ବଲାଙ୍ଗିର, (କେପିଏନ୍ଏସ୍) : ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲ୍କୁ ବଲାଙ୍ଗିର ବିଧାୟକଙ୍କ ଅଚାନକ ପରିଦର୍ଶନ । ହସ୍ପିଟାଲ୍ର ବିଭିନ୍ନ ୱାର୍ଡ ବୁଲିଲେ ଓ ଅବ୍ୟବସ୍ଥା ଦେଖି ଅସନ୍ତୋଷ ହେଲେ । ଆଜି ପୂର୍ବାହ୍ନରେ ଭୀମଭୋଇ ମେଡିକାଲ କଲେଜ୍ ହସ୍ପିଟାଲ୍କୁ ଅଚାନକ ପରିଦର୍ଶନ କରିଥିଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ । ହସ୍ପିଟାଲ୍ ପରିସର ବୁଲି ଦେଖିବା ସହିତ ମେଡିସିନ ୱାର୍ଡ ଭିତରକୁ ଯାଇ ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ । ହସ୍ପିଟାଲ୍ରେ ଘୋର ଅବ୍ୟବସ୍ଥା ଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ହେଲା ପରେ ବି ଏହାର ଅବସ୍ଥାରେ କୌଣସି ସୁଧାର ଆସିନି । ରୋଗୀମାନଙ୍କୁ ସାଲାଇନ ଲଗାଇବା ପାଇଁ ଷ୍ଟାଣ୍ଡ ନାହିଁ କି ରୋଗୀ ମାନଙ୍କ ପାଇଁ ବେଡ଼ ନାହିଁ । ଫାୟାର ସେଫ୍ଟି ପାଇପ୍ରେ ପ୍ଲାଷ୍ଟିକ ଦଉଡ଼ିରେ ବାନ୍ଧି ସାଲାଇନ ବୋତଲ ଝୁଲାଯାଉଛି । ରୋଗୀଙ୍କ ବ୍ୟବହୃତ କପଡ଼ା ଏଣେତେଣେ ଗଦା ହୋଇଛି । ଲୋକେ ପାନ ଗୁଟଖା ଖାଇ ହସ୍ପିଟାଲ ସାରା ଛେପ ପକାଇ ଥିବାର ବିଧାୟକ ନିଜେ ଏଗୁଡ଼ିକର ଫଟୋ ଉଠାଇଥିଲେ । ଆଗାମୀ ବଜେଟ ବିଧାନସଭା ବୈଠକରେ ଏହାକୁ ମୁଖ୍ୟ ପ୍ରସଙ୍ଗ ଭାବରେ ଉପସ୍ଥାପନ କରିବେ ବୋଲି କହିଥିଲେ । ଅପର ପକ୍ଷେ ଭୀମ ଭୋଇ ମେଡିକାଲ୍ କଲେଜ୍ର ନୂଆ ହସ୍ପିଟାଲ୍କୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ବଲାଙ୍ଗିର ଜିଲ୍ଲାର ହୋଇଥିଲେ ହେଁ ତାଙ୍କ ଜିଲ୍ଲାରେ ଏକ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଯାହାଫଳରେ ଲୋକଙ୍କ ଚିକିତ୍ସାରେ ବ୍ୟାହତ ସୃଷ୍ଟି ହେଉଥିବା ସେ କହିଥିଲେ । ତୁରନ୍ତ ସେହି ନୂଆ ହସ୍ପିଟାଲ୍କୁ କାର୍ଯ୍ୟକ୍ଷମ କରିବାକୁ ବିଧାୟକ ଦାବି କରିଥିଲେ ।