ananya

୨୦ ବର୍ଷର କ୍ଷମତା : ସ୍ୱପ୍ନବିଭୋର ଜନତା

  • ରଘୁନାଥ ବାବୁ, ପେଲେସଲାଇନ, ବଲାଙ୍ଗିର

୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ଗୁଜରାଟ ପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ ନରେନ୍ଦ୍ର ଦାମୋଦରଦାସ ମୋଦୀ । ସେତେବେଳକୁ ସେ ବିଧାନସଭାର ସଭ୍ୟ ମଧ୍ୟ ନଥିଲେ । ରାଜ୍ୟଶାସନ ସମ୍ଭାଳିବାର କୌଣସି ପୂର୍ବ ଅଭିଜ୍ଞତା ନଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ରୂପେ କାର୍ଯ୍ୟଭାର ଗ୍ରହଣ କଲାପରେ ସେ ଆଉ ପଛକୁ ଚାହିଁ ନାହାଁନ୍ତି । କ୍ରମାଗତ ତିନିଥର ଗୁଜରାଟର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେଲା ପରେ ୨୦୧୪ରୁ ଭାରତର ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି । ଇତିମଧ୍ୟରେ ଶାସନ କ୍ଷମତାରେ ତାଙ୍କର କୋଡିଏ ବର୍ଷ ପୂର୍ଣ୍ଣ ହୋଇଛି । ଏକାଦିକ୍ରମେ କୋଡିଏ ବର୍ଷ କ୍ଷମତାରେ ରହିବା କମ ଗୌରବର କଥା ନୁହେଁ । ନିଜ ଶାସନକାଳରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଓ କେତେକ ବିତର୍କିତ ନିଷ୍ପତ୍ତି ନେଇଛନ୍ତି । କୃଷକ ସମ୍ମାନ ନିଧି ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନ, ଉଜ୍ଜଳା ଯୋଜନା ଓ ବିମୁଦ୍ରୀକରଣ ସେ ସବୁର ଏକ ଏକ ଉଦାହରଣ ।

ନରେନ୍ଦ୍ର ମୋଦୀ ନିଜର ବିଚାରଧାରାକୁ ନିଜସ୍ୱ ବକ୍ତବ୍ୟ ମାଧ୍ୟମରେ ଅତ୍ୟନ୍ତ ଦୃଢ଼ତାର ସହ ଓ ଅବିଶ୍ୱସନୀୟ ଢ଼ଙ୍ଗରେ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିପାରନ୍ତି । ମନ୍‌ କୀ ବାତ୍‌ ହେଉ ଅଥବା ସଂସଦରେ ତାଙ୍କର ଅଭିଭାଷଣ ହେଉ ନିଜ ବାକ୍‌ଚାତୁରୀରେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ଦିଅନ୍ତି । ସରକାରଙ୍କ କାର୍ଯ୍ୟକ୍ରମ, ଦଳୀୟ ବିଚାରଧାରା ଓ ସ୍ୱନିଷ୍ପତ୍ତିକୁ ସମାଜର ସବୁସ୍ତରରେ ପହଞ୍ଚାଇବାର ମାଧ୍ୟମକୁ ଉତ୍ତମ ରୂପେ ପ୍ରବନ୍ଧନ କରିବାର କଳା ତାଙ୍କୁ ବେଶ୍‌ ଜଣା । ଅଯୋଧ୍ୟାର ରାମ ଜନ୍ମଭୂମୀ ଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ବଳରେ ଏପରି ଢ଼ଙ୍ଗରେ ସମାଧାନର ବାଟ ଫିଟାଇଲେ ଯେ ନିଜ ଦଳର ବିଚାରଧାରା ସ୍ଥାପିତ ହେଲା ଓ ଅପରପକ୍ଷ ବିରୋଧ କରିବାର ସୁଯୋଗ ପାଇଲେ ନାହିଁ । ଏହି ପ୍ରସଙ୍ଗରେ ସଂଖ୍ୟାଲଘୁ ସଂପ୍ରଦାୟର କିଛି କଠୋରପନ୍ଥୀ ଭିତରେ ଭିତରେ ଜଳିଲେ ସିନା ବାହାରକୁ ପରିପ୍ରକାଶ କଲେ ନାହିଁ ।

