ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଫୋରମ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଛତ୍ରପୁରସ୍ଥ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ରାଳୟ ଘେରି ବିକ୍ଷୋଭ ପ୍ରଦର୍ଶନ କରିବା ସାଂଗକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଫୋରମ୍‌ କମିଟି ଭେଟିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶା ଡେଭ୍‌ଲପ୍‌ମେଣ୍ଟ ଫୋରମ୍‌ ପକ୍ଷରୁ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଛଅ ମାସ ମଧ୍ୟରେ କାମ ସାରିବାକୁ ଫୋରମ୍‌ ପକ୍ଷରୁ ଦୃଢ଼ ଦାବୀ କରିଛନ୍ତି । ଭୁବନେଶ୍ୱରରୁ ବ୍ରହ୍ମପୁରକୁ ଏବଂ ବ୍ରହ୍ମପୁରରୁ ବିଶାଖାପାଟ୍ଟନାମ, ଏପରିକି କୋଲକୋତା, ସୁରଟକୁ ଏଠାରୁ ବିମାନ ଯୋଗେ ଯୋଗାଯୋଗର ସୁବିଧା ହେଲେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଜୀବିକାର ଧାରା ଶୈଳୀରେ ଅନେକ ପରିବର୍ତ୍ତନ ଓ ମାର୍ଜିତ ଦିଗରେ ସହାୟକ ହୋଇପାରି ଥାନ୍ତା ।

ପ୍ରକାଶ ଥାଉକି, ବ୍ରହ୍ମପୁର ଠାରେ ଗ୍ରୀନ-ଫିଲଡ଼ ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଡେଭ୍‌ଲପ୍‌ମେଣ୍ଟ ଫୋରମ୍‌ର କାର୍ଯ୍ୟକର୍ତ୍ତା ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ୨୦୧୪ରେ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ବିମାନ ସଂଯୋଗର ପ୍ରଚେଷ୍ଟା ହୋଇ ସାରିଛି । ସେହି ସମୟରେ କିଛି ଦିନ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ବିମାନ ଚାଲିଥିଲା ଓ ତାହାକୁ ଏକତରଫା ଭାବେ ସରକାର ବନ୍ଦ କରିଦେଇ ଥିଲେ । ଏହାପରେ ଗତ ଚାରି ବର୍ଷ ତଳୁ ଆରସିଏସ-ଉଡାଣ ୪.୧ ଯୋଜନାରେ ବ୍ରହ୍ମପୁର (ରଙ୍ଗେଇଲୁଣ୍ଡା) ଏଇରଷ୍ଟ୍ରିପକୁ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦରରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କିନ୍ତୁ ରଙ୍ଗେଇଲୁଣ୍ଡାରେ ଜାଗାର ଅଭାବ ଯୋଗୁଁ ବ୍ରହ୍ମପୁର ସହର ବାହାରେ ଏକ ବଡ ଜାଗାରେ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ଡେଭ୍‌ଲପ୍‌ମେଣ୍ଟ ଫୋରମ୍‌ ଅନୁରୋଧ କରିଥିଲା ଓ ବିକଳ୍ପ ଜାଗା ଥିବାର ସୂଚନା ଦେଇଥିଲା ।

କେନ୍ଦ୍ର ସରକାରଙ୍କ ସହମତି ଥିବା ସତ୍ୱେ ରାଜ୍ୟ ସରକାର ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଶୀତଳାପଲ୍ଲୀ ଠାରେ ନିର୍ଦ୍ଧାରୀତ ହୋଇଥିବା ଜମିକୁ ନା ଯୋଗାଇ ଦେଲେ ନା ଅନ୍ୟ କୌଣସି ପଦକ୍ଷପ ଗ୍ରହଣ କଲେ । ଓଡ଼ିଶା ଡେଭ୍‌ଲପ୍‌ମେଣ୍ଟ ଫୋରମ୍‌ର ପ୍ରଚେଷ୍ଟା ପରେ ଜୟପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ହେଲା ଅଥଚ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ପ୍ରତି ସରକାରଙ୍କ ବୈମାତୃକ ମନୋଭାବରେ କିଛି ପରିବର୍ତ୍ତନ ଆସିଲା ନାହିଁ । ତେଣୁ ରାଜ୍ୟ ସରକାରଙ୍କ ଏହି ବୈମାତୃକ ମନୋଭାବ ବିରୋଧରେ ଓଡ଼ିଶା ଡେଭ୍‌ଲପ୍‌ମେଣ୍ଟ ଫୋରମ୍‌ ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ୩୨ଟି ଅନ୍ୟ ସଂଗଠନ ଗତ ପାଞ୍ଚ ବର୍ଷ ହେଲା ତୀବ୍ର ସ୍ୱର ଉତ୍ତୋଳନ କରି ଆନ୍ଦୋଳନ କରି ଆସୁଛନ୍ତି ।

