ଗୁଜୁରାଟୀ ଝିଅଙ୍କ ଗଞ୍ଜାମ ଶ୍ରମିକ ପୁଅ ସହ ପ୍ରେମ : ପ୍ରେମ ପରେ ଧୋକାବାଜି, ପ୍ରେମିକା ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଲଭ ସେକ୍ସ ଓ ଧୋକ୍କାର କରୁଣ ପରିସ୍ଥିତି । ନ୍ୟାୟ ପାଇବା ପାଇଁ ସୁରଟରୁ ଟ୍ରେନ ଯୋଗେ ଓଡିଶା ଆସି ରେଳବାଇ ପୋଲିସର ସହଯୋଗ ନେଇ ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି, ସୁରଟର ତରୁଣୀ ମମତା ବେନ୍ । କଥାଟା ବାସ୍ତବିକ ଯେତିକି ନିଆରା ସେତିକି ସୁରଟର ସୁନ୍ଦରୀ ଲିଖିତ ଓ ମୌଖିକ ଭାବେ ଦେଇଥିବା ବୟାନ ଅନୁଯାୟୀ ସ୍ୱଷ୍ଟ ଯେ, ବିବାହର ପ୍ରତିଶୃତି ଦେଇ ଶାରିରୀକ ସଂପର୍କ ରଖିବା ପରେ ପ୍ରେମିକାକୁ ଛାଡି ଶ୍ରମିକ ଓଡ଼ିଆ ପୁଅ ଓଡିଶା ପଳାୟନ କରିଛି । ଗଞ୍ଜାମର ଚାଲାଖ ଚତୁର ବଗୁଲିଆ ଶ୍ରମିକ ଟୋକା, ଭାବିଥିଲା ସେ ଝିଅ, ମୋର ସେ କିଛି କରିପାରିବନି, ମୁଁ ତ ଗଞ୍ଜାମୀୟା, ସେ ତ ଗୁଜୁରାଟୀ, ମୋ ଦେଶକୁ ମୁଁ ଚାଲିଗଲେ, ସେ କଣ ମୋତେ ଧରି ପାରିବ ? ବିଚରି ଗୁଜୁରାଟୀ ତରୁଣୀ ଯୁବକଙ୍କୁ ଖୋଜିବାକୁ ଚାଲି ଆସିଛି, ଟ୍ରେନ୍ ଚଢ଼ି ସୁରଟରୁ ଭୁବନେଶ୍ୱର । ଖୋଜି ଖୋଜି ଓଡିଶା ଆସିଯାଇଛନ୍ତି, ଗୁଜୁରାଟୀ ଝିଅ ଖୋଦ ଗଞ୍ଜାମ ଅଞ୍ଚଳକୁ ପ୍ରେମିକର ଗାଁ ପର୍ୟ୍ୟନ୍ତ । ଗୁଜୁରାଟ ରାଜ୍ୟ ସୁରଟ ସହର ନିକଟ ଆମୋରୋଲି ଅଞ୍ଚଳର ଝିଅ ମମତା ବେନ୍ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡଆଗୁଳା ଗ୍ରାମର ଶ୍ରମିକ ପୁଅ ଅରେନ୍ଦ୍ର କରଣ । ଏହି ଝିଅଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରିରୀକ ସଂପର୍କ ରଖି ଓଡିଶା ପଳେଇ ଆସିବା ପରେ ପ୍ରେମିକ ଅରେନ୍ଦ୍ର କରଣଙ୍କ ବିବାହ ଅନ୍ୟତ୍ର ହେଉଥିବା ସୂଚନା ପାଇ ମମତା ଓଡିଶା ଆସି ଗତ ଜୁଲାଇ ୧୭ ତାରିଖ ଦିନ କବିସୂର୍ଯ୍ୟନଗର ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସେଠାରେ ତାଙ୍କୁ ଉଚିତ୍ ନ୍ୟାୟ ନ ମିଳିବାରୁ ସେ ଆଜି ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦାୟିତ୍ୱାଧୀନରେ ଥିବା ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ରଙ୍କୁ ଝିଅ ଭେଟିଥିଲେ । ସେ ଏକ ଲିଖିତ ଅଭିଯୋଗପତ୍ର ଦେଇ ଗୁହାରି କରିଛନ୍ତି । ଅନ୍ୟ ପଟେ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ଗୁଜୁରାଟୀ ଯୁବତୀଙ୍କୁ ଅତିରିକ୍ତ ଏସପି ଶ୍ରୀ ପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କହିଛନ୍ତି । ତେବେ ପ୍ରେମିକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ଅଣ-ଓଡିଆ ଯୁବତୀ(ପ୍ରେମିକା) ମମତା ନ୍ୟାୟ ପାଇଁ ଅପେକ୍ଷାରେ ରହିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କବିସୂର୍ଯ୍ୟନଗର ପୋଲିସ୍ ପ୍ରେମିକକୁ ଗିରଫ୍ କରିବାରେ କୌଣସି ପଦକ୍ଷେପ ନେଇନାହାନ୍ତି । ତେଣୁ ଝିଅ ଅତ୍ୟନ୍ତ ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରେମିକା ଜଣେ ଅଣ-ଓଡିଆ ହୋଇଥିବାରୁ, ତାଙ୍କୁ କେହି ସାହାଯ୍ୟ ଓ ସହଯୋଗ କରିବାକୁ ତାଙ୍କର କେହି ନାହାନ୍ତି । ତେଣୁ ତାଙ୍କୁ ଜୀବନରୁ ମାରିଦେବା ନିମନ୍ତେ ଧମକ ଦିଆଯାଉଥିବା ବିଷୟରେ ସେ ବ୍ୟକ୍ତ କରିଛନ୍ତି । ପ୍ରେମ ପାଗଳିନୀ ମମତା ବେନ୍‌ ପ୍ରେମ ପାଇଁ ବୋଲି ନିଜ ଜୀବନକୁ ବାଜି ଲଗାଇ ଆଜି ନିଜ ଘର ପରିବାର, ଜ୍ଞାତି କୁଟୁମ୍ବକୁ ପରକରି ଆସିଥିବାରୁ ଆଜି ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି । ସେ ପୁଅ ସହ ବିବାହ ସ୍ୱୀକୃତିର ନ୍ୟାୟ ଭିକ୍ଷା କରିଛନ୍ତି ପ୍ରଶାସନକୁ । ଯଦି ତାଙ୍କୁ ଉପଯୁକ୍ତ ନ୍ୟାୟ ନ ମିଳେ ତେବେ ସେ ନିଜ ପ୍ରେମିକଙ୍କ ଘର ସାମ୍ନାରେ ଆତ୍ମହତ୍ୟା କରିବେ ବୋଲି ମମତା ଗଞ୍ଜାମ ପୋଲିସ ପ୍ରଶାସନ ଆଗରେ ଧମକ ଦେଇ କହିଛନ୍ତି ।

Leave A Reply

Your email address will not be published.