ଜିଲ୍ଲାସ୍ତରୀୟ ଯୁବ ଉତ୍ସବ-ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏହି ମାଟିର କଳା, ସଂସ୍କୃତି, ପରମ୍ପରା ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି । ଏଠାକାର ଯୁବପିଢିଙ୍କ ସ୍ୱତନ୍ତ୍ରତା ରହିଛି । କେବଳ ଜିଲ୍ଲା କି ରାଜ୍ୟ ନୁହେଁ ଦେଶ ବିଦେଶରେ ପରିଚିତ । କିନ୍ତୁ ବର୍ତ୍ତମାନ ନୂତନ ଯୁବପିଢିଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ଭୁଲ ବାଟରେ ଯାଉଛନ୍ତି । ତେଣୁ ଭୁଲ ରାସ୍ତାରେ ଯିବା ପୂର୍ବରୁ ଭୁଲ ଠିକ ବିଚାର କରିବାର ଆବଶ୍ୟକତା ରହିଛି । ଯୁବପିଢି ଚାହିଁଲେ ଦେଶ ପରିବର୍ତ୍ତନ ହୋଇପାରିବ ବୋଲି ସ୍ଥାନୀୟ ସଦେଇପାଲି ସ୍ଥିତ ସାଇଟ୍‌ ଶିକ୍ଷାନୁଷ୍ଠାନରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ-ଯୁବ ସମ୍ବାଦ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି ।
ନେହେରୁ ଯୁବ କେନ୍ଦ୍ର, ଜିଲ୍ଲା ପ୍ରଶାସନ ଓ ରାମଜୀ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ସାଇଟ୍‌ ଶିକ୍ଷାନୁଷ୍ଠାନ ପରିସରରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଚଞ୍ଚଳ ରାଣା, ମୁଖ୍ୟବକ୍ତା ଭାବେ କେଭି କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ସମ୍ମାନିତ ଅତିଥି ଭାବେ ରସରାଜ ଅଚ୍ୟୁତ ପୁରୋହିତ, ରାମଜୀ ଯୁବକ ସଂଘର ସମ୍ପାଦକ ନାରାୟଣ ମିଶ୍ର, ଜିଲ୍ଲା ଯୁବ ଅଧିକାରୀ ଏଭି ନରସିଂମା କୁମାର ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ସଭାକୁ ଅଶୋକ ମେହେର ପରିଚାଳନା କରିଥିଲେ । ଯୁବ ଉତ୍ସବ-ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବିଭିନ୍ନ ଯୁବକ ଯୁବତୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଭାଷଣରେ ପ୍ରଜକ୍ତା ପି ଦେବୀ, ନିକି ଶର୍ମା ଓ ଶୀତଳ ବନଛୋର ଓ ଯୁବ ସମ୍ମେଳନରେ ପଲ୍ଲବୀ ପ୍ରିୟଦର୍ଶନୀ ମେହେର, ଏମଡି ମୋହସିନ ଖାନ, ଅନମୋଲ ପାରିକ ଓ ଆୟୁଷ ଗୋହିଲ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି କବିତା ପାଠରେ ଗ୍ରେସୀ ଲୁଗରେନ, ସୁପ୍ରଦା ତ୍ରିପାଠୀ, ଇସିକା ଶର୍ମା, ଚିତ୍ରାଙ୍କନରେ ପୁରୁଷୋତ୍ତମ ବିଶି, ତପନ ସାହୁ, ରାକେଶ ସାଏ ଓ ଫଟୋଗ୍ରାଫିରେ ଦିବ୍ୟ ରଂଜନ ବଗାର, ରଂଜନ ମେହେର ଓ ସାୱନ ଡ଼ାଙ୍ଗି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଦଳଗତ ନୃତ୍ୟ ପ୍ରତିଯୋଗିତାରେ ବଲାଙ୍ଗିରର କୋଶଲ ଫୋକ ଏକାଡେମୀ ପ୍ରଥମ ହୋଇଥିବା ବେଳେ କଣ୍ଟାବାଞ୍ଜିର ସୃଜନ ସଙ୍ଗୀତ ଓ ପରୁଆଭାଡିର ମା’ସମଲେଶ୍ୱରୀ ଝୁମେର ପାର୍ଟି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ଏପିଏ ବିପିନ ବିହାରୀ ଜେନା ସଂଯୋଜନା କରିଥିଲେ । ଏହି କୃତି ପ୍ରତିଯୋଗିମାନେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ଜଣାପଡ଼ିଛି । ଏହି ପ୍ରତିଯୋଗିତା ଗୁଡ଼ିକରେ ବିଚାରକ ଭାବେ ରସରାଜ ଅଚ୍ୟୁତ ପୁରୋହିତ, ରାଜୀବ ଲୋଚନ ଆଚାର୍ଯ୍ୟ, ବାସୁଦେବ ମେହେର, ଦିଲୀପ ସିଂହଦେଓ, ପ୍ରଫେସର ରାମଶରଣ ହୋତା, ଅଶୋକ ମେହେର, ଅଧ୍ୟାପକ ସନ୍ଦୀପ କୁଅଁର, ଗୋପାଳ ପ୍ରଧାନ, ବିଭୁ କଲ୍ୟାଣ ଗଡ଼ତ୍ୟା, ସତ୍ୟବାଦୀ ନାଏକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଲିଆ ସିଂ ବସ୍ତିଆ, କୃପାସିନ୍ଧୁ ସା, ସଂଜୟ ସେଠଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ଜାତୀୟ ସ୍ୱେଚ୍ଛାସେବୀମାନେ ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ନରସିଂମା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.