jayashree

ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ଦ୍ୱାରା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀଙ୍କ ଦ୍ୱାରା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ହୋଇଯାଇଛି । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସଇଁନ୍ତଲା ବ୍ଲକ ଅନ୍ତର୍ଗତ କରମତଲା ଠାରେ ନିର୍ମିତ କରମତଲା ୩୩/୧୧ କେଭି ଗ୍ରୀଡ୍‌ ସବ୍‌ଷ୍ଟେସନ୍‌କୁ ମନ୍ତ୍ରୀ ଶ୍ରୀମତୀ ସାହୁ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଶ୍ରୀମତୀ ସାହୁ କରମତଲା ୩୩/୧୧ କେଭି ଗ୍ରୀଡ୍‌ ସବ୍‌ଷ୍ଟେସନ୍‌ ଲୋକାର୍ପଣ ହେବା ଦ୍ୱାରା ସଇଁନ୍ତଲା ବ୍ଲକର କୁମ୍ଭାରୀ, କରମତଲା, ତାଲବାହାଲ, ଗଣ୍ଡପତ୍ରାପାଲି, କୁଇକେଡ଼ା ଓ ଧରପଗଡ଼ ଗ୍ରାମ ପଂଚାୟତର ପ୍ରାୟ ୭୦୦୦ ବିଦ୍ୟୁତ୍‌ ଗ୍ରାହକ ଉପକୃତ ହୋଇପାରିବେ ଏବଂ ପୂର୍ବରୁ ଯେଉଁ ବିଦ୍ୟୁତ ସମସ୍ୟା ରହୁଥିଲା ତାହା ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅଂଚଳର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଅନେକ ଉନ୍ନୟନ ଓ ଜନହିତକର ଯୋଜନା ମାନ କାର୍ଯ୍ୟକାରୀ କରୁଛନ୍ତି ଏବଂ ଏହି ସବୁ ବିକାଶ ମୂଳକ କାର୍ଯ୍ୟରେ ଜନସାଧାରଣଙ୍କ ସହଯୋଗିତା ଓ ସହଭାଗିତା ଆବଶ୍ୟକ ବୋଳି ପ୍ରକାଶ କରିଥିଲେ । ମହିଳା ମାନଙ୍କ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେବା ସହ ମହିଳା ମାନଙ୍କ ସହଯୋଗରେ ଏହି ସବୁ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରିବ ବୋଲି ପ୍ରକାଶ କରିଥିଲେ ।

ସଭାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଉଦ୍‌ବୋଧନ ଦେଇ ଶକ୍ତି କ୍ଷେତ୍ରରେ ବିକାଶ ନିମନ୍ତେ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି ଏବଂ ଏହି କରମତଲା ୩୩/୧୧ କେଭି ଗ୍ରୀଡ଼ ସବ୍‌ଷ୍ଟେସନ୍‌ ପ୍ରତିଷ୍ଠା ହେବା ଫଳରେ ଅଂଚଳରେ କୃଷି ଓ କୃଷି ଭିତ୍ତିକ ଶିଳ୍ପର ବିକାଶ ହେବା ସହ ଏ ଅଂଚଳର ଜନସାଧାରଣଭ୍‌କ ପୂର୍ବରୁ ଥିବା ବିଦ୍ୟୁତ ସମସ୍ୟା ମଧ୍ୟ ଦୂରୀଭୂତ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ତେଣୁ ଏହି ଅଂଚଳର ଚାଷୀମାନେ ଚାଷର ମାନଦଣ୍ଡ ବୃଦ୍ଧି କରିବା ନିମନ୍ତେ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ । ପରେ ମନ୍ତ୍ରୀ ଶ୍ରୀମତୀ ସାହୁ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଟିଟିଲାଗଡ଼ ପୌରାଂଚଳରେ ନୂତନ ଭାବେ ନିର୍ମାଣ କରାଯାଉଥିବା ମୁକ୍ତିଧାମ(ଶ୍ମଶାନ ଘାଟ)କୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ । ଉନ୍ନତି ଯୋଜନାରେ ନିର୍ମାଣ କରାଯାଇଥିବା ଏହି ଆଦର୍ଶ ଶ୍ମଶାନ ଘାଟ(ମୁକ୍ତିଧାମ)ରେ ମୋଟ ୭୭,୩୫,୦୦୦/- ଟଙ୍କା ବ୍ରୟ କରାଯାଇଛି । ମୁକ୍ତିଧାମ ପରିସରରେ ଶ୍ରୀ ତ୍ରିପାଠୀ ବୃକ୍ଷରୋପଣ କରିଥିଲେ । ପରେ ମନ୍ତ୍ରୀ ଶ୍ରୀମତୀ ସାହୁ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ, ଟିଟିଲାଗଡ଼ ଡିଏଭି. ମହାବିଦ୍ୟାଳୟକୁ ଯାଇ ସେଠାରେ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଉଦ୍‌ଘାଟନ କରି ଛାତ୍ରୀ ନିବାସ ପରିଦର୍ଶନ କରିଥିଲେ । ଆଜିର ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ସମେତ ବିଦ୍ୟୁତ ବିଭାଗର ଯନ୍ତ୍ରୀ, ଓପିଟିସିଏଲ୍‌ର କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.