ବଲାଙ୍ଗିରର ଅଜୟ ଅମର ହେଲେ ‘ସାରେଗାମାପା’ ୱିନର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ବହୁ ଚର୍ଚ୍ଚିତ ଟିଭି ରିୟାଲିଟି ସୋ’ ଜି ସାର୍ଥକ ସାରେଗାମାପା ସ୍ୱରର ମହାମଂଚ-୨୦୨୨ରେ ନିଜର ସୁମଧୂର କଣ୍ଠର ଚମତ୍କାରିତା ପ୍ରଦର୍ଶନ ପୂର୍ବକ ବଲାଙ୍ଗିରର ଅଜୟ ଅମର ସିଂହଦେଓ ପ୍ରଥମ ସ୍ଥାନ ଅଧିକାର କରି ବିଜେତା ଘୋଷିତ ହୋଇଛନ୍ତି । ଏହା ଦ୍ୱାରା ସେ ସମଗ୍ର ପଶ୍ଚିମ ଓଡିଶା ସହ ବଲାଙ୍ଗିର ଜିଲ୍ଲା ପାଇଁ ନୂତନ ବର୍ଷରେ ଏକ ନୂତନ ଗୌରବ ଆଣି ଦେଇଛନ୍ତି । ଜୁଲାଇ ୨୦୨୨ରୁ ୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଦୀର୍ଘ ୬ ମାସ ଧରି ଚାଲୁ ରହିଥିବା ଏହି ପ୍ରତିଯୋଗିତାମୂଳକ ରିୟାଲିଟି ସୋ’ ପାଇଁ ବଲାଙ୍ଗିର ସମେତ ସମଗ୍ର ଓଡିଶାର କୋଣ ଅନୁକୋଣରୁ ଅସଂଖ୍ୟ କଣ୍ଠଶିଳ୍ପୀଙ୍କ ମଧ୍ୟରୁ ୪ର୍ଥ ପର୍ଯ୍ୟାୟରେ ୨୪ ଜଣଙ୍କ ଏବଂ ବିଭିନ୍ନ ପର୍ଯ୍ୟାୟ କ୍ରମେ ଅନ୍ତିମ ପର୍ଯ୍ୟାୟରେ ଶ୍ରେଷ୍ଠ ୮ ଜଣଙ୍କୁ ଚୟନ କରାଯାଇଥିଲା । ୧ ଜାନୁୟାରୀ ୨୦୨୩ରେ ପ୍ରସାରିତ ଚୂଡାନ୍ତ ପର୍ଯ୍ୟାୟରେ ଅଜୟ ଅମର ବିଜେତା ଘୋଷିତ ହୋଇ ଏକ ନୂତନ କିର୍ତ୍ତିମାନ ସ୍ଥାପନ କରିଛନ୍ତି । ତାଙ୍କ ସହ କଣ୍ଠଶିଳ୍ପୀ ଆଠଗଡର ସୌଜନ୍ୟା ରଥ ମଧ୍ୟ ଦ୍ୱେତ ଭାବରେ ବିଜେତା ହୋଇଛନ୍ତି । ପୁରସ୍କାର ବାବଦକୁ ୪ ଲକ୍ଷ ଅର୍ଥରାଶି ଓ ୨୪ କ୍ୟାରେଟ (୧ଲକ୍ଷ ୧୦ ହଜାର) ର ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କରାଯାଇଛି । ଶ୍ରୀମାନ ଅଜୟ ଅମର ଶୈଶବ କାଳରୁ ନିଜ ପିତା ବିଶିଷ୍ଟ ସଙ୍ଗୀତଜ୍ଞ ଓ ଚିତ୍ର ଶିଳ୍ପୀ ତଥା ଚିତ୍ର ସଙ୍ଗୀତ ମହାବିଦ୍ୟାଳୟ “କଳାଧାମ”ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ସିଂହଦେଓଙ୍କଠାରୁ ଯନ୍ତ୍ର ସଙ୍ଗୀତ ଓ କଣ୍ଠ ସଙ୍ଗୀତର ବିଧିବଦ୍ଧ ଶିକ୍ଷାଲାଭ କରିବା ସହ ବେହେଲା (ଭାଓଲିନ) ବାଦନ ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସିସିଆରଟି, ନୂଆଦିଲ୍ଲୀରୁ ନ୍ୟାସ୍‌ନାଲ ସ୍କୋଲାରସିପ୍‌ ଏବଂ ଓଡିଶା ସରକାରଙ୍କ ଯୁବ ଉତ୍ସବ ୨୦୧୭ରେ ଗିଟାର ବାଦନରେ ପ୍ରଥମ ସ୍ଥାନାଧିକାର କରି ପୁରସ୍କୃତ ହୋଇଛନ୍ତି । ସେ ତାଙ୍କ ମାତା ନଳିନୀ ସିଂହଙ୍କ ପ୍ରେରଣା ଓ ବଳିଷ୍ଠ ତତ୍ୱାବଧାନ ଯୋଗୁ ଏତେ ବାଟ ଆଗକୁ ଯାଇପାରିଛନ୍ତି ବୋଲି କହନ୍ତି । ଅଜୟ ଅମର ବିଜେତା ଘୋଷିତ ହେବା ପରେ ବନ୍ଧୁ, ପରିବାର ତଥା ସମଗ୍ର ବଲାଙ୍ଗିର ଜିଲ୍ଲାରେ ଏକ ଖୁସିର ବାତାବରଣ ସୃଷ୍ଟି ହେବା ସହ ସମସ୍ତେ ତାଙ୍କୁ ବଧାଇ ଜଣାଇଛନ୍ତି ଏବଂ ନବବର୍ଷର ଶୁଭା ଆଶୀର୍ବାଦ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

error: Content is protected !!