ଚାନ୍ଦିଲି ପାହାଡ ମହୋତ୍ସବରେ ଯୋଗ ଦେଲେ ନରସିଂହ

  • ଭୀମପାହାଡ ସଦୃଶ ବିକଶିତ ହେବ ଚାନ୍ଦିଲି ପାହାଡ : ନରସିଂହ
  • ୭୨ ଏକର ପରିମିତ ଭୁଲିଆକଟାଁର ହେବ ବିକାଶ
  • ପାହାଡ ରାସ୍ତା ପାଇଁ ବିଧାୟକ ପାଣ୍ଠିରୁ ଦେଲେ ୧୦ଲକ୍ଷ ଅନୁଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାକୃତିକ ପରିବେଶ ଭରା ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଆମେ ତତ୍ପର ରହିବା ଦରକାର । ବଲାଙ୍ଗିରର ପୂର୍ବ ଦିଗରେ ଭୀମ ପାହାଡର ବିକାଶ ଦୃତ ବେଗରେ ଚାଲିଛି । ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ପ୍ରତ୍ୟେକ ଦିନ ଭୀମପାହାଡକୁ ନୌକାବିହାର ତଥା ମନୋରଂଜନ ପାଇଁ ଭିଡ ଜମାଉଛନ୍ତି । ଠିକ୍‌ ସେହିପରି ଦେଓଗାଁ ବ୍ଲକର ବଲାଙ୍ଗିରର ପଶ୍ଚିମ ଦିଗରେ ଥିବା ଦେଷଣ୍ଡ ପଂଚାୟତ ଅନ୍ତର୍ଗତ ଚାନ୍ଦିଲି ପାହାଡର ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳିଆ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳିରେ ପରିଣତ କରାଯିବ ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଚାନ୍ଦିଲି ମହୋତ୍ସବରେ ଯୋଗଦେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି । ମହୋତ୍ସବର ଚତୁର୍ଥ ଦିବସରେ ବିଧାୟକ ଶ୍ରୀ ମିଶ୍ର ଯୋଗଦେଇ ଏହା ମଧ୍ୟ କହିଛନ୍ତି ଯେ, ଏଠାକୁ ମୁଖ୍ୟ ରାସ୍ତାରୁ ପାହାଡ ପର୍ଯ୍ୟନ୍ତ ସୁନ୍ଦର ରାସ୍ତା କରାଯିବ । ଜଙ୍ଗଲ ଯେପରି ସୁରକ୍ଷିତ ରହିବ ତାର ବ୍ୟବସ୍ଥା କରାଯିବ । ପର୍ଯ୍ୟଟକ ଆସି ଏଠାରେ ଯେପରି ପୂର୍ଣ୍ଣ ସୁରକ୍ଷା ସହ ପରିବେଶର ମଜା ନେଇ ପାରିବେ ସେଥିପାଇଁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଆଗାମୀ ଦିନରେ ଏଠାରେ ଯାତ୍ରୀଙ୍କ ପାଇଁ ଶୌଚାଳୟ ପାହାଡ ଉପରକୁ ସୁଦୃଶ୍ୟ ପାହାଚ, ବିଜୁଳି, ବସିବାର ସ୍ଥାନ, ସୁନ୍ଦର ଆଲୋକିକରଣ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଉପସ୍ଥିତ ଥିବା ଆୟୋଜକ କମିଟି ଓ ଅଂଚଳବାସୀଙ୍କ ଦାବୀ ମୁତାବକ ପାହାଡ ଉପରକୁ ଏକ ସୁନ୍ଦର ବୁଲାଣିଆ ରାସ୍ତା ନିର୍ମାଣ ପାଇଁ ସେ ନିଜ ବିଧାୟକ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଅନୁଦାନ ରାଶି ଘୋଷଣା କରିଥିଲେ । ହଜାର ହଜାର ସଂଖ୍ୟାରେ ଏହି ଉତ୍ସବ ଦେଖିବା ପାଇଁ ଲୋକେ ଏଠାରେ ରୁଣ୍ଡ ହେଉଥିବାରୁ ଆଗାମୀ ଦିନରେ ଲୋକେ ଯେପରି ପିଇବା ପାଣି ସମେତ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ଆୟୋଜନ କମିଟିର ସଭାପତି ଦିନବନ୍ଧୁ ମେହେର, ଉପସଭାପତି ରବିନ୍ଦ୍ର କୁମାର ସାଏ, ସଂପାଦକ ଜୁଲୁ ଷଡଙ୍ଗୀ, କୋଷାଧ୍ୟକ୍ଷ ସ୍ୱୟଂବର ମେହେର, ଦେଷଣ୍ଡ ସରପଞ୍ଚ ଯଶୋଦା ମେହେର, ସମିତି ରୁତିକା ଧରୁଆ, ସାରସମାଲ ସରପଂଚ ଗୋପାଲ କୃଷ୍ଣ ବାଗ, ସିଂହାମୁଣ୍ଡା ସରପଞ୍ଚ ଜାହ୍ନବୀ ମହାରଣା, ରଘୁମଣି ରଣା, ଅସିତ ମିଶ୍ର, କୈଳାସ ମିଶ୍ର, କାନ୍ତେଶ୍ୱର ପ୍ରଧାନ, ରାମଜୀ ଚୌଧୁରୀ, ମୟ ପ୍ରଧାନୀଙ୍କ ସମେତ ଅନେକ ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!