ଗ୍ରାହକ ସେବା କେନ୍ଦ୍ରରେ ହୋଇଥିବା ଚୋରି ମାମଲା ପର୍ଦାଫାଶ କଲା ବେଲପଡା ପୋଲିସ

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଲଥାକେନ୍ଦ ଛକ ସ୍ଥିତ ଗ୍ରାହକ ସେବାକେନ୍ଦ୍ରରେ ଗତ କିଛି ଦିନ ତଳେ ଚୋରି ହୋଇଥିବା ଘଟଣାକୁ ଆଜି ପର୍ଦ୍ଦାଫାଶ କରିବା ସହ ଜଣଙ୍କୁ ଗିରଫ କରି ଚୋରି ସାମଗ୍ରୀ ଜବତ କରିଛି ବେଲପଡା ପୋଲିସ । ସୂଚନା ଅନୁସାରେ ଗତ ଜୁଲାଇ ମାସ ୧୫ ତାରିଖ ଦିନ ବେଲପଡା ଥାନା ସଲଣ୍ଡି ପଞ୍ଚାୟତ ଅନ୍ତର୍ଗତ ଲଥାକେନ୍ଦ ଛକ ଠାରେ ଥିବା ଗ୍ରାହକ ସେବା କେନ୍ଦ୍ରରେ କେହି ଜଣେ ଦୁର୍ବୃତ୍ତ ଚୋରି କରିଥିବା ଘଟଣା ବେଲପଡା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ବେଲପଡା ଥାନାଧିକାରୀ ଗୋଟିଏ ଟିମ୍‌ ଗଠନ କରି ଚୋରକୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ଚୋରକୁ ଧରିବାରେ ସଫଳ ହୋଇଥିଲେ ଏବଂ ଚୋରି କରିଥିବା ସାମଗ୍ରୀ ମଧ୍ୟ ଜବତ କରିଥିଲେ । ଗିରଫ ହୋଇଥିବା ଅଭିଯୁକ୍ତ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନଖା ଗ୍ରାମର ଦିଲସାନ ଦାସ (୨୦) ସେ ସମସ୍ତ ସାମଗ୍ରୀ ଚୋରି କରି ଅନ୍ୟ ଏକ ଜାଗାରେ ଲୁଚାଇ ରଖିଥିଲା । ଗୋଟିଏ ଏଲ୍‌ଜି ସ୍ମାର୍ଟ ଟିଭି, ଜେରକ୍ସ କମ୍‌ ପ୍ରିଣ୍ଟର ମେସିନ୍‌, ଲେମିନେସନ୍‌ ମେସିନ୍‌ ଏବଂ ଗୋଟିଏ ବାଇକ୍‌ ଜବତ କରିଛି ବେଲପଡା ପୋଲିସ । ଏନେଇ ବେଲପଡା ଥାନା କେସ୍‌ ନଂ ୨୦୫/୨୦୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇ ଥିବାବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ବେଲପଡା ଥାନାଧିକାରୀ ଅନନ୍ତ ପଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.