ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ବିଭିନ୍ନ ସହାୟତା ବଣ୍ଟନ

ତିଗିରିଆ : ତିଗିରିଆ ବ୍ଲକରେ ମହିଳାମାନଙ୍କୁ ଆର୍ଥିକ ଦିଗରେ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ମିଶନ ଶକ୍ତି ଯୋଜନା ଜରିଆରେ ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ପ୍ରଣବ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପ ରହିଛି ବୋଲି କହିବା ସହିତ ମହିଳାଙ୍କ ବିକାଶ ହିଁ ପ୍ରକୃତ ବିକାଶ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ୮ଟି ପଞ୍ଚାୟତ ଯଥା ବଡ଼ନାଉପୁଟ, ହାଟମାଳ, ଗଦାଧରପୁର, ଭୋଗଡ଼ା, ସୋମପଡ଼ା, ଅଚଳକୋଟ, ଭିରୁଡ଼ା ଓ ବାଲିପୁଟର ୫୩ ଜଣ ଦକ୍ଷ ନଥିପତ୍ର ଲେଖିକା, ୮ଜଣ ଗୋଷ୍ଠୀ ସହାୟିକା ଓ ୪ଜଣ ବ୍ୟାଙ୍କ ମିତ୍ରଙ୍କୁ ପୋଷାକ, ମୋବାଇଲେ ଫୋନ ଏବଂ ଗସ୍ତ ଖର୍ଚ୍ଚ ବାବଦରେ ମୋଟ ୪ଲକ୍ଷ ୫୬ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହାଛଡ଼ା ୧୦ଟି ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ଛେଳି ପାଳନ ବାବଦରେ ୧୧ ଲକ୍ଷ ୫୦ ହଜାର ଟଙ୍କାର ଋଣ କାର୍ଯ୍ୟାଦେଶ ପ୍ରଦାନ କରାଯିବା ସହିତ ଜୱାଦ ବାତ୍ୟା କ୍ଷତିଗ୍ରସ୍ତ ୫୦୪ଜଣ ମହିଳା ଚାଷୀଙ୍କୁ ପନିପରିବା ବିହନ ପୁଡ଼ିଆ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବଣ୍ଟନ କରିଥିଲେ । ଏହି ଅବସରରେ ପାଞ୍ଚଗାଁ ପଞ୍ଚାୟତର ନବନିର୍ମିତ ମିଶନ ଶକ୍ତି କାର୍ଯ୍ୟାଳୟ ଗୃହକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଦ୍‍ଘାଟନ କରିଥିଲେ ।

Leave A Reply

Your email address will not be published.