୨୦୧୪ ସାଧାରଣ ନିର୍ବାଚନରେ ପ୍ରଚଣ୍ଡ ଜନ ସମର୍ଥନ ପାଇ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ଭିତ୍ତିରେ କ୍ଷମତା ହାସଲ କରିଥିବା ମୋଦୀ ସରକାରଙ୍କ ପ୍ରଥମ ପାଞ୍ଚବର୍ଷରେ ନିଆଯାଇଥିବା ବିମୁଦ୍ରୀକରଣ, ତିନିତଲାକ ବିଲ ପ୍ରଣୟନ, ଟିକସ ସଂସ୍କାର ପାଇଁ ଜି.ଏସ୍‌.ଟି ଲାଗୁ କରିବା ଆଦି ନିଷ୍ପତ୍ତିର ବିରୋଧ କରିବାକୁ ବିରୋଧିଦଳ ସାହସ ଜୁଟାଇ ପାରି ନଥିଲେ । ବିଶ୍ୱବ୍ୟାପୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱରେ ସଶକ୍ତ ଭାରତର ଛବି ସୃଷ୍ଟି ହେବାରେ ଲାଗିଥିଲା । ଲୋକସଭାରେ ପୂର୍ବ ନିର୍ବାଚନ ଅପେକ୍ଷା ଅଧିକ ଆସନ ପାଇ ଦ୍ୱିତୀୟ ଥର କ୍ଷମତା ହାସଲ କରିଥିବା ମୋଦି ସରକାର ଧାରା ୩୭୦ ଓ ୩୫ଏ ହଟାଇଦେଇ ଜାମ୍ମୁ କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ କରିଦେଲେ । ଏହି ନିଷ୍ପତ୍ତି ଏତେ ଦୃତ ବେଗରେ ଓ ଯୋଜନାବଦ୍ଧ ଭାବରେ ହେଲା ଯେ ବିରୋଧିପକ୍ଷ ମଧ୍ୟ ଆଚମ୍ବିତ ହୋଇଗଲେ । ବିରୋଧର ସ୍ୱର ଅତ୍ୟନ୍ତ ଧିମା ଓ ପ୍ରଭାବଶୂନ୍ୟ ରହିଥିଲା । ଦ୍ୱିତୀୟ ବିତର୍କିତ ନିଷ୍ପତ୍ତି ଥିଲା ନାଗରିକତା ସଂଶୋଧନ ଆଇନ ପାସ କରାଇବା । ଏହା ବିରୋଧରେ ଶାହିନବାଗ ଭଳି ଅନ୍ଦୋଳନ ବିରୋଧିଙ୍କ ପରୋକ୍ଷ ସମର୍ଥନରେ ଚାଲିଲା । ଆନ୍ଦୋଳନ ମାଧ୍ୟମରେ ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟରେ ସରକାର ବିରୋଧି ଜନମତ ସୃଷ୍ଟିି କରିବାକୁ ମୋଦି ବିରୋଧି ଗୋଷ୍ଠୀ ଚେଷ୍ଟା କଲେ । ଅନ୍ଦୋଳନ ଲମ୍ବା ଚାଲିଲା ଓ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ କଥା ଗଲା । ସଂଖ୍ୟାଗରିଷ୍ଠ ଜନସାଧାରଣଙ୍କ ସମର୍ଥନ ଅଭାବରୁ ହେଉ ଅଥବା କରୋନା ମହାମାରୀ ପ୍ରଭାବରୁ ହେଉ ଏହି ଆନ୍ଦୋଳନ ଥମିଗଲା । ତୃତୀୟ ଘଟଣା ଥିଲା କୃଷି ସଂସ୍କାର ବିଲ । ଦୀର୍ଘ ଦିନଧରି କୃଷି ସଂସ୍କାର ସପକ୍ଷରେ କୃଷି ବିଶେଷଜ୍ଞ ଓ ଅର୍ଥନୀତିଜ୍ଞ ଯୁକ୍ତି ବାଢ଼ୁଥିଲେ ମଧ୍ୟ କୌଣସି ରାଜନୈତିକ ଦଳ ଏଭଳି ସ୍ପର୍ଶକାତର ବିଷୟରେ ହାତ ମାରିବାକୁ ଚାହୁଁ ନଥିଲେ । କିନ୍ତୁ ନରେନ୍ଦ୍ର ମୋଦୀ ସାହସିକତା ଦେଖାଇ ତିନୋଟି କୃଷି ସଂସ୍କାର ବିଲକୁ ସାଂସଦରେ ଗୃହୀତ କରାଇଲେ । ଏ ତିନୋଟି କୃଷି ଆଇନକୁ କୃଷକ ସଂଗଠନମାନେ ତୀବ୍ର ବିରୋଧ କରୁଥିବା ବେଳେ ମୋଦୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ।

