ଟେମରି ଉଚ୍ଚ ବିଦ୍ୟାଳୟରେ ପାଳନ ହେଲା ବନ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଟେମରି ଉଚ୍ଚ ବିଦ୍ୟାଳୟ, ଟେମରିରେ ବନ ମହୋତ୍ସବ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡୋଳାମଣି ଭୋଇଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାଇକମାଳ ବନଖଣ୍ଡର ଫରେଷ୍ଟର ଖେଳପ୍ରିୟ ସାହୁ, ସ୍କୁଲକୁ ପୋଷ୍ୟ ଗ୍ରହଣ କରିଥିବା ସମାଜସେବୀ ଚାରୁବାଲା ବାରିକ(ଦୀପା), ଆମ ଜଙ୍ଗଲ ଯୋଜନା ପ୍ରକାଶ ହୋତା, ଫରେଷ୍ଟର ମନୋରଞ୍ଜନ ବାରିକ, ସରପଞ୍ଚ ଦିଲ୍ଲୀପ ବେହେରାଙ୍କୁ ନିମନ୍ତ୍ରିତ କରାଯାଇଥିଲା । ପ୍ରଥମେ ଗାଁରେ ଛାତ୍ରଛାତ୍ରୀମାନେ ଭ୍ରମଣ କରି ବୃକ୍ଷ ରୋପଣ ଏବଂ ଗଛର ମହତ୍ତ୍ଵକୁ ନେଇ ଏକ ଶୋଭାଯାତ୍ରା କରିଥିଲେ । ପରେ ବିଦ୍ୟାଳୟରେ ଏକ ସଭା ଆୟୋଜନ କରି ଛାତ୍ରଛାତ୍ରୀମାନେ ପରିବେଶ ପ୍ରତି ଥିବା ତାଙ୍କ ଦାୟିତ୍ଵକୁ ବୁଝିବା ସଙ୍ଗେ ସଙ୍ଗେ ବୃକ୍ଷ ରୋପଣ ଆମ ପାଇଁ କେତେ ଯେ ମହତ୍ତ୍ୱପୂର୍ଣ୍ଣ ତାହା ଅତିଥିମାନଙ୍କ ଠାରୁ ବୁଝିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଫରେଷ୍ଟର ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ରୋପଣ କରିବାର ସଠିକ ଉପାୟ ବିଷୟରେ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ବୃକ୍ଷ ରୋପଣର ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବା ସଙ୍ଗେ ଗଛ ଲଗାଇ ଯତ୍ନ ନେବା ପାଇଁ କହିଥିଲେ । ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବୃକ୍ଷ ରୋପଣ କରିଥିଲେ । ପ୍ରଧାନ ଶିକ୍ଷକ, ଦୀପା ବାରିକ ଏବଂ ସରପଞ୍ଚ ଅନୁରୂପ ଭାବେ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷ ରୋପଣ କରିବା ସହ ତାକୁ ପିଲାମାନଙ୍କ ମଧ୍ୟରେ ବାଣ୍ଟି ଯତ୍ନ ନେବା ପାଇଁ କହିଥିଲେ । ଏହି ବୃକ୍ଷ ରୋପଣ କାର୍ୟ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସହକାରୀ ଶିକ୍ଷକ ଦୈତାରି ସ୍ୱାଇଁ, ମଣ୍ଟୁ ଭୋଇ, ଉସତ୍ ଲାଲ ବେଣ୍ଟକାର, ମମତା ଭୋଇ, କୁସୁମା ଗୁରାଣ୍ଡି ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟ ସଦସ୍ୟାଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.