ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ସଂଚୟ ରଥ ଶୁଭାରମ୍ଭ ହୋଇଯାଇଛି । ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଓ ଜିଲ୍ଲାମୁଖ୍ୟ ଡାକପାଳ ରାଜେନ୍ଦ୍ର କୁମାର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ସ୍ୱଳ୍ପ ସଂଚୟ ସଂପର୍କରେ ପ୍ରସ୍ତୁତ ପ୍ରଚାର ପତ୍ରକୁ ଉନ୍ମୋଚନ କରିଥିଲେ । ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିଜୟ କୁମାର ଶତପଥିଙ୍କ ନେତୃତ୍ୱରେ ବିଭାଗର କର୍ମଚାରୀ, ଡାକ ବିଭାଗର କର୍ମଚାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମାନେ ସ୍ୱଳ୍ପ ସଂଚୟର ଉପକାରିତା ଉପରେ ବିଭିନ୍ନ ପ୍ଲାକାର୍ଡ଼ ଧରି ସହରର ବିଭିନ୍ନ ଅଂଚଳ ପରିକ୍ରମା କରିଥିଲେ । ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଗସ୍ତ କରି ଜନସାଧରଣଙ୍କୁ ସଚେତନତା ବାର୍ତ୍ତା ଦେବାର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ଶତପଥି ସୂଚନା ଦେଇଛନ୍ତି । ଠିକ୍ ସେହିପରି ଟିଟିଲାଗଡ଼ ଉପଖଣ୍ଡରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ପାଟଣାଗଡ ଉପଖଣ୍ଡରେ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠି ଓ କଣ୍ଟାବାଞ୍ଜିରେ ତହସିଲଦାର ସେ ଅଞ୍ଚଳ ଗ୍ରାମୀଣ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସେଠାରେ ମଧ୍ୟ ସଂଚୟ ରଥକୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ।