pakka

ନିର୍ମାଣ ଶ୍ରମିକଙ୍କ ସମସ୍ୟା ନେଇ ଯୁଗ୍ମ ଶ୍ରମ କମିଶନର ଅଫିସ ସମ୍ମୁଖରେ ବିକ୍ଷୋଭ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଭିନ୍ନ ଦାବୀ ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ବ୍ରହ୍ମପୁର ଯୁଗ୍ମ ଶ୍ରମ କମିଶନର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ୧୧ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ପଞ୍ଜିକରଣ ପାଇଁ ଆବେଦନ କରିଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କୁ କାର୍ଡ ପ୍ରଦାନ, ସହାୟତା ପାଇଁ ଆବେଦନ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ସହାୟତା ରାଶି ଯୋଗାଇଦେବା, ବାର୍ଷିକ ଦେୟ ଗ୍ରହଣ କରିବା ପାଇଁ ବ୍ୟବସ୍ଥା କରିବା, ବକେୟା ବାର୍ଷିକ ଦେୟ ଗ୍ରହଣ ପାଇଁ ଅତି ଶୀଘ୍ର ଅଫିସର ଯୋଗାଇ ଦେବା ଆଦି ଦାବୀରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏଥିରେ ସିଆଇଟିୟୁ, ଏଆଇଟିୟୁସି, ଆଇଏନ୍‌ଟିୟୁସି ଓ ଏଚ୍‌ଏମ୍‌ଏସ୍‌ ଶ୍ରମିକ ସଂଗଠନର ବହୁ ନେତା ଓ ସଦସ୍ୟ ସାମିଲ ହୋଇ ବ୍ରହ୍ମପୁର ଯୁଗ୍ମ ଶ୍ରମ କମିଶନର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ବିଭିନ୍ନ ସଂଗଠନର ନେତୃବୃନ୍ଦ ରାଜ୍ୟ ସରକାରଙ୍କର କଲ୍ୟାଣ ବୋର୍ଡର କାର୍ଯ୍ୟରେ ହସ୍ତକ୍ଷେପ ଏବଂ ଅଫିସରମାନଙ୍କ ମନମୁଖୀ ନୀତିର ସମାଲୋଚନା କରିଥିଲେ । ଅନଲାଇନ୍ ନାଁରେ ଶ୍ରମିକମାନଙ୍କୁ ହଇରାଣ କରିବା ନୀତି ବନ୍ଦ କରିବା ପାଇଁ ସତର୍କ କରାଇଥିଲେ । ନଚେତ ଅଗାମୀ ଦିନରେ ରାଜ୍ୟର ସମସ୍ତ ଶ୍ରମ ଅଫିସକୁ ଅଚଳ କରାଯିବ ବୋଲି ଶ୍ରମିକ ନେତାମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ୧୧ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ, ଶ୍ରମମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଶ୍ରମ ସଚିବ ଓ ଶ୍ରମ କମିଶନରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରମିକ ନେତାମାନେ ଶ୍ରମ କମିଶନରଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଏନ୍‌ଟିୟୁସି ନେତା ପୀତବାସ ପଣ୍ଡା, ସିଆଇଟିୟୁ ନେତା ଯୁଧିଷ୍ଠିର ବେହେରା, ଏଆଇଟିୟୁସି ନେତା ଅଳକ ମିଶ୍ର, ଏଚ୍‌ଏମ୍‌ଏସ୍‌ ନେତା ସତ୍ୟ ତ୍ରିପାଠୀ ସମେତ ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଚିନ୍ମୟ କୁମାର ହୋତା, ସୁଚିତ୍ରା ଦାସ, ରୋହିତ କୁମାର ବିଶୋଇ, କିଶୋର ଶତପଥୀ ଓ ରବି ରଥ ସାମିଲ ହୋଇଥିଲେ ।

jay balangir
Leave A Reply

Your email address will not be published.

five × 1 =

error: Content is protected !!