ବଲାଙ୍ଗିର, (କେପିଏନ୍ଏସ୍) : ଦୀର୍ଘ ଦିନ ହେବ ଫାଇନାନ୍ସ ଗୃପର ମ୍ୟାନେଜର ପରିଚୟ ଦେଇ ଶତାଧିକ ଗରିବ ମହିଳାଙ୍କ ଜମା ଖାତାରୁ ଲକ୍ଷାଧିକ ଟଙ୍କା ନେଇ ଫେରାର ମାରିଥିବା ଯୁବକଙ୍କୁ ମେଲଛାମୁଣ୍ଡା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅଧୀନସ୍ଥ କଛାରପାଲି ଗ୍ରାମର ବେଦବର ସାହୁଙ୍କ ପୁଅ ତଥା ବଲାଙ୍ଗିର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ଭୋଳାନାଥ ସାହୁ(୩୮) ବୋଲି ଜଣାପଡିଛି । ମେଲଛାମୁଣ୍ଡା ଥାନା ଅଧିକାରୀ ମାନସ ଭୋଇ ମାମଲାର ତଦନ୍ତ କରୁଛନ୍ତି । ସୂଚନା ଯୋଗ୍ୟ ଯେ, ଭୋଳାନାଥ ସାହୁ ନିଜକୁ ଜଣେ ଫାଇନାନ୍ସ ଗୃପର ମ୍ୟାନେଜର ପରିଚୟ ଦେଇ ବିଭିନ୍ନ ଗ୍ରାମରେ ମହିଳା ଗୃପ ଗଠନ କରୁଥିଲେ । ମହିଳାମାନଙ୍କ ଏକାଉଣ୍ଟ ଖୋଲିବା ଆଳରେ ଫିଙ୍ଗର ପ୍ରିଣ୍ଟ ନେଇ ଟଙ୍କା ଦେବା ବଦଳରେ ସେମାନଙ୍କ ଜମା ଖାତାରେ ଥିବା ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ଭୋଳାନାଥ ବଲାଙ୍ଗିର, ପାଟଣାଗଡ, ବରଗଡ ଜିଲ୍ଲାର ଶତାଧିକ ମହିଳାଙ୍କ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଟାଲ ଗାଁରେ ଗୃପ ଗଠନ କରୁଥିବା ଜାଣିପାରି ମେଲଛାମୁଣ୍ଡା ପୁଲିସ ଭୋଳାନାଥଙ୍କୁ କାବୁ କରି ଥାନାକୁ ଆଣିଥିଲା । ଖବର ପାଇ ଶତାଧିକ ମହିଳା ଟଙ୍କା ଅସୁଲି ପାଇଁ ପୁଲିସକୁ ଅନୁରୋଧ କରିଥିଲେ । ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତଙ୍କୁ ତରବରିଆ ଭାବେ କୋର୍ଟ ଚାଲାଣ କରିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମାମଲାର ତଦନ୍ତ ପୂର୍ବକ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଟଙ୍କା ଫେରାଇବାକୁ ଦାବୀ ହେଉଛି ।