centurian jitm

ଜନ ନାଟ୍ୟ ମ‌ଞ୍ଚର ବିଶ୍ୱ ନାଟ୍ୟ ଦିବସ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ପ୍ରାଙ୍ଗଣରେ ବୈଜ୍ଞାନିକ ମନୋଭାବ ବିକାଶ ନିମିତ୍ତ ଦାତବ୍ୟ ଟ୍ରଷ୍ଟ କେନ୍ଦ୍ର ତରଫରୁ ‘ଜନ ନାଟ୍ୟ ମ‌ଞ୍ଚ’ର ସଂପାଦକ ଆର୍ତ୍ତତ୍ରାଣଙ୍କ ସଭାପତିତ୍ୱରେ ଜନ ନାଟ୍ୟ ମ‌ଞ୍ଚର ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସମଗ୍ର ପୃଥିବୀ ହେଉଛି ଗୋଟିଏ ରଙ୍ଗମ‌ଞ୍ଚ, ଆମେ ହେଉଛୁ ତାର କଳାକାର । ନାଟ୍ୟକଳା ହେଉଛି ଦୃଶ୍ୟ ଓ ଶ୍ରାବ୍ୟ କଳା । ସମାଜର ପ୍ରତିଟି ମଣିଷ ହୃଦୟତନ୍ତ୍ରୀ ଭିତରେ ପ୍ରବେଶ କରି ତାର ଜୀବନ ଚର୍ଯ୍ୟାରେ ଘଟୁଥିବା ଦୁଃଖ ଓ ଯନ୍ତ୍ରଣା, ଅର୍ଥନୈତିକ ତଥା ସାଂସ୍କୃତିକ ଦିଗକୁ ଉନ୍ମୋଚନ କରି, ଅନ୍ଧକାର ଭିତରୁ ତାକୁ ମୁକ୍ତିର ମାର୍ଗ ଦେଖାଏ । ପୃଥିବୀର କେଉଁଠି ନା କେଉଁଠି ବୋମାଟାଏ ଫୁଟିଲେ ନାଟ୍ୟକାର ଛାତି ବିଦିର୍ଣ୍ଣ ହୁଏ, ସେ ତାକୁ ନେଇ ରଚନା କରେ ନାଟକ, ଆଉ ସେହି କଳା ମାଧ୍ୟମରେ ଦିଏ ଶାନ୍ତିର ବାର୍ତ୍ତା । ଆଜି ବିଶ୍ୱରେ ପୁଞ୍ଜି ସାମ୍ରାଜ୍ୟର ଯୁଦ୍ଧ ଘନଘଟା ନାଟ୍ୟକାର ଦିଏ ବିଶ୍ୱ ନାଟ୍ୟ ଦିବସରେ ଶାନ୍ତିର ବାର୍ତ୍ତା । ପୃଥିବୀରେ ମଣିଷ ଉପରେ ମଣିଷ ଶୋଷଣର ଯୁଦ୍ଧ ବନ୍ଦ ହେଉ ଶାନ୍ତିର କପୋତ ଭ୍ରମଣ କରୁ । ମୁଖ୍ୟ ଅତିଥି ପ୍ରଫେସର ଶଶିକାନ୍ତ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ନୈତିକତା ଶିକ୍ଷା ଦିଆଯାଇପାରେ ଏବଂ ବୈଜ୍ଞାନିକ ମନୋଭାବ ବିକାଶରେ ସାହାଯ୍ୟ କରିପାରେ ଏବଂ ଜୀବନକୁ ପ୍ରଗତିଶୀଳ ଦିଗରେ ନେବା ପାଇଁ ସାହାଯ୍ୟ କରିପାରେ ତେଣୁ ନାଟ୍ୟକାରମାନେ ସମାଜର ବାସ୍ତବ ଚିତ୍ର ଦେଇ ଉନ୍ନତ ନାଟକ ଲେଖିବାକୁ ଆହ୍ବାନ ଦେଇଥିଲେ । ମୁଖ୍ୟବକ୍ତା ଅଭିରାମ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଜନ ସଚେତନତା ଉଦ୍ଦେଶ୍ୟରେ ନାଟକ ପରିବେଷିତ ହେଲେ ହୁଏତ ସମାଜର ବହୁତ କିଛି ପରିବର୍ତ୍ତନ ହୋଇପାରିବ । ଯେଉଁଠି କ୍ଷମତା ପ୍ରତିପତ୍ତି କାର୍ୟ୍ୟ ଅତି ନିବିଡ଼ ଭାବରେ କାଯ୍ୟ କରୁଛି ସେଇଠି ଜନ ଜାଗରଣ ଆବଶ୍ୟକତା ରହିଛି । ଏସବୁ ନହେଲେ ସୁସ୍ଥ ସମାଜରେ ସାଧାରଣ ଚଳଣି କଷ୍ଟସାଧ୍ୟ ହୋଇପାରିବ । ପ୍ରଫୁଲ୍ଲ ସାମଲ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ପିଲାମାନେ ଯେ କୌଣସି ପାଠ୍ୟ ପୁସ୍ତକ ପଢି ଯାହା ବି ଶିକ୍ଷା ପାଆନ୍ତି ସେହି ପାଠ୍ୟ ଆଲୋଚନା ଯଦି ନାଟକ ମାଧ୍ୟମରେ ଦେଖିପାରନ୍ତେ ତେବେ ପିଲାମାନେ ଖୁବ୍ ଶୀଘ୍ର ତାହା ମନେରଖିବା ସହିତ ହୃଦୟଙ୍ଗମ କରିପାରନ୍ତେ । ଏହି ସଭାରେ ଆଶ୍ରମର ସମସ୍ତ ଅନ୍ତେବାସୀ ଯୋଗଦାନ ଦେଇଥିଲେ । ଶେଷରେ ଟ୍ରଷ୍ଟର ସଂପାଦିକା ହେମନ୍ତା ତାଣ୍ତିଆ ଧନ୍ୟବାଦ ଦେଇ କହିଥିଲେ ଯେ ନାଟକ ହେଉଛି ସମାଜର ଦର୍ପଣ ସଦୃଶ୍ୟ ଏବଂ ଏହା ମାଧ୍ୟମରେ ସମାଜରେ ଘଟୁଥିବା ପ୍ରତ୍ୟେକ ଘଟଣାକୁ ପରିପ୍ରକାଶ କରାଯାଇଥାଏ ।

Leave A Reply

Your email address will not be published.