ରବି ୨୦୨୩-୨୪ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ

  • ଜିଲ୍ଲାର କୃଷି ଓ କୃଷକଙ୍କୁ ସଶକ୍ତିକରଣ ଆମର ଲକ୍ଷ୍ୟ
  • ବ୍ୟାପକ ସଚେତନତା ଓ ଚାଷୀ ପରାମର୍ଶ ନିମନ୍ତେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାର ରବି ୨୦୨୩-୨୪ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷିନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଅଧକ୍ଷତା କରି ଜିଲ୍ଲାର କୃଷି ଓ କୃଷକଙ୍କୁ ସଶକ୍ତିକରଣ କରିବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ କୃଷି ଓ କୃଷକଙ୍କ ନିମନ୍ତେ କୃଷି କଲ୍ୟାଣ କାର୍ଯ୍ୟକ୍ରମକୁ ସଫଳ ଭାବରେ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାର କୃଷି ବିଭାଗର ବ୍ଲକସ୍ତରୀୟ କୃଷି ଅଧିକାରୀମାନେ ନିଜ ନିଜ ବ୍ଲକ ଅଂଚଳରେ କ୍ଷେତ୍ର ପରିଦର୍ଶନ ସହ ଆଗ୍ରହୀ ତଥା ଉପଯୁକ୍ତ ଚାଷୀଙ୍କୁ ଚାଷ ଉପଯୋଗୀ ପରାମର୍ଶ ଓ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ଚଳିତ ରବିଋତୁ ଚାଷକୁ ଧାର୍ଯ୍ୟ ମୁତାବକ ସଫଳ କରିବା ପାଇଁ କୃଷି ବିଭାଗ ଆବଶ୍ୟକ ମୁତାବକ ଅନ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ ରଖି କାର୍ଯ୍ୟ ସମ୍ପାଦନ କରିବାକୁ ସୂଚନା ଦିଆଯାଇଛି । ଏହା ଦ୍ୱାରା ଜିଲ୍ଲାର କୃଷି ଓ କୃଷକ ଉଭୟଙ୍କୁ ସମୃଦ୍ଧ କରାଯାଇପାରିବ ବୋଲି ଗୁରୁତ୍ୱାରୋପ କରାଯାଇଛି । ପୁନଶ୍ଚ ଜିଲ୍ଲାର ରବିଚାଷ ଉପଯୋଗୀ ଶତ ପ୍ରତିଶତ ଜମି ଯେପରି ଚାଷ ହୋଇପାରିବ ଓ ଚାଷୀମାନେ ଉପକୃତ ହେବେ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି । ଆଜିର ଏହି ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଡ.