• ମଜବୁତ କ୍ରୟ, ବ୍ୟାପକ କୃଷକ ସାମିଲ, ଡିଜିଟାଲ୍ ସଂସ୍କାର ଏବଂ ରାଷ୍ଟ୍ରୀୟ ଆତ୍ମନିର୍ଭରଶୀଳତାର ଉନ୍ନତି
• ରବି ବିପଣନ ଋତୁ (ଆରଏମଏସ) ୨୦୨୬-୨୭ ପାଇଁ ଏମଏସପି ମଞ୍ଜୁର; କ୍ରୟ ଆକଳନ ୨୯୭ ଲକ୍ଷ ମେଟ୍ରିକ ଟନ୍, ଏବଂ ଚାଷୀମାନେ ଏମଏସପି ହାରରେ ପ୍ରାୟ ୮୪,୨୬୩ କୋଟି ଟଙ୍କା ପାଇବେ
• ଆରଏମଏସ ୨୦୨୬-୨୭ ଲାଗି ଗହମ ପାଇଁ ଉତ୍ପାଦନ ମୂଲ୍ୟ ଉପରେ ଲାଭ ସର୍ବାଧିକ ୧୦୯%
• ଖାଦ୍ୟ ଶସ୍ୟର ଏମଏସପି ଦେୟ ୧.୦୬ ଲକ୍ଷ କୋଟି ଟଙ୍କା (୨୦୧୪-୧୫) ରୁ ୩.୩୩ ଲକ୍ଷ କୋଟି ଟଙ୍କା (ଜୁଲାଇ ୨୦୨୪-ଜୁନ୍ ୨୦୨୫)କୁ ତିନିଗୁଣରୁ ଅଧିକ ବୃଦ୍ଧି, ସମାନ ସମୟ ମଧ୍ୟରେ କ୍ରୟ ୭୬୧.୪୦ ଲକ୍ଷ ମେଟ୍ରିକ ଟନରୁ ୧,୧୭୫ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି, ଯାହା ୧.୮୪ କୋଟି ଚାଷୀଙ୍କୁ ଲାଭ ଦେଇଛି
• ଡାଲିରେ ଆତ୍ମନିର୍ଭରଶୀଳତା ପାଇଁ ୨୦୨୮-୨୯ ପର୍ଯ୍ୟନ୍ତ ୧୦୦% ହରଡ଼, ବିରି, ମସୁର ଉତ୍ପାଦନ କରାଯିବ; ମାର୍ଚ୍ଚ ୨୦୨୫ ସୁଦ୍ଧା ୨.୪୬ ଲକ୍ଷ ମେଟ୍ରିକ ଟନ ହରଡ଼ କିଣାଯାଇଛି
ନୂଆଦିଲ୍ଲୀ, (ପିଆଇବି) : ପ୍ରତ୍ୟେକ ଫସଲ ଋତୁରେ ଭାରତୀୟ ଚାଷୀମାନେ କଠିନ ପରିଶ୍ରମ କରୁଥିଲେ ସୁଦ୍ଧା ଅସ୍ଥିର ପାଣିପାଗ ଏବଂ ବଜାର କାରଣରୁ ସେମାନେ ଲାଭରୁ ବଞ୍ଚିତ ହୋଇଥା’ନ୍ତି । ଏଭଳି ସ୍ଥିତିରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସେମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥାଏ । ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଯାହା ମାଧ୍ୟମରେ ସରକାର ପୂର୍ବ-ନିର୍ଦ୍ଧାରିତ ମୂଲ୍ୟରେ କୃଷକମାନଙ୍କର ଫସଲ କ୍ରୟ କରି ସେମାନଙ୍କୁ ସମର୍ଥନ କରନ୍ତି । ପ୍ରତିବର୍ଷ, ସରକାର ସମ୍ପୃକ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗର ମତାମତ ବିଚାର କରିବା ପରେ କୃଷି ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗ (ସିଏସିପି)ର ସୁପାରିସ ଆଧାରରେ ୨୨ଟି ବାଧ୍ୟତାମୂଳକ କୃଷି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଘୋଷଣା କରନ୍ତି । ଏମଏସପି ସୁପାରିସ କରିବା ସମୟରେ ସିଏସିପି ଉତ୍ପାଦନ ଖର୍ଚ୍ଚ, ଚାହିଦା-ଯୋଗାଣ, ଘରୋଇ ଓ ଅନ୍ତର୍ଜାତୀୟ ଦର, ଆନ୍ତଃଫସଲ ମୂଲ୍ୟ, କୃଷି ଓ ଅଣକୃଷି ବାଣିଜ୍ୟ, ଅର୍ଥବ୍ୟବସ୍ଥା ଉପରେ ଦର ନୀତି ଏବଂ ଉତ୍ପାଦନର ଅତିକମରେ ୫୦ପ୍ରତିଶତ ଲାଭ ପ୍ରଦାନ ଆଦି ଦିଗ ଉପରେ ବିଚାର କରିଥାଏ । ଆହୁରି