କରୋନା ମହାମାରୀ ସମୟରେ ଦେଶକୁ ଏକ ଦକ୍ଷ ନେତୃତ୍ୱର ଆବଶ୍ୟକତା ଥିଲା । ଜନତା କର୍ଫ୍ୟୁ ହେଉ କି ସଂପୂର୍ଣ୍ଣ ଲକ୍‌ଡାଉନ୍‌ ହେଉ ମୋଦୀ ସରକାର ଦୃଢ଼ତାର ସହ ଲାଗୁ କଲେ । ଲକ୍‌ଡାଉନ ଯୋଗୁଁ ସାଧାରଣ ଜନତା, ଶ୍ରମିକବର୍ଗ, ଛୋଟ ଛୋଟ ବ୍ୟବସାୟୀ, ଦୈନିକ ଆୟକାରୀ ଗୋଷ୍ଠୀ ଘୋର ଅସୁବିଧାର ସମ୍ମୁଖିନ ହେଲେ । ଦେଶର ଆର୍ଥିକ ଅବସ୍ଥା ଦୋହଲିଗଲା । ରୋଜଗାର, ବ୍ୟବସାୟ, ଉତ୍ପାଦନ, ପରିବହନ, ପର୍ଯ୍ୟଟନ ଆଦି ଅନେକ କ୍ଷେତ୍ର ପ୍ରଭାବିତ ହେଲା । ଲକ୍‌ଡାଉନ୍‌ର ଫଳାଫଳ ଯାହା ହେଉନା କାହିଁକି ତାକୁ କଡାକଡି ଭାବରେ ଲାଗୁକରିବା କେନ୍ଦ୍ର ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହେଲା । କରୋନା ପରିଚାଳନା ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ବିଶେଷକରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିୟନ୍ତ୍ରିତ ହେଉଥିଲା । ଏଥିରେ କେତେକ ରାଜ୍ୟସରକାର ଉତ୍‌କ୍ଷିପ୍ତ ହେଲେ । କିନ୍ତୁ ନରେନ୍ଦ୍ର ମୋଦୀ କୌଣସି କଥାକୁ ଭୁକ୍ଷେପ ନ କରି ନିଜ ଯୋଜନା ମୁତାବତ ଆଗେଇ ଚାଲିଲେ । ଭାରତର ସଂଘୀୟ ଢ଼ାଞ୍ଚାର ଉଲ୍ଲଘଂନ, ସାଂପ୍ରଦାୟୀକ ଆଭିମୁଖ୍ୟ ନେଇ ପୋଲିସ ଅତ୍ୟାଚାର, ପିଏମ୍‌ କେୟାର ପାଣ୍ଠିର ଅପବ୍ୟବହାର ଭଳି ଅନେକ ଅଭିଯୋଗ ବିରୋଧିଦଳ ପକ୍ଷରୁ ଆସିଲା । ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ ହେଲା । ତଥାପି ନରେନ୍ଦ୍ର ମୋଦୀ କରୋନା ମୁକାବିଲାରେ ନିଜ ନିଷ୍ପତ୍ତିରୁ ଇଞ୍ଚେ ଏପଟ ସେପଟ ହେଲେ ନାହିଁ ।