ବିଭୁତି ଭୂଷଣ ମିଶ୍ର ସ୍ୱାଗତ ବକ୍ତବ୍ୟ ଦେଇ ଜିଲ୍ଲା କୃଷି ବିଭାଗ ତରଫରୁ ଚଳିତ ରବି ୨୦୨୩-୨୪ ବର୍ଷ ନିମନ୍ତେ ନିଆଯାଇଥିବା ବିଭିନ୍ନ କୃଷି ରଣନୀତିକୁ ବୈଠକରେ ଉପସ୍ଥାପନା କରିଥିଲେ । ଏହି ପରିପ୍ରେକ୍ଷୀରେ ଚଳିତ ରବି ନିମନ୍ତେ ସମୁଦାୟ ୮୮୭୪୦ହେକ୍ଟର ଜମି ବିଭିନ୍ନ ଚାଷ ଉପଯୋଗୀ ରହିଥିବା ବେଳେ ତନ୍ମଧ୍ୟରୁ ୩୨୧୩୦ ହେକ୍ଟର ଜମିରେ ୧୯୫୨୭୪ ମେଟ୍ରିକ ଟନ ଧାନ, ଗହମ, ଓ ମକା ଉତ୍ପାଦନ ଲକ୍ଷ୍ୟ ରହିଥିବା ସୂଚନା ଦିଆଯାଇଛି । ସେହିପରି ଅଣ ଧାନ ଚାଷ ନିମନ୍ତେ ୩୪୫୩୦ ହେକ୍ଟର ଜମିରେ ଡାଲିଜାତୀୟ ଚାଷ କରାଯାଇ ୨୩୮୪୪ ମେଟ୍ରିକ ଟନ ଉତ୍ପାଦନ ଲକ୍ଷ୍ୟ ରହିଥିବା ସୂଚନା ଦିଆଯାଇଛି । ସେହିପରି ୬୬୨୦ ହେକ୍ଟର ଜମିରେ ତୈଳବୀଜ, ୧୦୬୭୦ ହେକ୍ଟର ଜମିରେ ପନିପରିବା, ୨୬୮୦ ହେକ୍ଟର ଜମିରେ ମସଲା ଜାତୀୟ ଶସ୍ୟ, ଏବଂ ୩୦ ହେକ୍ଟର ଜମିରେ ଆଖୁ ଚାଷର ଲକ୍ଷ୍ୟ ରଖାଯାଇ ଯଥାକ୍ରମେ ୬୩୯୪ ମେଟ୍ରିକ ଟନ ଡାଲିଜାତୀୟ ଫସଲ ୨୦୭୮୦୫ ମେଟ୍ରିକ ଟନ ପନିପରିବା, ୮୧୨୦ ମେଟ୍ରିକ ଟନ ମସଲା ଜାତୀୟ ଶସ୍ୟ, ଓ ୨୨୬୬ ମେଟ୍ରିକ ଟନ ଆଖୁ ଉତ୍ପାଦନ ଲକ୍ଷ୍ୟ ରହିଥିବା ସୂଚନା ବିଭାଗ ତରଫରୁ ପ୍ରଦାନ କରାଯାଇଛି । ୨୦୨୩-୨୪ ରବିଚାଷ ସମୟରେ ବୃହତ, ମଧ୍ୟମ, କ୍ଷୁଦ୍ର ଜଳ ସେଚନ ତଥା ଜିଲ୍ଲାର ଅନ୍ୟାନ୍ୟ ଜଳ ଉତ୍ସ ମାଧ୍ୟମରେ ୫୯୯୪୬ ହେକ୍ଟର ଜମିକୁ ଜଳସେଚନର ସୁବିଧା ରହିଥିବା ସୂଚନା ଦିଆଯାଇଛି । ଚଳିତ ବର୍ଷ ଜିଲ୍ଲାରେ ବିଭିନ୍ନ କିସମର ୪୩୭୧କୁଇଣ୍ଟାଲ ଧାନ ବିହନ, ମୁଗ ୧୪୫.୫ କୁଇଣ୍ଟାଲ, ବିରି ୫୪.୬ କୁଇଣ୍ଟାଲ, ସୋରିଷ ୩୮.୯୫ କୁଇଣ୍ଟାଲ, ବାଦାମ ୨୮୦ କୁଇଣ୍ଟାଲ, ରାଶି ୮.୪ କୁଇଣ୍ଟାଲ, କାଓପି ୨.୩ କୁଇଣ୍ଟାଲ ଜିଲ୍ଲାର ପ୍ୟାକ୍ସ ଏବଂ ପ୍ରାଇଭେଟ ଡିଲର ଜରିଆରେ କୃଷକମାନଙ୍କୁ ଯୋଗାଇବାର ବ୍ୟବସ୍ଥା ରହିଥିବା ସୂଚିତ କରାଯାଇଛି । ପୁନଶ୍ଚ ବୈଠକରେ ଜିଲ୍ଲାର କୃଷି ଓ କୃଷକ ଙ୍କ ନିମନ୍ତେ ସମ୍ପୃକ୍ତ ବିଭିନ୍ନ ବିଭାଗ ତରଫରୁ ନିଆଯାଇଥିବା କୃଷି ସମ୍ୱନ୍ଧୀୟ ଅନ୍ୟାନ୍ୟ ବିଶେଷ ଆଲୋଚନା କରାଯାଇଥିଲା । ଆଜିର ଏହି ବୈଠକରେ ସମ୍ପୃକ୍ତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ଉପଜିଲ୍ଲାପାଳ ସୋନପୁର ଡ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ତଥା ଉପଖଣ୍ଡ ଓ ବ୍ଲକସ୍ତରୀୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.