ଉତ୍ପାଦନ ଖର୍ଚ୍ଚରେ ଶ୍ରମିକଙ୍କ ମଜୁରୀ, ବଳଦ ଓ ମେସିନ ଖର୍ଚ୍ଚ, ଜମି ଭାଗ ପାଉଣା, ବିହନ, ସାର,ଖତ ଜଳସେଚନ, ଆଦି ବାବଦରେ ହେଉଥିବା ଖର୍ଚ୍ଚ, ଅନ୍ୟାନ୍ୟ ବ୍ୟୟ ଏବଂ ପାରିବାରିକ ଶ୍ରମକୁ ସାମିଲ କରାଯାଇଥାଏ । କେନ୍ଦ୍ର ବଜେଟ୍ ୨୦୧୮-୧୯ରେ ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା ପାଇଁ ଘୋଷଣା କରାଯାଇଥିଲା । ସେହି ବର୍ଷଠାରୁ, ସରକାର ସମସ୍ତ ବାଧ୍ୟତାମୂଳକ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଆସୁଛନ୍ତି । ଏହା ସମସ୍ତ ଫସଲ ପାଇଁ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚ ଉପରେ ସର୍ବନିମ୍ନ ୫୦% ଲାଭ ସୁନିଶ୍ଚିତ କରେ । କ୍ୟାବିନେଟ ୧ ଅକ୍ଟୋବର ୨୦୨୫ରେ ୨୦୨୬-୨୭ ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି । ଏହା ବ୍ୟତୀତ, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ୨୦୨୫-୨୬ ଖରିଫ ବିପଣନ ଋତୁ ପାଇଁ ବାଧ୍ୟତାମୂଳକ ଫସଲର ଏମଏସପି ବୃଦ୍ଧି କରିଛନ୍ତି ।
୨୦୨୫-୨୬ ଖରିଫ ଫସଲ ଋତୁ ପାଇଁ କଳାରାଶି ଉପରେ ସର୍ବାଧିକ ଏମଏସପି କ୍ୱିଣ୍ଟାଲ ପିଛା ୮୨୦ ଟଙ୍କା ବୃଦ୍ଧି କରାଯାଇଥିଲା । ସେହିପରି ମାଣ୍ଡିଆ ଉପରେ ୫୯୬ ଏବଂ କପା ଉପରେ ୫୮୯ ଟଙ୍କା ଏମଏସପି ବୃଦ୍ଧି କରାଯାଇଥିଲା । ଚାଷୀମାନଙ୍କୁ ବାଜରା ଉପରେ ୬୩%, ମକା ଉପରେ ୮୯%, ହରଡ଼ ଉପରେ ୫୯% ଏବଂ ବିରି ଉପରେ ୫୩% ଲାଭ ମିଳିଥିଲା ।
୨୦୨୬-୨୭ ରବି ବିପଣନ ଋତୁ ଲାଗି କୁସୁମ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟରେ ସର୍ବୋଚ୍ଚ ବୃଦ୍ଧି ଘୋଷଣା କରାଯାଇଛି ଯାହା ପ୍ରତି କ୍ୱିଣ୍ଟାଲ ୬୦୦ ଟଙ୍କା ଏବଂ ଏହା ପଛକୁ ମସୁର (ମସୁର) ୩୦୦ ଟଙ୍କା ବୃଦ୍ଧି ପାଇଛି । ରେପସିଡ୍ ଏବଂ ସୋରିଷ, ଚଣା, ଯଅ ଏବଂ ଗହମ ପାଇଁ ଯଥାକ୍ରମେ ୨୫୦, ୨୨୫, ୧୭୦ ଏବଂ ୧୬୦ ଟଙ୍କା ବୃଦ୍ଧି ହୋଇଛି । ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ସର୍ବାଧିକ ପ୍ରତ୍ୟାଶିତ ଲାଭ ଗହମ ପାଇଁ ୧୦୯%, ଏହାପରେ ରେପସିଡ୍ ଏବଂ ସୋରିଷ ପାଇଁ ୯୩%; ମସୁର ପାଇଁ ୮୯%; ଚଣା ପାଇଁ ୫୯%; ଯଅ ପାଇଁ ୫୮%; ଏବଂ କସୁର ପାଇଁ ୫୦% ରହିଛି । ରବି ଫସଲର ଏହି ବୃଦ୍ଧି ଏମଏସପି ଚାଷୀମାନଙ୍କୁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରେ ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରେ । ରବି ବିପଣନ ଋତୁ ୨୦୨୬-୨୭ ସମୟରେ, ପ୍ରାୟ ୨୯୭ ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ ଆକଳନ କରାଯାଇଛି, ଯାହା ପାଇଁ ଚାଷୀମାନେ ପ୍ରସ୍ତାବିତ ଏମଏସପିରେ ପ୍ରାୟ ୮୪,୨୬୩ କୋଟି ଟଙ୍କା ମିଳିବାର ଆଶା କରାଯାଉଛି । ସରକାର ଏମଏସପି ଦରରେ ଫସଲ କିଣିବା ଲାଗି ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ଏବଂ ରାଜ୍ୟସ୍ତରରେ ଏହାର ମାନ୍ୟତାପ୍ରାପ୍ତ ସଂସ୍ଥାଗୁଡ଼ିକ ଶସ୍ୟ ଏବଂ ଖଦଡ଼ ଶସ୍ୟ କ୍ରୟ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ବା ପିଏମ ଆଶା ଜରିଆରେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ନିଆଯାଉଛି । ଏହା ଅଧୀନରେ ମୂଲ୍ୟ ସମର୍ଥନ ଯୋଜନା କାର୍ଯ୍ୟକାରୀ କରାଯାଇ ନାଫେଡ ଓ ଏନସିସିଏଫ ଆଦି ମାଧ୍ୟମରେ ଡାଲି, ତୈଳବୀଜ ଓ ଗୋଟା ନଡ଼ିଆର କ୍ରୟ କରାଯାଉଛି । କପା ଏବଂ ଝୋଟ ଯଥାକ୍ରମେ ଭାରତୀୟ କପା ନିଗମ (ସିସିଆଇ) ଏବଂ ଭାରତୀୟ ଝୋଟ ନିଗମ (ଜେସିଆଇ) ମାଧ୍ୟମରେ ଏମଏସପିରେ କ୍ରୟ କରାଯାଉଛି । ଚାଷୀଙ୍କ ସହଯୋଗରେ ଭାରତ ଡିସେମ୍ବର ୨୦୨୭ ପୂର୍ବରୁ ଡାଲି କ୍ଷେତ୍ରରେ ‘ଆତ୍ମନିର୍ଭର’ କରିବାକୁ ଗୁରୁତ୍ୱାରୋପ କରାଯାଇଛି । ଏହା ହାସଲ କରିବା ପାଇଁ, ସରକାର ୨୦୨୫ ବଜେଟରେ ଘୋଷଣା କରିଥିଲେ ଯେ ରାଜ୍ୟର ଉତ୍ପାଦନର ୧୦୦% ହରଡ଼, ବିରି ଏବଂ ମସୁର ଚାରି ବର୍ଷ ପାଇଁ ୨୦୨୮-୨୯ ପର୍ଯ୍ୟନ୍ତ ସଂଗ୍ରହ କରାଯିବ । ଏହି ପ୍ରତିଶ୍ରୁତି ଅନୁଯାୟୀ, ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ ଡାଲି ସଂଗ୍ରହ ପାଇଁ ପିଏମ ଆଶା ଗ୍ୟାରେଣ୍ଟିକୁ ୪୫,୦୦୦ କୋଟି ଟଙ୍କାରୁ ୬୦,୦୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ୨୫ ମାର୍ଚ୍ଚ ୨୦୨୫ ସୁଦ୍ଧା, ପାଞ୍ଚଟି ରାଜ୍ୟ (ଆନ୍ଧ୍ର ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତେଲଙ୍ଗାନା)ର ଚାଷୀଙ୍କଠାରୁ ମୋଟ ୨.୪୬ ଲକ୍ଷ ମେଟ୍ରିକ୍ ଟନ୍ ତୁର (ଅର୍ହର) ସଂଗ୍ରହ କରାଯାଇଛି, ଯାହା ୧,୭୧,୫୬୯ ଚାଷୀଙ୍କୁ ଲାଭ ଦେଇଛି । ଏମଏସପିରେ ଡାଲି ସଂଗ୍ରହରେ ଉଲ୍ଲେଖନୀୟ ୭,୩୫୦% ବୃଦ୍ଧି ଘଟିଛି, ଯାହା ୨୦୦୯–୧୪ରେ ୧.୫୨ ଲକ୍ଷ ମେଟ୍ରିକ୍ ଟନ୍ ଥିଲା ଏବଂ ୨୦୨୦–୨୫ ସମୟରେ ଏହା ୮୨.