ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ

  • ଜନ ଜୀବନ ସୁରକ୍ଷା ଦୃଷ୍ଟିରୁ ବେଆଇନ ଗାଡି ଚାଳନା ଚେକିଂ କୁ କଡା କଡ଼ି କରାଯିବ – ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଜନ ଜୀବନର ସୁରକ୍ଷା ଦୃଷ୍ଟିରୁ ବେଆଇନ ଗାଡି ଚାଳନାକୁ କଡାକଡି କରାଯିବ । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଅଧ୍ୟକ୍ଷତା କରି ଜିଲ୍ଲାରେ ସଡ଼କ ଦୁର୍ଘଟଣାକୁ ରୋକିବା ନିମନ୍ତେ ରାସ୍ତାରେ ବେଆଇନ ଗାଡିଚାଳନାକୁ ଉଭୟ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ମିଳିତ ଭାବେ ଆବଶ୍ୟକ ଚେକିଂ କରିବାକୁ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଦାସ । ଜିଲ୍ଲାର ଦୁର୍ଘଟଣା ଜନିତ ମୃତ୍ୟୁ ହାରକୁ ହ୍ରାସ କରିବା ନିମନ୍ତେ ସମସ୍ତେ ସୁସମନ୍ୱୟ ପୂର୍ବକ କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ବୈଠକରେ ଗତ ବୈଠକ ନିଷ୍ପତ୍ତିର ତଥ୍ୟ ଉପସ୍ଥାପନ କରିଥିଲେ । ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ, ବଲାଙ୍ଗିରଙ୍କୁ ବୈଠକରେ ଏନ.ଏଚ ବିଭାଗ ଅଧୀନରେ ଥିବା ରାସ୍ତା ଉପରେ ଅବସ୍ଥିତ ଥିବା ବୃକ୍ଷମାନଙ୍କରେ ତୁରନ୍ତ ରେଡିଅମ୍ ରିଫ୍ଲେକ୍ଟର ଲଗାଇବା, ମୁଖ୍ୟ ଛକ ମାନଙ୍କରେ ରମ୍ବଳର ତଥା ଦୁର୍ଘଟଣା ପ୍ରବଣ ଚିହ୍ନିତ ସ୍ଥାନ ଗୁଡିକରେ ସାଂକେତିକ ଚିହ୍ନ ସହ ଗତି ପ୍ରତିରୋଧକ ବୋର୍ଡ ଲଗାଇବା ପୁନଶ୍ଚ ରାଜ୍ୟ ତଥା ଜାତୀୟ ରାଜପଥ ସଂଲଗ୍ନ ବିଦ୍ୟାଳୟମାନଙ୍କୁ ସଡ଼କ ସୁରକ୍ଷା ବାବଦରେ ଅବଗତ କରିବା ସହ ସୁରକ୍ଷା ସାଇନେଜ ବୋର୍ଡ ଲଗାଇବା ପାଇଁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଆସନ୍ତା ସପ୍ତାହ ମଧ୍ୟରେ ସ୍କୁଲ ସୁରକ୍ଷା କମିଟି ଗଠନ କରି ଆର.ଟି.ଓ ଏବଂ ବିଦ୍ୟାଳୟ କତୃପକ୍ଷ ମିଳିତ ଭାବେ ସଡ଼କ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ଯଥେଷ୍ଟ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ସହରର ବୁଢ଼ାରଜା ଛକ ଓ ବ୍ଲକ ଛକରେ ଟ୍ରାଫିକ ବ୍ୟବସ୍ଥା ସହ ଟ୍ରାଫିକ ଉନ୍ନତି କରଣର ବ୍ୟବସ୍ଥା ପାଇଁ ଆର୍ ଆଣ୍ଡ ବି.ର ନିର୍ବାହୀ ଯନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ବୈଠକରେ ନିର୍ଦେଶ ଦିଆଯାଇଛି । ନୋ ହେଲମେଟ ନୋ ପେଟ୍ରୋଲ କାର୍ଯ୍ୟକ୍ରମକୁ କଡାକଡି ପାଳନ ଉପରେ ଗୁରୁତ୍ୱାରୋପ କରାଯାଇ ଏଥି ନିମନ୍ତେ ସମସ୍ତ ପେଟ୍ରୋଲ ପମ୍ପ ମାଲିକ ତଥା ସଂଗଠନଙ୍କ ସହ ଯୋଗାଯୋଗ ପୂର୍ବକ ସମନ୍ୱୟ ପୂର୍ବକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ବୈଠକରେ ପରିବହନ ଅଧିକାରୀ ଶ୍ରୀ ଜେନାଙ୍କୁ ନିର୍ଦେଶ ଦେଇଛନ୍ତି । କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ତଥା ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ବିଷୟରେ ଅଧିକ ସଚେତନ କରିବା ପାଇଁ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କୁ ନେଇ ସଚେତନତା ବୈଠକ କରିବାକୁ ବୈଠକରେ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପରିଶେଷରେ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଧନ ଜୀବନର ସୁରକ୍ଷା ନିମିତ୍ତ ହେଲମେଟ ପରିଧାନ ନକରି ଗାଡି ଚଲେଇବା, ନିଶାସକ୍ତ ଗାଡିଚାଳନା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର, ନାବାଳକ ଗାଡି ଚାଳକ, ବିପଦପୂର୍ଣ ଗାଡିଚାଳନା ଇତ୍ୟାଦି ବେଆଇନ ଗାଡି ଚାଳନାକୁ ରୋକିବା ପାଇଁ ପରିବହନ ବିଭାଗ ଓ ପୋଲିସ ବିଭାଗର ଅଧିକାରୀଙ୍କୁ ଏ ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବା ସହ କଡ଼ା କଡ଼ି ଚେକିଙ୍ଗ କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ. ରମେଶ ଚନ୍ଦ୍ର ସ୍ୱାଇଁ, ନିର୍ବାହୀ ଯନ୍ତ୍ରୀ ଏନ.ଏଚ, ବଲାଙ୍ଗିର, ସାମ୍ବାଦିକ ସ୍ୱାଧୀନ ମେହେର, ସାମ୍ବାଦିକ ମୃତ୍ୟୁଞ୍ଜୟ ଶତପଥୀ, ବେସରକାରୀ ବସ ମାଲିକ ସଙ୍ଘ ସଭାପତି ପୁରୁଷୋତ୍ତମ ପାଣିଗ୍ରାହୀ, ଟ୍ରକ ମାଲିକ ସଙ୍ଘ ପ୍ରତିନିଧି ରାଜୀବ ଲୋଚନ ପଟ୍ଟନାୟକ ଓ ସମାରୁ ସାହୁ, ଏମଭିଆଇ ବିଶ୍ୱରଂଜନ ସାହୁ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ବିଭାଗୀୟ କର୍ମଚାରୀ, ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.