ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ସମାରୋହ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ୭୨ତମ ସାଧାରଣ ତନ୍ତ୍ର ଦିବସ କରୋନା ନୀତି ନିୟମ ଅନୁଯାୟୀ ପାଳିତ ହୋଇ ଯାଇଛି । କଣ୍ଟାବାଞ୍ଜୀ ନିର୍ବାଚନୀ ମଣ୍ଡଳୀର ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସରପଞ୍ଚ ସସ୍ମିତା ମହାନନ୍ଦ, ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ, ଅବସର ପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ, ଘନଶ୍ୟାମ ନିଆଲ, ହୀରାଧର ବଏ, ମାୟାଧର ପୁଟେଲ, ଗୋବିନ୍ଦ ତାଣ୍ଡି, ବାବୁଲାଲ ନାୟକ, ସଭାପତି ପୂର୍ଣ୍ଣ ନିଆଲ, ଶିକ୍ଷକ କିଶୋର ବରିହା, ଶିକ୍ଷୟିତ୍ରୀ ଦେବକୀ ତାଣ୍ଡି ଓ ମମତା ପଣ୍ଡା ଯୋଗ ଦେଇଥିଲେ । ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଓ କଣ୍ଟାବାଞ୍ଜୀର ନିର୍ଝରିଣୀର ମିଳିତ ସହଯୋଗରେ କରୋନା ସମୟରେ ଉତ୍ସର୍ଗୀକୃତ ସେବା ପାଇଁ ମହିଳା ସ୍ୱାସ୍ଥ୍ୟ କର୍ମୀ ନମିତା ମିଶ୍ର, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ, ଅବନ୍ତୀ ପୁଟେଲ, ବାସନ୍ତୀ ସୁନାନୀ, ରଶ୍ମିତା ଲୁହା, ଆଶାକର୍ମୀ ସୂର୍ୟ୍ୟକାନ୍ତୀ ମାଝୀ ଓ ଜେମାମଣୀ କଲେତଙ୍କୁ ଉପଢୌକନ ଓ ମାନପତ୍ର ଦେଇ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ବିଧାୟକ ସାଲୁଜା ମାଝୀପଡା ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବାକୁ ଘୋଷଣା କରିଥିଲେ ଯାହା ଫଳରେ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଗଲା । ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ସଭ୍ୟା ଓ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.