ଗାନ୍ଧୀ ଜୟନ୍ତୀ ଅବସରରେ କିରେନ ରିଜିଜୁ ଓ ଅନୁରାଗ ସିଂ ଠାକୁର ଆରମ୍ଭ କଲେ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୩.ଠ

ନୂଆଦିଲ୍ଲୀ (ପିଆଇବି) : ଗାନ୍ଧୀ ଜୟନ୍ତୀ ଅବସରରେ ଗତକାଲି ନୂଆଦିଲ୍ଲୀ ଠାରେ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ ଠାରେ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୩.ଠ ଆରମ୍ଭ ହୋଇଛି । ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ହେଉଥିବା ବୃହତ୍ତମ କାର୍ଯ୍ୟକ୍ରମ କୋଭିଡ-୧୯ ବୈଶ୍ୱିକ ମହାମାରୀ ସବୁଠାରୁ ଭୟଙ୍କର ଅବସ୍ଥାରେ ଥିବାବେଳେ, ୨ଠ୨ଠ ମସିହାରେ ଆରମ୍ଭ କରାଯାଇଥିଲା । ଫିଟ୍ ଇଣ୍ଡିଆର ତୃତୀୟ ସଂସ୍କରଣ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂ ଠାକୁର ମିଳିତ ଭାବେ ଆରମ୍ଭ କରିଛନ୍ତି । ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନର ତୃତୀୟ ସଂସ୍କରଣ ଆଜି ଆରମ୍ଭ ହୋଇଥିବା ବେଳେ ଏହା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏଥିରେ ଭାରତର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡ ହର୍ଷବର୍ଦ୍ଧନ, କ୍ରୀଡ଼ା ସଚିବ ଶ୍ରୀମତୀ ସୁଜାତା ଚକ୍ରବର୍ତ୍ତୀ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ମହାନିର୍ଦେଶକ ସନ୍ଦୀପ ପ୍ରଧାନ, ଫିଟ୍ ଇଣ୍ଡିଆ ରାଷ୍ଟ୍ରଦୂତ ରିପୁ ଜମନ ବେଭିଲ ଓ କ୍ରୀଡ଼ା ମନ୍ତ୍ରଣାଳୟ ଓ ସାଇର ଅନ୍ୟାନ୍ୟ କର୍ମକର୍ତ୍ତା ସମେତ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଦୋହରାଇ କିରେନ ରିଜିଜୁ କହିଥିଲେ ଯେ, “ଯେତେବେଳେ ନରେନ୍ଦ୍ର ମୋଦୀ ଫିଟ୍ ଇଣ୍ଡିଆ ଆଂଦୋଳନ ଆରମ୍ଭ କରିଥିଲେ ଏବଂ ସମଗ୍ର ଦେଶକୁ ଫିଟ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ବର୍ଷ କେଇଟା ମଧ୍ୟରେ ଏହି ଆଂଦୋଳନ ବିରାଟ ସଫଳତା ହାସଲ କରିଛି । ଆଜି ପ୍ରତ୍ୟେକ ଫିଟ୍ ଇଣ୍ଡିଆ ଆଂଦୋଳନରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରୁଥିବା ବେଳେ ପ୍ରତିଦିନ ଫିଟ୍ ଇଣ୍ଡିଆ ମୋବାଇଲ ଆପ୍ ଡାଉନଲୋଡ କରିବା ପାଇଁ ମଧ୍ୟ ଉତ୍ସାହ ବୃଦ୍ଧି ପରିଲକ୍ଷିତ ହେଉଛି ।”
ଏକାଭଳିଆ ମତ ପୋଷଣ କରି ଅନୁରାଗ ସିଂ ଠାକୁର କହିଥିଲେ ଯେ, “ଆଜାଦୀ କା ଅମୃତ ମହୋତ୍ସବ ଠାରୁ ଆରମ୍ଭ କରି ଅମୃତ କାଳ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପୂରଣ କରି ଭାରତକୁ ଏକ ନୂତନ ଶିଖରେ ପହଂଚାଇବାକୁ ଆମର ଫିଟନେସ ସ୍ତରକୁ ନୂତନ ଶିଖରକୁ ପହଂଚାଇବାକୁ ପଡ଼ିବ ।”
ଚଳିତ ସଂସ୍କରଣରେ ରେକର୍ଡ ସଂଖ୍ୟକ ଅଂଶଗ୍ରହଣକାରୀ ଭାଗ ନେଇଥିବା ବିଷୟରେ ସୂଚନା ଦେଇ ଶ୍ରୀ ଠାକୁର କହିଥିଲେ ଯେ, “ଗାନ୍ଧୀ ଜୟନ୍ତୀରେ ଏହି ସଂସ୍କରଣ ଆରମ୍ଭ କରି ଏକତା ଦିବସ ଦିନ ଏହାକୁ ଉଦଯାପନ କରିବା ଭଳି ଭଲ ଦିନ ଆଉ ଆସିନଥାନ୍ତା । ଉଦଯାପନୀ ସମାରୋହ ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହେଉଛି । ଗତବର୍ଷ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୯ କୋଟି ୩ଠ ଲକ୍ଷ ହୋଇଥିବା ବେଳେ ଆମେ ଫିଟ୍ ଫ୍ରିଡମ୍ ରନ୍ ୩.ଠକୁ ଅଧିକ ଶକ୍ତି ଦେଇ ଏହାର ଅଂଶଗ୍ରହଣ ସଂଖ୍ୟା ଦ୍ୱିଗୁଣିତ କରିବା ନେଇ ଲକ୍ଷ୍ୟ ରଖିଛୁ ।”
ଗତ ଦୁଇବର୍ଷ ଧରି ଫିଟ ଇଣ୍ଡିଆ ଫ୍ରିଡମ ରନରେ ସଶସ୍ତ୍ର ସେନାରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେବା ଲକ୍ଷ୍ୟ କରାଯାଇଛି । ସେମାନଙ୍କ ମଧ୍ୟରେ ସୀମା ସୁରକ୍ଷା ବଳ (ବିଏସଏଫ), ଭାରତ – ତିବତ ସୀମା ପୁଲିସ (ଆଇଟିବିପି), କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ), ଭାରତୀୟ ରେଳବାଇ, ସିବିଏସଇ ଓ ଆଇସିଏସଇ ବିଦ୍ୟାଳୟ, ଯୁବ ବ୍ୟାପାର ମନ୍ତ୍ରଣାଳୟର ଯୁବ ଶାଖା ନେହେରୁ ଯୁବ କେନ୍ଦ୍ର ସଂଗଠନ (ଏନୱାଇକେଏସ) ଓ ଜାତୀୟ ସେବା ଯୋଜନା (ଏନଏସଏସ) ସଦସ୍ୟମାନେ ଅଛନ୍ତି ।

Leave A Reply

Your email address will not be published.