lika

ଭୀମଭୋଇ ଭେଷଜ ମହାବିଦ୍ୟାଳୟରେ ନିରନ୍ତର ଭେଷଜ ଶିକ୍ଷା କାର୍ଯ୍ୟକ୍ରମ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ଭେଷଜ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ “ଭାରତୀୟ ରିଉମାଟୋଲୋଜି (ଗଣ୍ଠି ବାତ) ସଂଘ”ର ଓଡ଼ିଶା ଶାଖା ଆନୁକୂଲ୍ୟରେ ଏକ ନିରନ୍ତର ଭେଷଜ ଶିକ୍ଷା (ସିଏମ୍‌ଇ) ଅନୁଷ୍ଠିତ ହୋଇଯାଇଛି । ସଂଘର ରାଜ୍ୟ ସଭାପତି ତଥା ବରିଷ୍ଠ ଭେଷଜ ବିଶେଷଜ୍ଞ ଡା ବିଜୟ ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଭୀମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ମୁଖ୍ୟ ଅତିଥି ଓ ସ୍ଥାନୀୟ ଅଧ୍ୟକ୍ଷ ପ୍ରଫେସର ସବିତା ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଭେଷଜ ବିଭାଗୀୟ ମୁଖ୍ୟ ପ୍ରଫେସର ମନୋରଞ୍ଜନ ବେହେରା ଏବଂ କାର୍ଯ୍ୟକ୍ରମର ପରିଚାଳନା ସଂପାଦିକା ସହ ପ୍ରଧ୍ୟାପିକା ଡା ସରିତା ବେହେରା ଏହାକୁ ସୁସଂଚାଳନା କରିଥିଲେ । ଭୀମଭୋଇ ଭେଷଜ ମହାବିଦ୍ୟାଳୟର ଏତାଦୃଶ ସର୍ବପ୍ରଥମ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ତିନିଶତ ବିଶେଷଜ୍ଞ ଓ ଛାତ୍ରଛାତ୍ରୀ ଯୋଗଦାନ କରି ଏହାର ଉଦ୍ଦେଶ୍ୟ ସଫଳ କରିଥିଲେ । ଏ ବିଭାଗ ତଥା ସଂଘର ଆଦ୍ୟ ପୁରୋଧା, କିମ୍ବଦନ୍ତୀ ଚିକିତ୍ସକ ପ୍ରଫେସର ବିଦ୍ୟୁତ ଦାସଙ୍କ ଚିରାଚରିତ ସରଳ ସାବଲୀଳ କିନ୍ତୁ ସାରଗର୍ଭକ ଆଲୋଚନା ଅନେକ ନୂତନ ତଥ୍ୟ ସମ୍ବଳିତ ଉଚ୍ଚକୋଟୀର ହୋଇ ସଭ୍ୟମାନଙ୍କ ଦ୍ଵାରା ଆଦୃତ ହୋଇଥିଲା । ଗଣ୍ଠି ଜନିତ ଭିନ୍ନ ଭିନ୍ନ ସମସ୍ୟା ଉପରେ ନୂତନ ତଥ୍ୟ ସମ୍ବଳିତ ଶିକ୍ଷଣୀୟ ଆଲୋଚନା କରିଥିଲେ ଭୁବନେଶ୍ୱରର ଡା ଜ୍ୟୋତି ରଞ୍ଜନ ପରିଡ଼ା, ଡା ପ୍ରଶାନ୍ତ ପ୍ରଧାନ, ଡା ପ୍ରଦୀପ୍ତ ପାତ୍ର, ଡା ରଶ୍ମୀ ରଞ୍ଜନ ବେହେରା, ଡା ଦେବାଶିଷ ମେକାପ ଏବଂ ଏସ୍‌ସିବି ଭେଷଜ ମହାବିଦ୍ୟାଳୟର ଡା ସରିତା ପଟ୍ଟନାୟକ ଓ ଡା ମନୋଜ ପ୍ରଧାନ । ଏମନ୍ତ ପ୍ରଥମ କାର୍ଯ୍ୟକ୍ରମର ସଫଳତାରେ ପରିଚାଳନା ସଂପାଦିକା ଡା ସରିତା ବେହେରା ଆନନ୍ଦ ପ୍ରକାଶ କରିଛନ୍ତି ଓ ସହଭାଗୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

sandip
Leave A Reply

Your email address will not be published.