
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମ୍ଭି-୧୮ ଗାଁରେ ଅଭାବନୀୟ ଘଟଣା । ଟଙ୍କା ଚୋରି କରିବା ବେଳେ ଧରାପଡିଗଲା ବୋହୂ । ଯାହାପରେ ଶାଶୁଙ୍କୁ ନିଆଁ ଲଗାଇ ପୋଡ଼ି ଦେଲା ବୋହୂ । ଖବର ଅନୁଯାୟୀ, ଶାଶୁ ରେଣୁକା ବୈଦ୍ୟ ନିଜ ଘରେ ଶୋଇଥିଲେ । ଏହି ସମୟରେ ବୋହୂ ଜୟା ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହାପରେ ଘରର କବାଟ ବନ୍ଦ କରି ଚାରି ମାସର ପୁଅକୁ ନେଇ ବାପ ଘରକୁ ଚାଲି ଯାଇଥିଲେ । ଏହାପରେ ଶାଶୁଙ୍କୁ ଗୁରୁତର ଅବସ୍ଥାରେ ଗାଁଲୋକେ ପ୍ରଥମେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ରେଣୁକାଙ୍କ ଶରୀରର ୬୦ ପ୍ରତିଶତ ପୋଡି ଯାଇଥିଲା । ଯାହାଫଳରେ ଛତିଶଗଡ଼ ରାୟପୁର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ଏହି ଘଟଣାକୁ ନେଇ ଜୟାଙ୍କ ସ୍ୱାମୀ ଅବିନାଥ ବୈଦ୍ୟ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।