jayashree

ବଲାଙ୍ଗିର ଜିଲ୍ଲାରେ ଆସନ୍ନ ମରୁଡ଼ିର ପଦଧ୍ୱନୀ : ପଡ଼ିରହିଛି ପଲ୍‌ହା ରୁଆ, ବିହିଡ଼ା, ମୁଣ୍ଡରେ ହାତ ଦେଲେଣି ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆସନ୍ନ ମରୁଡ଼ିର ପଦଧ୍ୱନୀ ବେଶ୍‌ ସ୍ପଷ୍ଟ ହେବାକୁ ଲାଗିଛି ଚଳିତ ବର୍ଷ । ପଡ଼ିରହିଛି ପଲ୍‌ହା ରୁଆ, ବିହିଡ଼ା ଆଉ ବାକି ଚାଷ କାମ । ଧାରା ଶ୍ରାବଣରେ ଟାଏଁ ଟାଏଁ ଖରା ଲାଗି ରହିଥିବା ବେଳେ କାଁ ଭାଁ କେତେବେଳେ କେମିତି ପାଣି ଛିଂଚିବା ଭଳି ବର୍ଷା ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ଏପରିକି ଏପର୍ଯ୍ୟନ୍ତ ମାଟି ସଂପୂର୍ଣ୍ଣ ଭାବେ ପାଣି ଖାଇ ସାରିନାହିଁ ଚଳିତ ବର୍ଷ । ମୁଣ୍ଡରେ ହାତ ଦେଲେଣି ଚାଷୀ । ବାରମ୍ବାର ମରୁଡ଼ିର ନୃଶଂସ ପ୍ରହାରରେ ବଲାଙ୍ଗିର ଜିଲ୍ଲାର ଚାଷୀମାନଙ୍କ ଅବସ୍ଥା ବେହାଲ୍‌ ହୋଇ ସାରିଥିବା ବେଳେ ଚଳିତ ବର୍ଷର ଏଭଳି ବର୍ଷା ସ୍ଥିତିରେ ଚାଷୀ ଭାଲେଣିରେ ପଡ଼ିଲେଣି । ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ ମୁରିବାହାଲ, ଲୋଇସିଂହା ଓ ତୁରେକେଲା ବ୍ଲକ୍‌ରେ ସ୍ଥିତି ବିଶେଷ ଖରାପ ରହିଥିବା କୁହାଯାଉଛି । ଅନ୍ୟପଟେ ସାରା ଜିଲ୍ଲାରେ ଆବଶ୍ୟକତା ଠାରୁ କମ୍‌ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପଲ୍‌ହା ଶୁଖି ସାରିଥିବା ବେଳେ ମାଟି ଫାଟି ଆଁ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପୁଣି ଖର୍‌ଡ଼ି ଚାଷ ହୋଇଥିବା କ୍ଷେତଗୁଡ଼ିକରେ ଗାଈଗୋରୁ ଚରୁଥିବା ଭଳି ଅଭାବନୀୟ ଦୃଶ୍ୟ ବି ଜିଲ୍ଲାର ମରୁଡ଼ି ସ୍ଥିତିର ଛାତିଫଟା ବେଦନାର କଥା କହୁଛି । ସବୁଠାରୁ ଦୁଃଖର ବିଷୟ ଯେ, ଜିଲ୍ଲାର କେତୋଟି ବ୍ଲକ୍‌ର ଚାଷୀମାନେ ଗତ ବର୍ଷର କୃଷି ବୀମା ରାଶି ଆଜି ପର୍ଯ୍ୟନ୍ତ ପାଇ ନଥିବା ବେଳେ ଚଳିତ ବର୍ଷର ମରୁଡ଼ି ସ୍ଥିତି ଚାଷୀମାନଙ୍କୁ ହତୋତ୍ସାହିତ କରିବାରେ ଲାଗିଛି । ଆଗାମୀ ଆଠ ଦଶ ଦିନ ଭିତରେ ଯଦି ଆବଶ୍ୟକ ପରିମାଣର ବର୍ଷା ନହୁଏ, ତେବେ ମରୁଡ଼ି ସୁନିଶ୍ଚିତ ବୋଲି ଚାଷ ବିଶେଷଜ୍ଞମାନେ ମତ ଦେଉଛନ୍ତି ।

Leave A Reply

Your email address will not be published.