ରାଜ୍ୟ ସରକାର ବ୍ରହ୍ମପୁର ବିମାନ ବନ୍ଦର ନାଁରେ ବାରମ୍ବାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ମତ ପ୍ରକାଶ ପାଇଛି । ଭୁବନେଶ୍ୱର ଠାରୁ ୫୦ କିମି ଦୂରରେ ପୁରୀ ଓ କୋଣାର୍କରେ ଦୁଇଟି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର, ଝାରସୁଗୁଡା ବିମାନବନ୍ଦର ଠାରୁ ୯୮ କିମି ଦୂରରେ ଥିବା ରାଉରକେଲା ଓ ୫୦ କିମି ଦୂରରେ ଥିବା ହୀରାକୁଦ ଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଏହାଛଡା ଉତ୍କେଳା, ମାଲକାନଗିରି, ବାରିପଦା ପ୍ରଭୃତି ଅନେକ ଛୋଟ ସହରରେ ନୂଆଁ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଅଣ୍ଟା ଭିଡ଼ିଥିବା ବେଳେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରକୁ ବାରମ୍ବାର ଉପେକ୍ଷା କରାଯାଉଛି । ଗଞ୍ଜାମ ଜିଲ୍ଲାର ପ୍ରାୟ ୧୫ରୁ ୨୦ ଲକ୍ଷ ପ୍ରବାସୀ ଦେଶ ଓ ଦେଶ ବାହାରେ ରହୁଥିବା ଓ ସେମାନଙ୍କ ପାଇଁ ଏକ ବିମାନ ବନ୍ଦରର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପ୍ରକ୍ରିୟାକୁ ବିଳମ୍ବିତ କରାଯାଉଛି ବୋଲି ଅଭିଯୋଗ ହୋଇଛି ।

ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନ, ଉତ୍ତମ ସ୍ୱାସ୍ଥ୍ୟ ସେବା, ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି, ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି, ଯୁବକ ଯୁବତୀମାନଙ୍କୁ ରୋଜଗାର ଏଭଳି ବିବିଧ କ୍ଷେତ୍ରରେ ବିକାଶ ହୋଇପାରିବ ଓ ଦକ୍ଷିଣ ଓଡ଼ିଶାର ବିକାଶ ତୀବ୍ରତର ହେବ, ତେଣୁ ଫୋରମ୍‌ର କାର୍ଯ୍ୟକର୍ତ୍ତାଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ବ୍ରହ୍ମପୁର (ରଙ୍ଗେଇଲୁଣ୍ଡା) ଏଇରଷ୍ଟ୍ରିପକୁ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦରରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହି କାମ ବି ମନ୍ଥର ଗତିରେ ଚାଲିଥିବାରୁ ବ୍ରହ୍ମପୁର ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାରଙ୍କ କ’ଣ ଯୋଜନା ରହିଥିବା କାର୍ଯ୍ୟକର୍ତ୍ତାଙ୍କ ପ୍ରଶ୍ନର ଉତ୍ତରରେ ଆସନ୍ତା ଛଅ ମାସରେ ବ୍ରହ୍ମପୁର (ରଙ୍ଗେଇଲୁଣ୍ଡା) ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କାମ ସାରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । କିନ୍ତୁ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବର୍ତ୍ତମାନ ସୁଦ୍ଧା ବଡ ଜାଗା ନିର୍ଣ୍ଣୟ ହୋଇ ପାରିନଥିବାର ସୂଚନା ଦେଇଥିଲେ । ଏହି ଅବସରରେ ଫୋରମ୍‌ର ସଚିବ ଭି.ସୋମେଶ୍ୱର ରାଓ, ପ୍ରିତୀଷ ପାଣିଗ୍ରାହୀ, ସହସଚିବ ମାନସ ରଞ୍ଜନ ପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ବାଳକୃଷ୍ଣ ସାମନ୍ତରାୟ, କୃଷ୍ଣ ଚନ୍ଦ୍ର ସାହୁ, ରମେଶଚନ୍ଦ୍ର ସାହୁ, ସନ୍ତୋଷ କୁମାର ସାହୁ, (କେଏସପିଜି ଇଣ୍ଡିଆ)ର ସରିତା ପଣ୍ଡା, ସମାଜସେବୀ ବିନୋଦ ସାବତ, ଜେ.ଦୀନେଶ, ପ୍ରକାଶ ଭଜାନୀ, ଗୌରୀ ଶଙ୍କର ମହାନ୍ତି, ଅରୁଣ କୁମାର ସାହୁ, ଜ୍ୟୋତି ଦର୍ଶନ ସାହୁ, ଭୀମସେନ ବେହେରା, ପି. ଭେଙ୍କଟ ରମଣଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ । ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ନିମନ୍ତେ ଜରୁରୀ ପଦକ୍ଷେପ କାର୍ଯ୍ୟକାରୀ ନ ହେଲେ ସମଗ୍ର ଗଞ୍ଜାମ ଜିଲ୍ଲାବାସୀ ଜନ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.