
ବଲାଙ୍ଗିର, (କେପିଏନ୍ଏସ୍) : “ଅପରେସନ୍ ସିନ୍ଦୂର’ର ସଫଳତା ପରେ ଏହାର ବୀର ଗାଥାକୁ ଲୋକଲୋଚନରେ ପ୍ରସାର କରି ଭାରତୀୟ ଯବାନମାନଙ୍କୁ ସମ୍ମାନ ଜଣାଇବାକୁ ଆଜି ବଲାଙ୍ଗିରରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତିନି ବାହିନୀର ବୀର ଯବାନଙ୍କୁ କୃତଜ୍ଞତା ଭାବ ପ୍ରକାଶ କରି ଜିଲ୍ଲାସ୍ତରରେ ଜିଲ୍ଲା ପ୍ରଶାସନ ଏବଂ ବଲାଙ୍ଗିର ପୌରପରିଷଦ ମିଳିତ ଆନୁକୁଲ୍ୟରେ ତ୍ରିରଙ୍ଗା ମୋଟରସାଇକେଲ ଶୋଭାଯାତ୍ରା ଟାଉନ ପରିକ୍ରମା କରିଥିଲା । ଏହି ମୋଟର ସାଇକେଲ ଶୋଭାଯାତ୍ରାରେ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ , ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସାଲୱାର, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ପୌରାଧ୍ୟକ୍ଷା ଲିକା ସାହୁ, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତରଣୀ ସୁନାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସରକାରୀ କର୍ମଚାରୀ , ଏନ.ସି.ସି. କ୍ୟାଡେଟ, କ୍ରୀଡାବିତ୍, ପୋଲିସ ବାହିନୀ, ପୁରାତନ ଯବାନ ସଂଘ, ସାଧାରଣ ଲୋକେ ଏବଂ ସ୍ଵେଛାସେବୀ ସଂଗଠନ ଯୋଗଦାନ କରିଥିଲେ । ଜିଲ୍ଲାପାଳ ଶ୍ରୀ ଇସାଲୱାର ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ତ୍ରିରଙ୍ଗା ପତାକା ଧରି ବାଇକରେ ଶୋଭାଯାତ୍ରାରେ ବାହାରିଥିଲେ । ବୀର ଯବାନଙ୍କ ସମାନାର୍ଥେ ସମସ୍ତେ ବାଇକରେ ବସି ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାଟି ସକାଳ ୯ଟାରେ କୋଶଲ କଳା ମଣ୍ଡଳ ପଡିଆଠାରୁ ବାହାରି କଚେରି ଛକ , ସୁଦପଡା ହନୁମାନ ମନ୍ଦିର ଛକ, ବିକ୍ରମ ଛକ, ଭାଗିରଥି ଛକ, ସର୍କିଟ ହାଉସ, ଆରଟିଓ ଛକ, ମହିଳା ମହାବିଦ୍ୟାଳୟ , ରାଜେନ୍ଦ୍ର କଲେଜ , ଲିଟିଲ ଫ୍ଲାୱାର ସ୍କୁଲ ଦେଇ ପୁଣି କୋଶଲ କଳା ମଣ୍ଡଳ ପଡିଆକୁ ଫେରିଥିଲା । ଜନସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରମ୍ ନାରା ଦେଇ ସହର ପରିକ୍ରମା କରିଥିଲେ । ଏହି ଯାତ୍ରାରେ ସାମିଲ ସମସ୍ତେ ସମ୍ମାନପୂର୍ବକ ବିପତ୍ତି ସମୟରେ ଆମ ଦେଶ ଦେଶବାସୀଙ୍କ ମର୍ଯ୍ୟାଦା ଓ ସଂକଳ୍ପ ରକ୍ଷା କରିଥିବା ଦେଶର ସ୍ଥଳ, ଜଳ ଓ ଆକାଶ ବାହିନାର ବୀର ଯବାନଙ୍କୁ ପ୍ରଣାମ ଜଣାଇଥିଲେ ।