‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ – ୨୦୨୬’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

• ଭାରତକୁ ଜ୍ଞାନର ମହାଶକ୍ତି କରିବ ଏଆଇ – ଧର୍ମେନ୍ଦ୍ର ପ୍ରଧାନ
• ଶିକ୍ଷା ମନ୍ତ୍ରଣାଳୟର “ପୁସିଂ ଦ ଫ୍ରଣ୍ଟିୟର୍ ଅଫ୍ ଏଆଇ ଇନ୍ ଇଣ୍ଡିଆ” ଶୀର୍ଷକ ଅଧିବେଶନରେ ମତ
• ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ଭାରତରେ ଏଆଇର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ
• ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ଏଆଇ ସମ୍ପର୍କିତ ଶିକ୍ଷା ପରସ୍ପର ସହ ଜଡ଼ିତ
• ଯୁବପିଢିଙ୍କୁ ଏଆଇ ଆପଣାଇବା ସହ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ

ନୂଆଦିଲ୍ଲୀ, (ପିଆଇବି) : ଭାରତ ଆଜି ବିଶ୍ୱର ଏକ ପ୍ରମୁଖ ବୈଷୟିକ ଶକ୍ତି ଭାବେ ଉଭା ହେଉଥିବା ବେଳେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏହି ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀରେ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ଭାରତ ମଣ୍ଡପମ୍‌ ଠାରେ “ପୁସିଂ ଦ ଫ୍ରଣ୍ଟିୟର୍ ଅଫ୍ ଏଆଇ ଇନ୍ ଇଣ୍ଡିଆ” ଶୀର୍ଷକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଏହି ସମ୍ମିଳନୀ ହେଉଛି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଦୂରଦର୍ଶୀ ପଦକ୍ଷେପ, ଯାହା ଭାରତରେ ଏଆଇର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି । ସମଗ୍ର ବିଶ୍ୱ ଆଜି ଭାରତର ଦ୍ରୁତ ଏଆଇର ବ୍ୟବହାରକୁ ଲକ୍ଷ୍ୟ କରୁଛି । ୨୦୪୭ ସୁଦ୍ଧା ଏକ ‘ବିକଶିତ ଭାରତ’ ଗଠନ କରିବା ଏବଂ ଭାରତକୁ ବିଶ୍ୱର ଜ୍ଞାନର ମହାଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଏଆଇ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ମନ୍ତ୍ରୀଙ୍କ ସୂଚନାନୁସାରେ, ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଏବଂ ଏଆଇ ସମ୍ପର୍କିତ ଶିକ୍ଷା ପରସ୍ପର ପରିପୂରକ । ଆଜିର ଯୁବପିଢ଼ି ପୂର୍ବ ପିଢ଼ିଙ୍କ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ଓ ଅଭିନବ ଚିନ୍ତାଧାରା ରଖୁଛନ୍ତି । କେନ୍ଦ୍ର ମନ୍ତ୍ରୀ ଦେଶର ଯୁବବର୍ଗଙ୍କୁ ଏଆଇ ମାଧ୍ୟମରେ ଶିକ୍ଷିତ ହେବା ସହ ତାକୁ ଆପଣାଇବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ସହ ନିଜେ ନିଜେ ସଶକ୍ତ ହେବା ସହ କିଛି ନୂତନତ୍ୱ ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ଯୁବପିଢ଼ିଙ୍କ ନିଆରା ପ୍ରୟାସ ହିଁ ବିଶ୍ୱ ଏଆଇ ମାନଚିତ୍ରରେ ଭାରତକୁ ଏକ ଅପ୍ରତିଦ୍ୱନ୍ଦ୍ୱୀ ଶକ୍ତି ଭାବେ ଉଭା କରିବ ।
ଜାତୀୟ ଶିକ୍ଷା ନୀତି ୨୦୨୦ ର ଦୂରଦୃଷ୍ଟି ଏବଂ ‘ବିକଶିତ ଭାରତ ୨୦୪୭’ ର ଜାତୀୟ ଲକ୍ଷ୍ୟ ସହିତ ସମାନତା ରକ୍ଷା କରି ସମଗ୍ର ଶିକ୍ଷା ବ୍ୟବସ୍ଥାରେ ଏଆଇକୁ ଏକୀକୃତ କରିବା ପାଇଁ ମନ୍ତ୍ରଣାଳୟର ଏହା ଏକ ପ୍ରୟାସ । ଗତ ଏକ ଦଶନ୍ଧି ମଧ୍ୟରେ, ଶିକ୍ଷା ମନ୍ତ୍ରଣାଳୟ ଜାତୀୟ ଡିଜିଟାଲ୍ ପ୍ଲାଟଫର୍ମ, ନୀତିଗତ ଢାଞ୍ଚା, ସାଂସ୍ଥାନିକ ସଂସ୍କାର ଏବଂ ବିଦ୍ୟାଳୟ ଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ଏବଂ ଅତ୍ୟାଧୁନିକ ଅନୁସନ୍ଧାନ ଓ ନବସୃଜନ କ୍ଷେତ୍ରରେ ଏଆଇ- ସମର୍ଥ ଶିକ୍ଷା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଛି । ଏହି ଅଧିବେଶନର ଉଦ୍ଦେଶ୍ୟ ହେଉଛି ଭାରତର ଜାତୀୟ ଏଆଇ-ଇନ୍-ଏଜୁକେସନ୍ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଏବଂ ଶିଳ୍ପ-ଶିକ୍ଷାବିତ୍-ସରକାରଙ୍କ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା । ଏହି ଅଧିବେଶନରେ ରାଷ୍ଟ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ ଯୋଗଦେଇଥିଲେ । ଏହି ପ୍ୟାନେଲରେ ଶିକ୍ଷାବିତ୍, ଶିଳ୍ପ ଏବଂ ନିବେଶ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.