ବ୍ରହ୍ମପୁର ମେଡିକାଲ କମ୍ପାସ ସ୍କୁଲ ପରିସରରେ ଦୁଇ ଜଣ ପୂର୍ବତନ କୃତି ଛାତ୍ରଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଭୌଗଳିକ ସୂଚନା କଂଗ୍ରେସରେ ‘ଚିଲିକା ଦା ପ୍ରୋଭାଇଡ଼ର’ ଚିଲିକା ଉପକୂଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ବୃତ୍ତିକୁ ନେଇ ଜିଓ ଟ୍ୟାଗିଙ୍ଗ ତଥା ସେମାନଙ୍କ ବୃତ୍ତିଗତ ଉନ୍ନତି ସମ୍ପର୍କିତ ସର୍ବେକ୍ଷଣ ରିପୋର୍ଟ ପାଇଁ, ବ୍ରହ୍ମପୁରର ମେଡିକାଲ କମ୍ପାସ ହାଇସ୍କୁଲ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଏହି ସନ୍ଦର୍ଭ କରିଥିବା ଦୁଇ ଜଣ ଛାତ୍ର ନିଗମ କୁମାର ଦାସ, ନବମ ଶ୍ରେଣୀ ମେଡିକାଲ ସ୍କୁଲ ଓ ଦ୍ୱାଦଶ ଶ୍ରେଣୀ ଛାତ୍ର ଆଦିତ୍ୟ ରଥ, କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁରକୁ ଶୁକ୍ରବାର ମେଡିକାଲ କମ୍ପାସ ସ୍କୁଲ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍କୁଲର ପୁରାତନ ଛାତ୍ର ତଥା ସ୍ୱେଚ୍ଛାସେବୀ ଓ ଆଇନଜୀବୀ ପ୍ରଣବ କୁମାର ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାତୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଓ କଳା ଅନୁଷ୍ଠାନ କଳାଞ୍ଜଳି ଆର୍ଟ୍ରିଷ୍ଟ୍ରି ଟ୍ରଷ୍ଟର ପ୍ରତିଷ୍ଠାତା ରାମେଶ୍ୱରୀ ନନ୍ଦ ଅଧ୍ୟକ୍ଷା ଓ ଦୁଇ ଜଣ ଛାତ୍ରଙ୍କୁ ଉପଢୌକନ ଏବଂ ମୋମେଣ୍ଟୋ ପ୍ରଦାନ କରିଥିଲେ । ମେଡିକାଲ ହେଲ୍ପ କ୍ୟାର ଗ୍ରୁପର ସମ୍ପାଦିକା ସନ୍ତୋଷୀ ବେହେରା ନିଜ ଅନୁଷ୍ଠାନର ସିଲ ପ୍ରଦାନ କରିଥିଲେ । ସମାଜସେବୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ପାଢୀ ବ୍ୟାଗ୍‌ ଓ ପେନ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ପୁରାତନ ଛାତ୍ର ଡାକ୍ତର ବିଷ୍ଣୁ ପ୍ରସାଦ ଷଡ଼ଙ୍ଗୀ, ପ୍ରଶାନ୍ତ କୁମାର ମହାରଣା, ଅନିଲ ଶତପଥୀ, ଗଗନ ବିହାରୀ ନାୟକ ଓ ବରିଷ୍ଠ ସମାଜସେବୀ ରାମଚନ୍ଦ୍ର ପଣ୍ଡା ପିଲାମାନଙ୍କୁ ଶୃଙ୍ଖଳିତ ହୋଇ ପାଠପଢି ଆଗକୁ ବଢିବାକୁ ନିବେଦନ କରିବା ସହ ପିଲାମାନେ ଅଧିକ ଗବେଷଣାଭିତ୍ତିକ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥିଲେ । ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସ୍କୁଲର ସଂସ୍କୃତ ଶିକ୍ଷକ ନିତ୍ୟାନନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.