ପାଟଣାଗଡ଼ ବ୍ଲକ ଛକକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦାବୀରେ ରାସ୍ତାରେ ପଦ୍ମଫୁଲ ଚାଷ କରି ପ୍ରତିବାଦ

ପାଟଣାଗଡ଼ : ଏକ ଐତିହାସିକ ଛୋଟ ସହର । ପୁରାତନ ସମୟରାଜା ରାଜୁଡ଼ା ଅମଳରେ ଏଠାରେ ପାଟଣା ଷ୍ଟେଟର ରାଜଧାନୀ ଥିଲା । ପାଟଣା ଷ୍ଟେଟକୁ ରାଜା ମାନେ ପିଢ଼ି ପରେ ପିଢ଼ି ଶାସନ କରି ଆସୁଥିଲେ । ଏହା କୁଆଁରୀ ପାଟଣା ନାମରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ଛୋଟ ସହରରେ ଦୀର୍ଘ ବର୍ଷ ଧରି ରାସ୍ତା ସଂକୀର୍ଣ୍ଣ ସମସ୍ୟା ଲାଗି ରହିଛି । ରାସ୍ତା ସଂକୀର୍ଣ୍ଣ ଯୋଗୁଁ ଦୈନନ୍ଦିନ ସ୍କୁଲ କଲେଜ ଛାତ୍ରଛାତ୍ରୀ, ହଜାର ହଜାର ଜନସାଧାରଣ, ରୋଗୀ, ବେପାରୀ, ଚାଷୀ ମାନେ ଟ୍ରାଫିକ ସମସ୍ୟାରେ ଉବୁବୁଟୁ ହେଉଛନ୍ତି । ଯାତ୍ରୀମାନଙ୍କୁ ନାହିଁ ନ ଥିବା ସମସ୍ୟା ଭୋଗିବାକୁ ହୁଏ । ସହର ମୁଖ୍ୟ ରାସ୍ତାଦେଇ ଭାରୀଯାନ ଚଳାଚଳ ଯୋଗୁଁ ଅନେକ ଦୁର୍ଘଟଣା ମଧ୍ୟ ଘଟିଛି । ରାସ୍ତାର ଅବସ୍ଥା ଶୋଚନୀୟ ଓ ସଂକୀର୍ଣ୍ଣ ଯୋଗୁଁ ଅନେକ ଦୁର୍ଘଟଣା ଦେଖିଛି ଏହି ସହର ଏହି ରାସ୍ତା । ଛୋଟ ଛୋଟ ସ୍କୁଲ ଛାତ୍ର ଛାତ୍ରୀ ବିପଦ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ସରକାର ପାଟଣାଗଡ଼ ବାଇପାସ ଲାଗି ଦୀର୍ଘ ଦିନ ହେଲା ଘୋଷଣା ଓ ଟଙ୍କା ମଞ୍ଜୁରୀ କରିଥିଲେ ସୁଦ୍ଧା ତାହା ଘୋଷଣାରେ ଅଟକି ଯାଇଛି । ସହରର ମୁଖ୍ୟ ରାସ୍ତା ବ୍ଲକ ଛକ ନିକଟ ପୂର୍ବତନ ବିଧାୟକଙ୍କ ବାସଭବନ ସମ୍ମୁଖରେ ରାସ୍ତା ଏଭଳି ମରଣଯନ୍ତା ପାଲଟି ଯାଇଛି ଜନସାଧାରଣ ଦୈନନ୍ଦିନ ବିପଦ ଅବସ୍ଥାରେ ଯାତାୟାତ କରୁଛନ୍ତି । ଅନେକ ଯାତ୍ରୀଙ୍କର ଦୁର୍ଘଟଣା ଘଟି ଗୋଡ଼ ହାତ ଭାଙ୍ଗିଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପାଟଣାଗଡ଼ ସହର ବାସୀ, ଅଞ୍ଚଳ ବାସୀ ସ୍ଥାନୀୟ ପ୍ରଶାସନ ଓ ରାଜନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ପ୍ରଶାସନ ଓ ରାଜନେତାଙ୍କ ଦୃଷ୍ଟି ଅଢୁଆଳରେ ରହିଯାଇଛି । ଉକ୍ତ ରାସ୍ତା ଦେଇ ପ୍ରଶାସନ, ବିଭାଗୀୟ ଅଧିକାରୀ ସ୍ଥାନୀୟ ରାଜନେତା ଯିବା ଆସିବା କରୁଥିଲେ ସୁଦ୍ଧା କାହାରି ସୁଦୃଷ୍ଟି ପଡ଼ିନାହିଁ । ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀଙ୍କ ପାଟଣାଗଡ଼ ଗସ୍ତ କାର୍ଯ୍ୟକ୍ରମ ଥିଲେ ବିଶ୍ୱକର୍ମା ରୂପୀ ବିଭାଗୀୟ ଅଧିକାରୀ ତୁରନ୍ତ ରାସ୍ତା ମରାମତି କରି ଦିଅନ୍ତି ପୁଣି ଗସ୍ତ କାର୍ଯ୍ୟକ୍ରମ ସରିଗଲେ ଜେସା କୁ ତେସା ରାସ୍ତାର ଅବସ୍ଥା । ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ନେତୃତ୍ୱରେ ଉକ୍ତ ରାସ୍ତାରେ ପାଣି ଯମିଥିବା ଖାଲ ମାନଙ୍କରେ ପଦ୍ମ ଫୁଲ ଚାଷ କରି ଭିନ୍ନ ଢଙ୍ଗରେ ପ୍ରତିବାଦ କରିବା ସହିତ ଉକ୍ତ ଜାଗାକୁ ଜାତୀୟ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବାକୁ ଦାବୀ କରିଛନ୍ତି । ପାଟଣାଗଡ଼ ବ୍ଲକ ଛକ ନିକଟ ରାସ୍ତାକୁ ଜାତୀୟ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଆମର ଦାବୀ, ବ୍ଲକ ଛକଠାରେ ଥିବା ପଦ୍ମ ପୋଖରୀର ସୁରକ୍ଷା ଆମର ଦାବୀ ବୋଲି ସ୍ଲୋଗାନ ଦେଇଥିଲେ । କିଛି ସମୟ ପରେ ପ୍ରତିବାଦ ସ୍ଥଳକୁ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ହେତୁରାମ ବିଭାର ଆସି ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଥିବା ଦାବିପତ୍ର ଗ୍ରହଣ କରି ସରକାରଙ୍କ ନିକଟକୁ ପଠେଇ ଏହାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଆଜିର ପ୍ରତିବାଦ ଆନ୍ଦୋଳନରେ କୋଶଲ ମୁକ୍ତି ମୋର୍ଚ୍ଚାର ଜଗନ ମେହେର, ଜନସନ ନାଗ, ମଦନ ମାଝୀ, ହୃଷିକେଶ ଭୋଇ, ଯୁଧିଷ୍ଠିର ମିର୍ଦ୍ଧା, ରାଜ କୁମାରୀ ମେହେର, ଅଜୟ କୁମାର ମେହେର, ଆନନ୍ଦ ମେହେର, ସରୋଜ ମେହେର, ଶ୍ରୀବଛ ପୁଟେଲ, ଶିବୁ ବାଗଙ୍କ ସହ ଅନେକ ସଂଗ୍ରାମୀ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ପାଟଣାଗଡ଼ ଏ. ଏସ. ଆଇ. ଧବଳେଶ୍ୱର ମାଝିଙ୍କ ସହିତ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ ।

jittmm
Leave A Reply

Your email address will not be published.