- ବିନାୟକ କଲେଜ ଛାଡ଼ି ଘର ପାଖରେ ଥିବା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିବେ ବୋଲି କହିଛନ୍ତି ପୀଡ଼ିତା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍କୁଲ ପାଠପଢ଼ା ପରେ ଯେତେବେଳେ ଜଣେ କଲେଜରେ ପାଦ ଦିଏ, ତା’ ମନରେ ଅନେକ ସ୍ୱପ୍ନ ଥାଏ । ନୂଆ ପରିବେଶ ଭିତରେ କେମିତି ପାଠ ପଢ଼ିବ, ନିଜର ଉଜ୍ଜ୍ୱଳ ଭବିଷ୍ୟ ପାଇଁ କେମିତି ଆଗକୁ ବଢ଼ିବ, ଏ ନେଇ ଭୟ ବି ଥାଏ । କିନ୍ତୁ ଯେତେବେଳେ ଜଣେ ନବାଗତ ରାଗିଂ ଶିକାର ହୁଏ, ତା’ର ମନରେ ଯେଉଁ ପ୍ରଭାବ ପଡେ, ତାକୁ କେବଳ ସେ ହିଁ ବୟାନ କରିପାରିବ । ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ରାଗିଂ ଭିଡିଓ ସାମ୍ନାକୁ ଆସିବା ପରେ ପୁଣି ଥରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ପୀଡ଼ିତା ଛାତ୍ରୀ ମିଡ଼ିଆ ଆଗରେ କହିଛନ୍ତି, ସେଦିନର ପୂରା କାହାଣୀ ।
ସବୁଦିନ ଭଳି ସେଦିନ ବି କଲେଜକୁ ପାଠ ପଢିବାକୁ ଆସିଥିଲେ ପୀଡ଼ିତା । ସେ ଆଦୌ ଜାଣିନଥିଲେ, ତାଙ୍କ ସହ କ’ଣ ଘଟିବାକୁ ଯାଉଛି । କିଛି ବୁଝିବା ପୂର୍ବରୁ ତାଙ୍କୁ ଅଟକାଇ ରାଗିଂ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ପ୍ଲାଷ୍ଟିକ ପାଇପ୍ ଦେଖାଇ ତାଙ୍କ ନିର୍ଦ୍ଦେଶ ମାନିବାକୁ ଇଙ୍ଗିତ କରୁଥିଲେ । ଆଜି ପର୍ଯ୍ୟନ୍ତ ବି ସେଦିନ ଯାହା ହୋଇଥିଲା, ତାକୁ ଭୁଲି ପାରିନାହାନ୍ତି ପୀଡ଼ିତା । ତାଙ୍କ କଥାରୁ ବୁଝି ହେଉଛି, କେତେ ଭୟଭୀତ ହୋଇଯାଇଛନ୍ତି ସେ । ଏପର୍ଯ୍ୟନ୍ତ ସେ ବୁଝିପାରି ନାହାନ୍ତି, କାହିଁକି ତାଙ୍କୁ ଟାର୍ଗେଟ କରାଯାଇଥିଲା । ଯେଉଁ ମାନସିକ ଧକ୍କା ସେ ପାଇଛନ୍ତି, ତାହା କେବେ ଦୂର ହେବ, କହିବା ମୁସ୍କିଲ୍ । ଏବେ ତାଙ୍କ ମନରେ ପ୍ରଶ୍ନ, ଯେଉଁ ଅଭିଯୁକ୍ତ ଗିରଫ ହୋଇଛନ୍ତି, ସେମାନେ ବାହାରକୁ ଆସିଲେ, ତାଙ୍କୁ ଟାର୍ଗେଟ କରିବେ ନାହିଁ ତ ? ଏହି ଭୟ ତାଙ୍କୁ ଘାରିଥିବା ବେଳେ ସଂପୃକ୍ତ କଲେଜ ଛାଡ଼ି ଘର ପାଖରେ ଥିବା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିବେ ବୋଲି କହିଛନ୍ତି ପୀଡ଼ିତା । ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣାକୁ ଉଚ୍ଚଶିକ୍ଷା ବିଭାଗ ଗୁରୁତର ଭାବେ ନେଇଛି । ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ କଲେଜରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଛାତ୍ରଛାତ୍ରୀ ଓ କଲେଜ ଅଧ୍ୟକ୍ଷାଙ୍କ ସହ ମଧ୍ୟ ଏ ନେଇ ଆଲୋଚନା କରିଛନ୍ତି । ଏପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାୟକଙ୍କ ପାଇଁ ବଢ଼ିଛି ଅଡ଼ୁଆ । ପ୍ରଥମେ କଲେଜରୁ ବହିଷ୍କାର ପରେ ବିଜେଡି କ୍ୟାମ୍ପସ କମିଟିର କନଭେନର ପଦବୀରୁ ବି ନିଲମ୍ବନ ପାଇଁ ସୁପାରିଶ କରିଛି ବ୍ରହ୍ମପୁର ମହାନଗର ଛାତ୍ର ବିଜେଡି । ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ରାଗିଂରେ ସମ୍ପୃକ୍ତ ଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର ପାଇଁ ଟିସି ଦିଆଯାଇଛି । ଅନ୍ୟପଟେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ପୁଲିସ । ୨ ଜଣଙ୍କୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡକୁ ପଠାଯାଇଛି । ଯେଉଁମାନେ ରାଗିଂର ଭିଡିଓ ସୁଟିଂ କରୁଥିଲେ, ସେମାନଙ୍କୁ ଚିହ୍ନଟ କରି କଲେଜରୁ ବିଦା କରାଯିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷା । ଏପଟେ କିଛି ଅଭିଯୁକ୍ତଙ୍କ ଅଭିଭାବକ, ସେମାନଙ୍କ ପିଲା ନିର୍ଦ୍ଦୋଷ ବୋଲି ଯୁକ୍ତି ବାଢ଼ିଛନ୍ତି । ରାଗିଂ ସାମନାକୁ ଆସିବା ପରେ କଲେଜର ଅନ୍ୟ ଛାତ୍ରଛାତ୍ରୀମାନେ ଏହାକୁ ନିନ୍ଦା କରିଥିବା ବେଳେ ଆଶଙ୍କା ଭିତରେ ଅଛନ୍ତି ନବାଗତ ।