ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଦୁସ୍ଥ ଧନୁ ବରିହାଙ୍କ ଘରକୁ ପହଞ୍ଚି ଦୁଃଖ ବୁଝିଛନ୍ତି ଜିଲ୍ଲାପାଳ ଡ. ନୃପରାଜ ସାହୁ । ଧନୁ ବରିହାଙ୍କ ପରିବାର ଝାଟିମାଟି ଘରେ ମୁଣ୍ଡ ଗୁଞ୍ଜି ରହୁଥିବା ଖବର ଗଣମାଧ୍ୟମରେ ପ୍ରସାରଣ ପରେ ତୁରନ୍ତ ଜିଲ୍ଲାପାଳ ଡ. ସାହୁ ତାଙ୍କ ଘରକୁ ନିଜେ ପହଞ୍ଚିବା ସହ ଦୁଃଖ ବୁଝିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖାରି ଗ୍ରାମ ପଂଚାୟତ ଅନ୍ତର୍ଗତ ବନ୍ଧପାଲି ଗ୍ରାମରେ ବସବାସ କରୁଥିବା ଧନୁ ବରିହାଙ୍କ ପତ୍ନୀ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିବାବେଳେ ତାଙ୍କର ମାନସିକ ଅନଗ୍ରସର ପୁଅ ଝିଅ ନେଇ ଭଙ୍ଗା ଦଦରା ଝାଟିମାଟି ଘରେ ଜୀବନ ଯାପନ କରୁଛନ୍ତି । ଖବର ପାଇ ଜିଲ୍ଲାପାଳ ଡ. ସାହୁ ବୃଦ୍ଧ ଦମ୍ପତିଙ୍କୁ ଭେଟି ଦୁଃଖସୁଖ ବୁଝିବା ସହ ଆବାସ ଗୃହ ଶୀଘ୍ର ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଦୁଃସ୍ତଃ ଧନୁ ବରିହାଙ୍କ ପରିବାରକୁ ଭେଟିବା ପରେ ଜିଲ୍ଲାପାଳ ନିଜ ସୋସିଆଲ ମିଡିଆରେ ଏକ ଭାବ ବିହ୍ୱଳ ପୋଷ୍ଟ କରିଛନ୍ତି ଯେଉଁ ଥିରେ ଉଲ୍ଲେଖ ରହିଛି ଯେ,
ଏମିତି ବି ଥାଏ ଜୀବନ ।
ଧନୁ ବରିହା… ବୟସ ପଞ୍ଚସ୍ତରୀ ପାଖାପାଖି…. ବନ୍ଧପାଲି ଗାଁ… ଖାରି ପଞ୍ଚାୟତ…. ସୋନପୁର ବ୍ଲକ…. ସ୍ତ୍ରୀ ଅକ୍ଷମ… ବାର୍ଦ୍ଧକ୍ୟ ଆଉ ବେମାର ଦୀର୍ଘ ଦିନ ହେଲା ତାକୁ ଖଟରେ ଲଟକେଇ ଦେଇଛି… ପୁଅ ଅକ୍ଷମ… ମାନସିକ ଅବସ୍ଥା ଭଲ ନାହିଁ… ଝିଅ ଭିନ୍ନକ୍ଷମ… ଅସହାୟତା ତାର ଜୀବନସାଥି… ଧନୁ ବରିହାଙ୍କ ଘର ମାଟିରେ ମିଶିଛି ତିନି ବର୍ଷ ତଳୁ…. ପଞ୍ଚସ୍ତରୀ ବର୍ଷରେ ସେ ହିଁ ପରିବାର ପାଇଁ ଆଶା ଆଉ ଭରସା .. କିଛି ଭତ୍ତା ଆଉ ସରକାରୀ ଚାଉଳ ଜୀବନ ବଂଚେଇକି ରଖିଛି….
ଆଜି ତାଙ୍କ ଘରକୁ ଆସିଥିଲି ସକାଳୁ ସକାଳୁ…
ଜୀବନକୁ ଆଉ ଟିକେ ପାଖରୁ ଦେଖିଲି…..
ମୋ ଶକ୍ତି ଭିତରେ ଆଜିହିଁ ଘରଟିଏ ମଂଜୁର କଲି…. କାମ ଶୀଘ୍ର ଆରମ୍ଭ ହେବ…. ଧନୁ ବରିହା ଘରଟିଏ ପାଇବେ ନିଃସନ୍ଦେହ…. କିନ୍ତୁ ଭାଗ୍ୟ ଯେ କେତେ ନିଷ୍ଠୁର… କେତେ କ୍ରୁର… ନ ଭୋଗିଲେ ବୁଝି ହୁଏକି …
ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ଦୁସ୍ତଃ ବୃଦ୍ଧ ପରିବାରଙ୍କ ମୁହଁରେ ହସ ଫୁଟିଥିବା ଦେଖାଯାଇଛି ।