ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ମଙ୍ଗଳବାର ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ତଥା ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଭୋଇ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାନ୍ତାରାମ ଧରୁଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାଶ ଭୋଇ ଓ ଆଲୁମିନି ସଭାପତି ରୂପଧର ବଗର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବ୍ଲକର ସମସ୍ତ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରକଳ୍ପ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୋଟ୍ ୧୬୭ଟି ବିଭିନ୍ନ ପ୍ରକଳ୍ପ ଏହି ବାଳ ବୈଜ୍ଞାନିକ ପ୍ରଦର୍ଶନୀରେ ସ୍ଥାନିତ ହୋଇଥିଲା । ଶ୍ରେଷ୍ଠ ୨୧ଟି ପ୍ରକଳ୍ପକୁ ପୁରସ୍କୃତ କରାଯାଇଥିଲା । ସେଥିମଧ୍ୟରୁ ୭ଟି ସର୍ବଶ୍ରେଷ୍ଠ ପ୍ରକଳ୍ପକୁ ଜିଲ୍ଲାସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀକୁ ପଠେଇବା ପାଇଁ ସ୍ଥିର ହୋଇଥିଲା । ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ଼ିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଣବ କିଶୋର ପୁରୋହିତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ବିଜ୍ଞାନ ଆବାହକ ସୁନୀଲ କୁମାର ପାତ୍ର, ବ୍ଲକ ବିଜ୍ଞାନ ସଂଯୋଜକ ଦିଗନ୍ତ ମେହେର, ସିରୋଲ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ, ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ କୁମାର ରଣା ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଆସନ୍ତା ବର୍ଷ ଏହି ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ହଳଦୀ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ବିଶ୍ୱାଳଙ୍କୁ ବିଜ୍ଞାନ ସମାଜ ପତାକା ଅର୍ପଣ କରାଯାଇଥିଲା । ଶିକ୍ଷକ ଲିଲୁମୋହନ ପଧାନ ଉଦ୍ଯାପନୀ ଉତ୍ସବ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କର୍ଲା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀମନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ସମସ୍ତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ବିଜ୍ଞାନ ଶିକ୍ଷକ, ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ ।