
ବଲାଙ୍ଗିର, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତର ଘୁସୁରାମୁଣ୍ଡା ସ୍ଥିତ ଅଲେଖ ମହିମା ମଠରେ ଗତ ଚୈତ୍ର ଶୁକ୍ଳପକ୍ଷ ନବମୀ ଠାରୁ ଆରମ୍ଭ ହୋଇଥିବା ଅଲେଖ ମହାପ୍ରଭୁଙ୍କ ବିଶ୍ଵଶାନ୍ତି ବାଲ୍ୟଲୀଳା ବ୍ରହ୍ମଯଜ୍ଞ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଶ୍ଵଶାନ୍ତି ଓ ଭ୍ରାତୃପ୍ରୀତି ନିମିତ୍ତ ଯଜ୍ଞ କରାଯିବା ସହିତ ୧୦୮ ବତୀ ଲଗାଯାଇ ତ୍ରିସନ୍ଧ୍ୟା ଉପାସନା କରାଯାଇଥିଲା । ସୋନପୁର ଜିଲ୍ଲା ଖଲିଆପାଲିସ୍ଥିତ ଭୀମଭୋଇ ମଠର ମହନ୍ତ ବାବା ସନ୍ୟାସୀ ଦାସ ଏବଂ ଘୁସୁରାମୁଣ୍ଡା ମଠର ବାବା ମହାରଣା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ବିଭୁକୃପା ଲାଭ କରିଥିଲେ । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଯୁଧିଷ୍ଠିର ପଧାନ ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ସାମ୍ବାଦିକ ବିମଳେନ୍ଦୁ ସାହୁ, ଶ୍ୟାମସୁନ୍ଦର ମେହେର, ସୁଶାନ୍ତ ବାରିକ, ଅଭିଳାଷ ହୋତା, ସରୋଜ ବିଶ୍ଵାଳ ପ୍ରମୁଖ ଯୋଗଦେଇ ବିଶ୍ଵଶାନ୍ତି ନିମିତ୍ତ ସାଧୁସନ୍ଥଙ୍କ ଏତାଦୃଶ ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଥିଲେ । ଏଥିସହିତ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏଥିପ୍ରତି ସ୍ଵତନ୍ତ୍ର ଭାବେ ଦୃଷ୍ଟିଦେଇ ପୀଠର ଉନ୍ନତି ସକାଶେ ପଦକ୍ଷେପ ନେବା ସକାଶେ ଦାବି ଜଣାଇଥିଲେ । ଜ୍ୟୋତିପ୍ରକାଶ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମୁଖ୍ୟ ଉଦ୍ୟୋକ୍ତା ତଥା ଗୌନ୍ତିଆ ହିମାଂଶୁ ଶେଖର ସାହୁ ପୀଠର ଐତିହାସିକ ତାତ୍ପର୍ଯ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ବିଶ୍ଵଶାନ୍ତି ବାଲ୍ୟଲୀଳା ବ୍ରହ୍ମଯଜ୍ଞ ପରମ୍ପରା ଅନୁଯାୟୀ ଗତ ୧୯୪୯ ମସିହାରୁ ୭୭ ବର୍ଷ ଧରି ପ୍ରତିବର୍ଷ ଚୈତ୍ର ଶୁକ୍ଳପକ୍ଷ ନବମୀ ଠାରୁ ଏହି ଉତ୍ସବ ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ଉଦଯାପିତ ହୋଇଥାଏ । ବଲାଙ୍ଗିର ଜିଲ୍ଲାର ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ଅଲେଖ ମହିମା ମଠ ଭାବେ ଜଣାଶୁଣା ଏହି ପୀଠ ପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ସକାଶେ ସାଧାରଣରେ ଦାବି ହେଉଛି ।