ଅଗଷ୍ଟ ୨୦୧୮ରେ ମୋଦୀ ସରକାର ଦଶଟି ବ୍ୟାଙ୍କକୁ ମିଶ୍ରଣ ନିଷ୍ପତ୍ତି ନେଲେ । ବ୍ୟାଙ୍କ କର୍ମଚାରୀ, ବିରୋଧ ଦଳ, ଶ୍ରମିକ ସଂଗଠନ ଏ ପ୍ରସ୍ତାବର ପ୍ରବଳ ବିରୋଧ କଲେ । ତଥାପି ମୋଦୀ ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିଲେ । ପରିଣାମ ଯାହା ହେଉନା କାହିଁକି ଦୃଢ ଓ ତୁରନ୍ତ ନିଷ୍ପତ୍ତି ନେବାରେ ନରେନ୍ଦ୍ର ମୋଦୀ ପାରଙ୍ଗମ । ପ୍ରତିଦିନ ବିରୋଧିଙ୍କ ଅନେକ ଆକ୍ଷେପର ସମ୍ମୁଖିନ ହେଉଥିଲେ ସୁଦ୍ଧା ସିଧାସଳଖ କାହାକୁ ପ୍ରତ୍ୟୁତ୍ତର ଦିଅନ୍ତି ନାହିଁ । ବିରୋଧିଙ୍କ ଆକ୍ଷେପକୁ ଗୁରୁତ୍ୱ ନଦେବା ବା ଆଡେଇଯିବା ଦ୍ୱାରା ଆକ୍ଷେପଟି ଜନମାନସରେ ଗୌଣ ମନେହୁଏ । କିନ୍ତୁ ଠିକଣା ସମୟର ଉପଯୋଗକରି ନିଜ ବାକ୍‌ଚାତୁରୀ ମାଧ୍ୟମରେ ବିରୋଧିଙ୍କ ଆକ୍ଷେପର ଜବାବ ଏଭଳି ଢଙ୍ଗରେ ଦିଅନ୍ତି ଯେ ବିରୋଧିଙ୍କୁ ବୁଦ୍ଧିବାଟ ଦିଶେ ନାହିଁ । ଆଧୁନିକ ସୂଚନା ପ୍ରଯୁକ୍ତି ଜ୍ଞାନ କୌଶଳ ଓ ସାମାଜିକ ଗଣମାଧ୍ୟମର ସଠିକ ଉପଯୋଗ କରି ଜନସାଧାରଣଙ୍କ ସହ ସଂପର୍କ ଯୋଡିବାରେ ମୋଦୀ ସୁନିପୁଣ ।

ଭାରତୀୟ ବାୟୁସେନା ଦ୍ୱାରା ପାକିସ୍ଥାନର ବାଲାକୋଟଠାରେ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରାଯିବା ନିଶ୍ଚିତ ରୂପେ ଏକ ସାହସିକ ପଦକ୍ଷେପ ଥିଲା । ଏହି ଘଟଣାକୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ଜୋରଦାର ପ୍ରଚାର କରାଗଲା । ମୋଦିଙ୍କ ନେତୃତ୍ୱରେ ଭାରତୀୟ ସେନାର ଏଭଳି ଆକ୍ରମଣ ପାକିସ୍ଥାନ ସମେତ ଅନ୍ୟ ପଡୋଶୀରାଷ୍ଟ୍ରକୁ ଏକ କଡ଼ାସନ୍ଦେଶ ଥିଲା । ବିରୋଧିଦଳ ଏ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ କିଭଳି ହେବ ନିର୍ଣ୍ଣୟ କରି ନପାରି ବିତଣ୍ଡା ଯୁକ୍ତିମାନ କରିବାକୁ ଲାଗିଲେ, ଯାହାକି ମୋଦୀଙ୍କ ଦୃଢ଼ ଓ ସାହାସିକ ଛବିକୁ ଜନମାନସରେ ଅଧିକ ପ୍ରତିଷ୍ଠିତ କରାଇଲା ।

ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତକୁ ନେଇ ଅନେକ ସମାଲୋଚନା ହୁଏ । ଏହା ବ୍ୟକ୍ତିଗତ ପର୍ଯ୍ୟଟନ ପାଇଁ ଉଦ୍ଦିଷ୍ଟ ଓ ମୋଦୀଙ୍କ ଭ୍ରମଣ ବିଳାସ ବୋଲି ପ୍ରଶ୍ନ ଉଠେ । ପ୍ରଧାନମନ୍ତ୍ରୀ କିନ୍ତୁ ଏଭଳି ଅଭିଯୋଗକୁ ଆଡେଇ ଦେଇ ବିଭିନ୍ନ ବିଦେଶୀ ରାଷ୍ଟ୍ର ଗସ୍ତକରି ଭାରତ ସହ ବୈଦେଶିକ ସମ୍ବନ୍ଧକୁ ଦୃଢ଼ କରିବାରେ ଲାଗିଲେ । ଫଳରେ ସମଗ୍ର ବିଶ୍ୱରେ ଭାରତର ଏକ ନୂତନ ଛବି ସୃଷ୍ଟି ହେବାକୁ ଲାଗିଲା । ବିଶ୍ୱସ୍ତରରେ ମୋଦୀଙ୍କ ନେତୃତ୍ୱ ନେବାର ଦକ୍ଷତା ସ୍ୱୀକୃତି ଲାଭ କଲା । ବିଗତ ସାତବର୍ଷର ଶାସନକାଳରେ ମୋଦୀ ନିଜର ଏଭଳି ଏକ ଛବି ସୃଷ୍ଟି କରିପାରିଛନ୍ତି ଯେ ତାଙ୍କର ନିର୍ଦ୍ଦେଶ ବିନା ସରକାରରେ ପତ୍ରଟିଏ ବି ହଲେ ନାହିଁ । ସମଗ୍ର ଶାସନତନ୍ତ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିୟନ୍ତ୍ରିତ ହୁଏ । ତାଙ୍କର ବ୍ୟକ୍ତିତ୍ୱ ଆଗରେ ବିଜେପିର ବଡ ବଡ ମନ୍ତ୍ରୀ ନେତା ମଧ୍ୟ ନିଷ୍ପ୍ରଭ । ତାଙ୍କରି ନେତୃତ୍ୱରେ ଓ ବ୍ୟକ୍ତିଗତ ଛବିକୁ ଉପଯୋଗ କରି ବିଜେପି ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତି ଆସୁଛି । ଏଣୁ ଦଳ ଓ ସରକାରରେ ମୋଦିଙ୍କ ଅଖଣ୍ଡ ପ୍ରଭାବ ବଳବତ୍ତର ରହିଛି । ରାଜ୍ୟସଭାରେ ଶାସକମେଣ୍ଟର ସଂଖ୍ୟା ଗରିଷ୍ଠତା ନ ଥିବା ସତ୍ୱେ ବିଭିନ୍ନ ଆଞ୍ଚଳିକ ଦଳ ସହ ଯୋଗାଯୋଗ ରକ୍ଷାକରି ଅନେକ ବିଧେୟକ ପାସ କରାଇବାରେ କେନ୍ଦ୍ର ସରକାର ସଫଳତା ପାଇଛନ୍ତି । ବିରୋଧିଦଳଙ୍କ ମଧ୍ୟରେ ବୈଚାରିକ ମତଭେଦ ଓ ଦଳୀୟସ୍ୱାର୍ଥକୁ ନେଇ ବିଭାଜନ ବିଜେପିକୁ ବେଶ ସୁହାଉଛି ।

ଦୀର୍ଘ କୋଡିଏବର୍ଷଧରି ନିରବଚ୍ଛିନ୍ନଭାବେ ସାମ୍ବିଧାନିକ ପଦପଦବୀରେ ରହିବା କ୍ୱଚିତ୍‌ ରାଜନେତାଙ୍କ ଭାଗ୍ୟରେ ଜୁଟେ । କିନ୍ତୁ ଏ ସମୟ ମଧ୍ୟରେ ଦେଶ କ’ଣ ପାଇଲା ତାହାର ଆକଳନ ହେବା ଜରୁରୀ । ଭାରତର ବିକାଶଧାରା ଉପରେ ନଜର ରଖୁଥିବା ଅନେକ ରେଟିଂ ଏଜେନ୍‌ସୀଙ୍କ ଆକଳନ ଅନୁସାରେ ବିକାଶର ଅଧିକାଂଶ ପରିମାପକ ନିମ୍ନଗାମୀ ଥିବା ବେଳେ ମୋଦୀଙ୍କ ଲୋକପ୍ରିୟତା କମିନାହିଁ । ଏହାର ଦୁଇଟି କାରଣ ହୋଇପାରେ । ପ୍ରଥମତଃ ଦେଶର ବିକାଶ ଅପେକ୍ଷା ନେତାଙ୍କ ଭାବମୂର୍ତ୍ତିକୁ ସୁରକ୍ଷିତ ରଖିବାକୁ ଭରପୂର ପ୍ରୟାସ ଚାଲିଛି । ଦ୍ୱିତୀୟରେ ଲୋକଙ୍କୁ ଏପରି ସ୍ୱପ୍ନ ବିଭୋର କରି ରଖାହୋଇଛି ଯେ, ସତ୍ୟତା ଜାଣିବା ପାଇଁ ସେମାନେ ସୁଯୋଗ ପାଉନାହାନ୍ତି ।

kkkppp

Leave A Reply

Your email address will not be published.

8 − five =