lika

ଭୁବନେଶ୍ୱରରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଏସସି/ଏସଟି କଲ୍ୟାଣ ସମିତିଗୁଡ଼ିକର ଜାତୀୟ ସମ୍ମିଳନୀ ଉଦଘାଟିତ

gbag

● ମୂଲ୍ୟବାନ ନୀତିଗତ ବିଚାର ପ୍ରଦାନ କରି ସମାନତା, ସ୍ୱଚ୍ଛତା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିଥାନ୍ତି ସଂସଦୀୟ ସମିତି: ଲୋକସଭା ବାଚସ୍ପତି ଓମ୍ ବିର୍ଲା
● ସମ୍ମିଳନୀକୁ ପ୍ରଗତିର ସମୀକ୍ଷା ଏବଂ ଭବିଷ୍ୟତ ପାଇଁ ଏକ ରୂପରେଖ ପ୍ରସ୍ତୁତି କରିବାର ମଞ୍ଚ ଭାବେ ବର୍ଣ୍ଣନା କଲେ ରାଜ୍ୟସଭା ଉପାଧ୍ୟକ୍ଷ
● ପ୍ରତ୍ୟେକ ଯୋଜନାକୁ ପ୍ରତିଟି ଯୋଗ୍ୟ ବିଦ୍ୟାର୍ଥୀଙ୍କ ନିକଟରେ ପହଞ୍ଚାଇବାରେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ ସମିତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
● ଏସସି/ଏସଟିଙ୍କ କଲ୍ୟାଣ ପାଇଁ ଉତ୍ତରଦାୟିତ୍ୱ ଓ ଅନ୍ତିମ ସୋପାନରେ ସେବା ବିତରଣକୁ ସୁନିଶ୍ଚିତ କରିବାରେ ସହାୟକ ହେବ ଏହି ସମ୍ମିଳନୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ପିଆଇବି) : ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ସମିତି ଅଧ୍ୟକ୍ଷମାନଙ୍କ ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଦେଶବ୍ୟାପୀ ୧୨୦ରୁ ଅଧିକ ପ୍ରତିନିଧି ଏହି ଦୁଇ ଦିନିଆ ସମ୍ମିଳନୀରେ (୨୯-୩୦ ଅଗଷ୍ଟ) ଅଂଶଗ୍ରହଣ କରୁଛନ୍ତି । ଏହି ମଞ୍ଚରେ ସର୍ବୋତ୍ତମ ଅଭ୍ୟାସ ଓ ଅଭିଜ୍ଞତା ବାଣ୍ଟିବା ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଅଧିକ ପ୍ରଭାବଶାଳୀ ନୀତି ପ୍ରସ୍ତୁତ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ଲାଗି ରଣନୀତି ପ୍ରସ୍ତୁତ କରିବା ନେଇ ବିଚାରବିମର୍ଶ କରାଯାଉଛି । ଏହି ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଇ ଓମ୍ ବିର୍ଲା ରାଜ୍ୟ ବିଧାନସଭା ଏବଂ ସଂସଦରେ ବିତର୍କ, ଆଲୋଚନା, ଭାଷା ଏବଂ ଆଚାର ବ୍ୟବହାରର ମାନ ହ୍ରାସ ପାଇବାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ । ଶ୍ରୀ ବିର୍ଲା ଗୁରୁତ୍ୱାରୋପ କରି କହିଥିଲେ, ଏପରି ପରିସ୍ଥିତିରେ ସଂସଦୀୟ ତଥା ବିଧାନସଭା ସମିତିଗୁଡ଼ିକର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ । ଏହି ସମିତିଗୁଡ଼ିକର ଅନନ୍ୟ ଶକ୍ତି ରହିଛି ଏବଂ ତାହା ହେଉଛି ଦଳୀୟ ରାଜନୀତିଠାରୁ ଊର୍ଦ୍ଧ୍ବରେ ରହି କାର୍ଯ୍ୟ କରିବାର କ୍ଷମତା । ସେହିପରି ସହଭାଗୀ ଆଭିମୁଖ୍ୟ ଏବଂ ସାମୂହିକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବାର କ୍ଷମତା ମଧ୍ୟ ଏଭଳି ସମିତି ପାଖରେ ରହିଛି । ସଂସଦୀୟ ସମିତିଗୁଡ଼ିକ ଶାସନ ଉପରେ ମୂଲ୍ୟବାନ ନୀତିଗତ ଦୃଷ୍ଟିକୋଣ ଓ ବିଚାର ପ୍ରଦାନ କରି ସମାନତା, ସ୍ୱଚ୍ଛତା ଏବଂ ନବସୃଜନକୁ ପ୍ରୋତ୍ସାହିତ କରନ୍ତି ବୋଲି ସେ ଜୋର ଦେଇ କହିଥିଲେ । ଦୁଇ ଦିନିଆ ସମ୍ମିଳନୀର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ବିର୍ଲା ସମିତିଗୁଡ଼ିକୁ ସାମାଜିକ, ଆର୍ଥିକ ଏବଂ ପ୍ରଶାସନିକ ଶକ୍ତି ପ୍ରଦାନ କରି ଉପେକ୍ଷିତ ସମ୍ପ୍ରଦାୟଗୁଡ଼ିକୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସେ ପ୍ରତ୍ୟେକ ରାଜ୍ୟ ସମିତିକୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅନ୍ୟମାନଙ୍କ କାର୍ଯ୍ୟକାରିତା ଅଧ୍ୟୟନ ଓ ସମୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ସର୍ବୋତ୍ତମ ଅଭ୍ୟାସରୁ ଶିଖିବା, ଅଭିନବ ପଦ୍ଧତି ଗ୍ରହଣ କରିବା ଏବଂ ସାମାଜିକ ଉନ୍ନତି ତଥା ସାମଗ୍ରିକ ଜାତୀୟ ବିକାଶ ସୁନିଶ୍ଚିତ କରିବାରେ ଯୋଗଦାନ ଦେବାକୁ ଆହ୍ୱାନ ଦେଇଥିଲେ । ଲୋକସଭା ବାଚସ୍ପତି ଗୁରୁତ୍ୱ ଦେଇ କହିଥିଲେ, ଆଇନ ଆଗରେ ସମାନତା, ଆଇନର ସମାନ ସୁରକ୍ଷା ଏବଂ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ସୁନିଶ୍ଚିତ କରୁଥିବା ସାମ୍ବିଧାନିକ ବ୍ୟବସ୍ଥାଗୁଡ଼ିକ ଭାରତର ପ୍ରଗତି ପାଇଁ ମୂଳଦୁଆ ପ୍ରମାଣିତ ହୋଇଛି । ସେ କହିଥିଲେ, ସମାନତା ଏବଂ ନ୍ୟାୟର ନୀତି ଶେଷ ନାଗରିକଙ୍କ ପାଖରେ ପହଞ୍ଚିଲେ ହିଁ ଗଣତନ୍ତ୍ର ଏହାର ପୂର୍ଣ୍ଣ ଅର୍ଥ ଏବଂ ଶକ୍ତି ହାସଲ କରିବ । ଶ୍ରୀ ବିର୍ଲା କହିଥିଲେ, ଗତ ସାଢ଼େ ସାତ ଦଶନ୍ଧି ଧରି ଭାରତର ଯାତ୍ରାରେ ସବୁଠାରୁ ପଛୁଆ ବର୍ଗର ଲୋକଙ୍କୁ ସଶକ୍ତ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଇଛି । ଆଜି, ସରକାରୀ କ୍ଷେତ୍ରର ଉଦ୍ୟୋଗ, ଆର୍ଥିକ ପ୍ରତିଷ୍ଠାନ ଏବଂ ଜାତୀୟ ଶିକ୍ଷା ନୀତି ଭଳି ଶିକ୍ଷାଗତ ସଂସ୍କାରଗୁଡ଼ିକ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସୁଯୋଗ ବିସ୍ତାର କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଶିକ୍ଷା ଏବଂ ସାମାଜିକ ନ୍ୟାୟ ହାତ ମିଳାଇ ଚାଲିବା ଏବଂ ଦୁର୍ବଳ ବର୍ଗର ହକ୍ ସୁରକ୍ଷା ଦେଶର ନୀତିନିର୍ଦ୍ଧାରଣର କେନ୍ଦ୍ରରେ ରହିବା ଉଚିତ । ଏହି ସମ୍ମିଳନୀ ଅର୍ଥପୂର୍ଣ୍ଣ ସଂକଳ୍ପ, ବ୍ୟବହାରିକ ପରାମର୍ଶ ଏବଂ ଅଭିନବ ଚିନ୍ତାଧାରା ମାଧ୍ୟମରେ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବାରେ ସମିତିଗୁଡ଼ିକର ଭୂମିକାକୁ ଆହୁରି ମଜବୁତ କରିବ ବୋଲି ଶ୍ରୀ ବିର୍ଲା ବିଶ୍ୱାସ ପ୍ରକଟ କରିଥିଲେ । ସେ କହିଥିଲେ, ଏକ ସମାବେଶୀ ଏବଂ ସମାନତାପୂର୍ଣ୍ଣ ସମାଜ ପାଇଁ ଏକ ରୋଡମ୍ୟାପ୍ ନିର୍ମାଣ କରିବାରେ ଏହି ସମ୍ମିଳନୀ ସହାୟକ ହେବ । ଏଥିସହିତ ନ୍ୟାୟ, ସମାନତା ଏବଂ ସମସ୍ତଙ୍କ ପାଇଁ ସମ୍ମାନର ମୂଲ୍ୟବୋଧ ଆଧାରରେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନର ଆକାଂକ୍ଷାକୁ ଗତି ଦେବ। ସମ୍ମିଳନୀର ଫଳାଫଳ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ ପାଇଁ ଦୀର୍ଘକାଳୀନ ନୀତି ନିର୍ଦ୍ଧାରଣରେ ମାର୍ଗଦର୍ଶନ କରିବ ସେ ଆଶା ପ୍ରକାଶ କରିଥିଲେ । ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ଏହି ସମ୍ମିଳନୀକୁ ପ୍ରଗତିର ସମୀକ୍ଷା ଏବଂ ଭବିଷ୍ୟତ ପାଇଁ ଏକ ରୂପରେଖ ପ୍ରସ୍ତୁତି କରିବାର ମଞ୍ଚ ଭାବରେ ବର୍ଣ୍ଣନା କରିଥିଲେ । ସେ ପ୍ରମାଣ ଆଧାରିତ ଯାଞ୍ଚ, କ୍ଷେତ୍ର ପରିଦର୍ଶନ ବୃଦ୍ଧି, ସୁପାରିସଗୁଡ଼ିକର ସ୍ୱଚ୍ଛ ତଦାରଖ ଏବଂ ଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ନିୟମିତ ସାର୍ବଜନୀନ ରିପୋର୍ଟିଂର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଜୋର ଦେଇ କହିଥିଲେ, ଏହିସବୁ ଉପାୟ ସମିତିଗୁଡ଼ିକର ପରାମର୍ଶକୁ ସେମାନେ ସେବା କରୁଥିବା ସମ୍ପ୍ରଦାୟ ପାଇଁ ବାସ୍ତବ ଏବଂ ଦୀର୍ଘସ୍ଥାୟୀ ଫଳାଫଳରେ ପରିଣତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ । ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଶିକ୍ଷା ହେଉଛି ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗରିବ, ଦଳିତ ଏବଂ ଅବହେଳିତଙ୍କ କଲ୍ୟାଣ ପାଇଁ ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ କାର୍ଯ୍ୟକରୁଛି । ବଞ୍ଚିତଙ୍କ ଆକାଂକ୍ଷା ପୂରଣ କରିବା ସହିତ, ଏହି ଦୃଷ୍ଟିକୋଣ ୨୦୨୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ପାଇଁ ଉତ୍ସର୍ଗୀକୃତ ବୋଲି ଶ୍ରୀ ପ୍ରଧାନ ଦୃଢ଼ ଭାବରେ କହିଛନ୍ତି । ସେ କହିଛନ୍ତି, ପ୍ରତ୍ୟେକ ଯୋଜନାକୁ ପ୍ରତିଟି ଯୋଗ୍ୟ ବିଦ୍ୟାର୍ଥୀଙ୍କ ନିକଟରେ ପହଞ୍ଚାଇବାରେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ ସମିତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ଜାତୀୟ ଶିକ୍ଷା ନୀତି ଅନୁରୂପ ମାତୃଭାଷା ଶିକ୍ଷା, ମୌଳିକ ସାକ୍ଷରତା, ଉଚ୍ଚଶିକ୍ଷା ଏବଂ ନିଯୁକ୍ତି ପାଇଁ ନମନୀୟ ମାର୍ଗକୁ ପ୍ରାଥମିକତା ଦିଆଯାଉଛି ବୋଳି ସେ କହିଥିଲେ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସେ କହିଥିଲେ, ଆମର ଆଦିବାସୀ ଭଉଣୀ ଏବଂ ଭାଇମାନଙ୍କୁ ମର୍ଯ୍ୟାଦା, ସୁଯୋଗ ଏବଂ ସ୍ୱର ଉପସ୍ଥାପନ କରିବାର କ୍ଷମତା ସହିତ ସଶକ୍ତ କରିବା ଆମର ଜାତୀୟ ଏଜେଣ୍ଡାର ମୁଖ୍ୟ ବିଷୟ । ପ୍ରଧାନମନ୍ତ୍ରୀ ପିଭିଟିଜି ବିକାଶ ମିଶନ ଅଧୀନରେ, ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିସାର, ଯୋଗାଯୋଗ ଏବଂ ଦୀର୍ଘସ୍ଥାୟୀ ଆୟକୁ ଅନ୍ତର୍ଭୁକ୍ତ କରି ଆମେ ସ୍ପଷ୍ଟ ସମୟସୀମା, ଗୋଷ୍ଠୀ ଭାଗିଦାରୀ ଏବଂ ଫଳାଫଳର ସ୍ୱଚ୍ଛ ଟ୍ରାକିଂ ସହିତ ବିତରଣକୁ ତ୍ୱରାନ୍ୱିତ କରିବୁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଜାତୀୟ ସମ୍ମିଳନୀ ଆୟୋଜନ କରିବା ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି କହିଥିଲେ । ସେ କହିଥିଲେ, ଏହି ସମ୍ମିଳନୀ ଆୟୋଜନ କରି ଓଡ଼ିଶା ସମ୍ମାନିତ ଅନୁଭବ କରୁଛି । ଏହି ସମ୍ମିଳନୀ ସଂସଦ ଓ ରାଜ୍ୟ ବିଧାନସଭର ସମିତିଗୁଡ଼ିକୁ ଏକାଠି କରିଛି । ଏସସି/ଏସଟିଙ୍କ କଲ୍ୟାଣ ପାଇଁ ଉତ୍ତରଦାୟିତ୍ୱ ଏବଂ ଅନ୍ତିମ ସୋପାନରେ ସେବା ବିତରଣକୁ ସୁନିଶ୍ଚିତ କରିବାରେ ସହାୟକ ହେବ । ସେ ଆହୁରି କହିଥିଲେ, କଠୋର ତଦାରଖ ଏବଂ ସ୍ଥାନୀୟ ସେବା ବିତରଣ ମିଳିତ ଭାବରେ ଫଳାଫଳକୁ ଉନ୍ନତ କରିଥାଏ ବୋଲି ଓଡ଼ିଶାର ଅଭିଜ୍ଞତାରୁ ପ୍ରତିଫଳିତ ହୋଇଛି । ବିଶେଷକରି ଆଦିବାସୀ ଜିଲ୍ଲାଗୁଡ଼ିକରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଅନ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ସହିତ ଏପରି ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ବାଣ୍ଟିବା ଏବଂ ଏଥିରେ ସୁଧାର ଆଣିବା ଲାଗି ଆମେ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସଂସଦରେ ଏସସି/ଏସଟି କଲ୍ୟାଣ ସମିତିର ଅଧ୍ୟକ୍ଷ ଡକ୍ଟର ଫଗନ ସିଂହ କୁଲସ୍ତେ ସଂସଦ ଏବଂ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାର ସମିତିଗୁଡ଼ିକୁ ଗୋଟିଏ ମଞ୍ଚକୁ ଆଣିବାରେ ସମ୍ମିଳନୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଏହା ସମନ୍ୱୟ ଏବଂ ତୃଣମୂଳ ସ୍ତରର କାର୍ଯ୍ୟକୁ ସୁଦୃଢ଼ କରିବ । ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀଙ୍କ ସ୍ୱାଗତ ଭାଷଣ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଧନ୍ୟବାଦ ପ୍ରସ୍ତାବ ଦେବା ପରେ ଉଦଘାଟନୀ ଅଧିବେଶନ ଶେଷ ହୋଇଥିଲା । ଲୋକସଭା ବାଚସ୍ପତି, ମାନ୍ୟଗଣ୍ୟ ବ୍ୟକ୍ତି, ସମସ୍ତ ଅଂଶଗ୍ରହଣକାରୀ ସଦସ୍ୟ ଏବଂ ଓଡ଼ିଶା ସରକାରଙ୍କୁ ସେମାନଙ୍କର ସମର୍ଥନ ଏବଂ ଅଂଶଗ୍ରହଣ ପାଇଁ ଶ୍ରୀ ଭୋଇ କୃତଜ୍ଞତା ଜଣାଇଥିଲେ । ଏହି ସମ୍ମିଳନୀରେ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ସାମାଜିକ-ଆର୍ଥିକ ବିକାଶକୁ ବୃଦ୍ଧି କରିବା ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସଶକ୍ତ କରିବା ପାଇଁ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ବିନିମୟ କରିବା ଉପରେ ଆଲୋଚନା କରାଯିବ । ୨୦୪୭ ସୁଦ୍ଧା ଏକ ସମାବେଶୀ ଓ ବିକଶିତଶ ଭାରତ ସଂକଳ୍ପକୁ ସାକାର କରିବା ଲାଗି କଲ୍ୟାଣକାରୀ ନୀତି କାର୍ଯ୍ୟକାରିତାରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାରେ ସଂସଦୀୟ ଏବଂ ରାଜ୍ୟ ବିଧାନସଭା ସମିତିଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ଉଜ୍ଜ୍ୱଳ କରିବ ।

babaa
Leave A Reply

Your email address will not be published.