ହିରୋକପ୍ ହକି ପ୍ରତିଯୋଗିତା ସମ୍ପନ୍ନ

  • ଏସଏନଜି ବ୍ରଦର ଚାମ୍ପିୟନ ଓ ବିଜାଡିହି ସେଲେମ ଯୋଡି ରନର୍ସ ଅପ

ରାଉରକେଲା, (ସସ୍ମିତା ପ୍ରଧାନ) : ସବଡେଗା ବ୍ଲକ ଅନ୍ତର୍ଗତ କିରାଲଗା ଗ୍ରାମରେ ହକି ବିଶ୍ୱକପ୍ ପ୍ରତିଯୋଗିତାକୁ ଆଖି ଆଗରେ ରଖି ଏକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାର ମୁଖ୍ୟ ଆୟୋଜକ ଦିଲେଶ୍ୱର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳରୁ ପ୍ରାୟ ୯୬ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରାୟ ୧୦ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଶେଷରେ ଏସଏନଜି ବ୍ରଦର ଓ ବିଜାଡିହି ସେଲେମ ଯୋଡି ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଏସଏନଜି ଦଳ ବିଜାଡିହି ଦଳକୁ ପରାସ୍ତ କରି ଏହି ହିରୋକପ୍ ହକି ପ୍ରତିଯୋଗିତାରେ ଚାମ୍ପିୟନ ଦଳ ଭାବେ ଏକ ଖାସି ଓ ନଗଦ ୫୦ ହଜାର ଟଙ୍କା ଲାଭ କରିଥିଲେ । ରନର୍ସ ଅପ ଭାବେ ବିଜାଡିହି ଦଳ ଖାସି ସହ ନଗଦ ୩୦ ହଜାର, ତୃତୀୟ ଦଳ ଭାବେ ଦିଲଗା ଟିମ୍ ଖାସି ସହ ନଗଦ ୨୦ ହଜାର, ଚତୁର୍ଥ ଦଳ ଭାବେ ଡମକୁରା ଦଳକୁ ଖାସି ସହ ନଗଦ ୧୦ ହଜାର ଟଙ୍କା ଓ ପଞ୍ଚମ ତଥା ଷଷ୍ଠ ଦଳଭାବେ ଯଥାକ୍ରମେ ଡିଏଲଟି ଦେଓଗାଁ ଓ ପିସିସି କୁମାରଟୋଲି ଦଳକୁ ଖାସି ପ୍ରଦାନ କରାଯାଇଥିଲା । ଏହା ସହ ଶ୍ରେଷ୍ଠ ଗୋଲକିପର, ଶ୍ରେଷ୍ଠ ସ୍କୋରର, ଶ୍ରେଷ୍ଠ ଖଳାଳିଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଜିଲ୍ଲା ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ, ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ, ଆରଏସପିର ମହାପ୍ରବନ୍ଧକ ଶ୍ରୀନାଥ ନାଏକ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ, ପୋଷ୍ଟମାଷ୍ଟର ତଳସୀରାମ ତନ୍ତୀ ପ୍ରମୁଖ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଖେଳ ମାଧ୍ୟମରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସହ ଶାରିରୀକ ମାନସିକ ବିକାଶରେ ସହାୟକ ହୋଇଥାଏ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କୁ ଏକ ସ୍ୱତନ୍ତ୍ର ଶୋଭାଯାତ୍ରାରେ ପ୍ରତିଯୋଗିତା ହେଉଥିବା ପଡିଆକୁ ନୃତ୍ୟ ଗୀତ ଓ ବାଦ୍ୟର ତାଳେତାଳେ ପାଛୋଟି ନିଆଯାଇଥିଲା । କାର୍ଯ୍ୟକ୍ରମର ସଭାପତି ବେଦପ୍ରକାଶ ନାଏକ, ସଂପାଦକ ରାଜାରାମ ସାହୁ, କୋଷାଧ୍ୟକ୍ଷ ନୁଆସ ଡୁଙ୍ଗଡୁଙ୍ଗ, କ୍ରୀଡା ସଂପାଦକ ଦୁତିବାହାନ ଗରଡିଆ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.