ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜ଼ିଲ୍ଲାରେ ବର୍ତ୍ତମାନ ରେଳ ବିଭାଗ ତାର ରାସ୍ତା କାମ ମନମୁଣ୍ଡା ପଂଚାୟତରୁ ଆରମ୍ଭ କରି ଦ୍ରୁତ ଗତିରେ ରେଲୱେ ରାସ୍ତା କାମ ଚାଲିଅଛି । ବର୍ତ୍ତମାନ ଜ଼ିଲ୍ଲାପାଳଂକ ନିର୍ଦେଶ ଅନୁସାରେ ଓ ସରପଂଚ ମାନଙ୍କ ସହଯୋଗରେ ବିଭିନ୍ନ ପୋଖରୀରୁ ମାଟି ଉତ୍ତୋଳନ କରି ରାସ୍ତାରେ ପକାଯାଉଥିବା ଦେଖିବାକୁ ମିଳିଛି ।ଏହାଦ୍ୱାରା ରେଳ ବିଭାଗକୁ ସହଜରେ ମାଟି ମିଳି ଯାଉଥିବା ବେଳେ ପୋଖରୀ ଗୁଡିକରୁ ମାଟି ଉଠି ପୋଖରୀ ଗୁଡିକ ଗଭୀର ହେବା ଫଳରେ ଖରା ଦିନରେ ଜଳାଭାବ ଦେଖାଯିବନାହିଁ । ପୋଖରୀ ଗୁଡ଼ିକରୁ ମାଟି ଉଠାଇବା ସହିତ ପୋଖରୀ ହୁଡ଼ା ରଖାଯିବ ଆବଶ୍ୟକ, ଯାହାଦ୍ୱାରା ପୋଖରୀର ସ୍ଥିତି ଜଣାପଡ଼ିଥାଏ । ଏହା ସହିତ ପୋଖରୀକୁ ହଠାତ ଗଭୀର ନ କରି ସ୍ତର ସ୍ତର କରି ଗଭୀର କରିବା କଥା । ଏହା ଫଳରେ ସାଧାରଣ ଲୋକେ ଗାଧୁଆ ପାଧୁଆ ପାଇଁ ତଥା ଗୃହପାଳିତ ପଶୁ ପାଣି ପିଇବା ପାଇଁ ପୋଖରୀ ଭିତରକୁ ପ୍ରବେଶ କରିବାକୁ ସହଜ ହେବ । ହେଲେ ରେଳ ବିଭାଗର ଠିକାଦାର ମନମୁଣ୍ଡା ପଂଚାୟତର ନୁରପା ଗ୍ରାମର ‘ପିତାବନ୍ଧଲି’ ପୋଖରୀର ମାଟି ଉଠାଇବାକୁ ଯାଇ ପୋଖରୀ ହୁଡ଼ାର ମାଟି ଉଠାଇ ପୋଖରୀକୁ ସମତଳ କରି ଦେଇଥିବା ବେଳେ ସ୍ତର ସ୍ତର କରି ମାଟି ନ ଉଠାଇ ହଠାତ ୨୦ ଫୁଟ ଗଭୀର କରି କୂଅ ଭଳି ମାଟି ଉଠାଇଛି, ଫଳରେ ପୋଖରୀରେ ହୁଡ଼ା ନ ଥିବାରୁ ଜନସାଧାରଣ ତଥା ଗୃହପାଳିତ ପଶୁ ସେହି ଗଭୀର କୂଅ ମଧ୍ୟରେ ପଡି ଦୁର୍ଘଟଣାର ଶିକାର ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ସେହିପରି ଏହି ପଂଚାୟତ ଅନ୍ତର୍ଗତ ବିଛଣାପାଟି ଗାଁର ‘ଦେବନ୍ଧ’ ପୋଖରୀରୁ ମଧ୍ୟ ମାଟି ଉଠାଇ ବିପଦପୂର୍ଣ୍ଣ ଭାବେ ବିଭାଗ ଛାଡି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଠିକାଦାର ଉକ୍ତ ପୋଖରୀର ହୁଡ଼ାକୁ ସମ୍ପୂର୍ଣ୍ଣ ଭାବେ ମାଟି ଉଠାଇ କୂଅ ଭଳି ଗଭୀର କରି ମାଟି ଉଠାଇ ନେଇଛି । ଫଳରେ ମନମୁଣ୍ଡା-ଶଗଡା ପୂର୍ତ୍ତ ବିଭାଗ ରାସ୍ତା ବର୍ତ୍ତମାନ ପୋଖରୀର ହୁଡ଼ା ସାଜିଛି । ରାସ୍ତା ଦେଇ ଯାଉଥିବା କୌଣସି ଯାନବାହାନ ଭାରସାମ୍ୟ ହରାଇଲା ସେ ଯାଇ ୨୦ ଫୁଟ ଗଭୀର ଗାତରେ ପଡି ତାର ମୃତ୍ୟୁ ଘଟିବା ସୁନିଶ୍ଚିତ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଉକ୍ତ ଦୁଇ ଗ୍ରାମବାସୀ ରେଳ ବିଭାଗର ଠିକାଦାରଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଜ଼ିଲ୍ଲାପାଳ ଗ୍ରାମବାସୀଙ୍କ ଏହି ଅସୁବିଧାକୁ ହୃଦୟଙ୍ଗମ କରି ଆବଶ୍ୟକ ପଦକ୍ଷେପ ନେବାକୁ ନୁରପା ଓ ବିଛଣାପାଟି ଗ୍ରାମବାସୀ ଦାବୀ କରିଛନ୍ତି ।