ ନିଚ୍ଚର ଫରକ ରହିଯାଇଥିଲା । ସେ ସବୁକୁ ଖାତିର ନ କରି ସ୍ୱାମୀ ସ୍ତ୍ରୀ ନିଜ ଘର ସଂସାରରେ ବ୍ୟସ୍ତ ଥିଲେ । ହଠାତ୍‌ ସୀମାଞ୍ଜଳିଙ୍କ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ହୋଇ ପଡିବାରୁ ସ୍ୱାମୀ ଯତ୍ନ କରି ସ୍ତ୍ରୀର ଚିକିତ୍ସା କରାଉଥିଲେ । ହେଲେ ଦୁଃଖର ବିଷୟ ଗତକାଲି ଭୋରରୁ ସୀମାଞ୍ଜଳିଙ୍କର ଦେହାନ୍ତ ହୋଇଯାଇଥିଲା । ଦୁଃଖରେ ଭାଙ୍ଗି ପଡ଼ିଥିଲେ ସ୍ୱାମୀ ଅନୀଲ । ଧୀରେ ଧୀରେ ଗ୍ରାମରେ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ଯେଉଁ ଗ୍ରାମବାସୀ ଅନୀଲ-ସୀମାଞ୍ଜଳିଙ୍କ ବାହାଘର ସମୟରେ ଭୋଜି ଭାତ ଅତି ଆନନ୍ଦରେ ଖାଇ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ ସେହି ଗ୍ରାମବାସୀ ହିଁ ଆଜି ଜାତି ଭେଦ ଆଳରେ ବାରଣ କରିଦେଲେ ଗ୍ରାମରେ ଅନ୍ତିମ ସଂସ୍କାର କରିବା ପାଇଁ । ଅନ୍ୟ ଉପାୟ ନ ପାଇ ସ୍ତ୍ରୀର ଶବଟିକୁ ଧରି ସ୍ୱାମୀ ଆଖିରେ ଆଖିଏ ଲୁହ ନେଇ ଚାହିଁ ବସି ରହିଥିଲା । ହେଲେ ଗ୍ରାମବାସୀଙ୍କ ହୃଦୟ କିନ୍ତୁ ଏତେ ନିଷ୍ଠୁର ଥିଲା ଯେ, ସେମାନେ ନିଜ ନୀତି ନିୟମ ଓ ଜିଦରେ ଅଟଳ ଥିଲେ । ଏହା ଦେଖି ସେହି ଗ୍ରାମର ଜଣେ ଭଦ୍ର ବ୍ୟକ୍ତି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନକୁ ଯୋଗାଯୋଗ କଲା ପରେ ସ୍ୱେଚ୍ଛାସେବୀ ମାନେ ସ୍ୱର୍ଗରଥ ଧରି ସଂଗେ ସଂଗେ ଯାଇ ସେହି ଗ୍ରାମରେ ପହଞ୍ଚିଥିଲେ । ବହୁ ତର୍କ ବିତର୍କ କରି ଯେତେ ସଚେତନ କରିବା ପାଇଁ ଚେଷ୍ଟା କଲେ ମଧ୍ୟ ଗ୍ରାମବାସୀ ରାଜି ହେଲେ ନାହିଁ ଅନ୍ତିମ ସଂସ୍କାର ପାଇଁ । ଫଳରେ ପରିବାରର ଅନୁମତି ପରେ ସ୍ୱାମୀ ଅନିଲଙ୍କୁ ସାଥୀରେ ନେଇ ଶବଟିକୁ ସ୍ୱର୍ଗରଥରେ ଧରି ସ୍ୱେଚ୍ଛାସେବୀ ସଂଗଠନ ବଲାଙ୍ଗିରର ବିଭୁତିପଡା ଶ୍ମଶାନରେ ପହଞ୍ଚିଲେ ସସମ୍ମାନରେ ସୀମାଞ୍ଜଳିଙ୍କ ଅନ୍ତିମ ସଂସ୍କାର କରିବା ପାଇଁ । ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ଶବଟିକୁ ତାଙ୍କ ଘରୁ ବାହାରକୁ ବାହାର କଲା ସମୟରେ ସେଠାକାର ସ୍ଥାନୀୟ ଜନ ପ୍ରତିନିଧି ମାନେ ତୁଣ୍ଡରେ ତୁଣ୍ଡି ଦେଇ ଦର୍ଶକ ସାଜିଥିଲେ । ଶ୍ମଶାନରେ ପହଞ୍ଚି ସଧବା ସ୍ତ୍ରୀଙ୍କର ଶବକୁ ସ୍ୱାମୀ ହାତରେ ମୁଖାଗ୍ନି ଦେଇ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ସସମ୍ମାନରେ ଅନ୍ତିମ ସତ୍କାର କରାଗଲା । ଆଜିର ଯୁଗରେ ଜାତିଭେଦ ଯାତନା ଏକ ନିନ୍ଦନୀୟ ଘଟଣା । ଏହାକୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଘୋର ନିନ୍ଦା କରାଯାଇଛି ।

Leave A Reply

Your email address will not be published.