୯୮ ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି । ସେହିପରି, ଗତ ୧୧ ବର୍ଷ ମଧ୍ୟରେ ଏମଏସପିରେ ତୈଳବୀଜ ସଂଗ୍ରହରେ ୧୫୦୦%ରୁ ଅଧିକ ବୃଦ୍ଧି ଘଟିଛି । ଧାନ ସଂଗ୍ରହ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ୨୦୦୪–୧୪, ମଧ୍ୟରେ ୪,୫୯୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା, ଯାହା ୨୦୧୪–୨୫ ମଧ୍ୟରେ ୭,୬୦୮ ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇଛି । ଏହି ଅଭିବୃଦ୍ଧି ଚାଷୀମାନଙ୍କୁ ଦିଆଯାଇଥିବା ଏମଏସପି ଦେୟରେ ପ୍ରତିଫଳିତ ହୋଇଛି, ଯାହା କେବଳ ଧାନ ପାଇଁ ୨୦୦୪-୧୪ ମଧ୍ୟରେ ୪.୪୪ ଲକ୍ଷ କୋଟି ଟଙ୍କାରୁ ୨୦୧୪-୨୫ ମଧ୍ୟରେ ୧୪.୧୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୧୪ଟି ଖରିଫ ଫସଲ ପାଇଁ ମିଳିତ କ୍ରୟ, ୨୦୦୪–୧୪ ସମୟରେ ୪,୬୭୯ ଲକ୍ଷ ମେଟ୍ରିକ୍ ଟନ୍ ରୁ ୨୦୧୪–୨୫ ମଧ୍ୟରେ ୭,୮୭୧ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି । ଏହାର ଏମଏସପି ଦେୟ ୪.୭୫ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୬.୩୫ ଲକ୍ଷ କୋଟି ଟଙ୍କା ହୋଇଛି । ସେହିପରି ୨୦୨୪-୨୫ ରବି ବିପଣନ ଋତୁରେ ୨୬୬ ଲକ୍ଷ ମେଟ୍ରିକ ଟନ ଗହମ କିଣାଯାଇଥିଲା । ଏହା ମାଧ୍ୟମରେ ୬୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଏମଏସପି ସିଧାସଳଖ ୨୨ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା । ସାମଗ୍ରିକ ଭାବରେ, ଖାଦ୍ୟଶସ୍ୟ ସଂଗ୍ରହ ସ୍ଥିର ଭାବରେ ବୃଦ୍ଧି ପାଇଛି, ଯାହା ୨୦୧୪–୧୫ ରେ ୭୬୧.୪୦ ଲକ୍ଷ ମେଟ୍ରିକ୍ ଟନ୍ରୁ ୨୦୨୪-୨୫ (ଜୁଲାଇରୁ ଜୁନ୍ ପର୍ଯ୍ୟନ୍ତ) ରେ ୧,୧୭୫ ଲକ୍ଷ ମେଟ୍ରିକ୍ ଟନ୍ରେ ପହଞ୍ଚିଛି । ଏହି ସମ୍ପ୍ରସାରଣ ୧.୮୪ କୋଟି ଚାଷୀଙ୍କୁ ଲାଭ ଦେଇଛି । ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ ପାଇଁ ହୋଇଥିବା ଖର୍ଚ୍ଚ ତିନିଗୁଣରୁ ଅଧିକ ହୋଇଛି, ଯାହା ସେହି ସମୟ ମଧ୍ୟରେ ୧.୦୬ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୩.୩୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏମଏସପି ହସ୍ତାନ୍ତର ଯୋଗୁ ୨୦୨୪-୨୫ରେ ପ୍ରାୟ ୧.୮୪ କୋଟି ଚାଷୀ ଉପକୃତ ହୋଇଛନ୍ତି । ଏମଏସପି କ୍ରୟରେ ସ୍ୱଚ୍ଛତା ଆଣିବା ଲାଗି ସରକାର ଇ-ସମୃଦ୍ଧି, କପାସ କିଷାନ ଆପ୍ ଭଳି ଯୋଜନା ଏବଂ ଉପକ୍ରମର ଶୁଭାରମ୍ଭ କରିଛନ୍ତି । ଏମଏସପି ବ୍ୟବସ୍ଥା ଚାଷୀଙ୍କ ଆୟ ସୁରକ୍ଷା ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ଅତିକମରେ ଉତ୍ପାଦନ ଖର୍ଚ୍ଚ ୫୦%ରୁ ଅଧିକ ଲାଭ ଦେଉଛି ।