ସାହିତ୍ୟ ଜୀବନର ହିଁ କଥା କହେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନଠାରେ ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ରଚନା ତରଫରୁ ଗତକାଲି କବି ଓ କଥାକାର ସ୍ୱର୍ଗତ ଗଗନ ସ୍ୱାଇଁ ସ୍ମାରକୀ ବକୃତା ଅନୁଷ୍ଠିତ ହୋଇଯାଇଛି । ରଚନାର ସଭାପତି ସନାତନ ଠାକୁରଙ୍କ ସଭାପତିତ୍ୱରେ ‘ଆମ ଜୀବନ ଆମ ସାହିତ୍ୟ’ ଶୀର୍ଷକରେ କବି ସୁଧା ଦାଶ ସାରଗର୍ଭକ ବକ୍ତବ୍ୟ ରଖି ଆମ ଜୀବନ ଓ ସାହିତ୍ୟ ପରସ୍ପର ସହିତ ଜଡିତ ଓ ସାହିତ୍ୟ ଜୀବନର ହିଁ କଥା କହେ ବୋଲି ମତବ୍ୟକ୍ତ କରିଥିଲେ । ଆରମ୍ଭରେ ରଚନାର ସମ୍ପାଦକ କବି ଭାଗିରଥି ମିଶ୍ର ପ୍ରାରମ୍ଭିକ ସୂଚନା ପରେ, ଗଗନ ସ୍ୱାଇଁଙ୍କ କବିତା ପାଠ କରିଥିଲେ କବି ନବୀନ ବିଶ୍ୱବନ୍ଧୁ, ସବିତା ମହରା ଓ ଗଳ୍ପପାଠ କରିଥିଲେ କବି ରାଜୀବ ଲୋଚନ ଆଚାର୍ଯ୍ୟ । ଏହି ଅବସରରେ କବି ମୄଗେଶ ବୈଷ୍ଣବ ପାଣିଗ୍ରାହୀଙ୍କ ଦ୍ୱିତୀୟ କବିତା ସଂକଳନ ‘ଆତ୍ମୀୟ ଅନ୍ଧାର’ ଉନ୍ମୋଚିତ ହୋଇଥିଲା । ସଂକଳନର କବିତା ପାଠ କରିଥିଲେ କବି ମଧୁସୂଦନ ନେଗୀ ଓ ବନ୍ଦନା ପଟ୍ଟନାୟକ । ଏହି ସଭାରେ ସହରର ଅନେକ କବି ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ରଚନାର ସଦସ୍ୟ ରତ୍ନମୟ ତ୍ରିପାଠୀ ।

Leave A Reply

Your email address will not be published.