ଭଙ୍ଗା ଦୁର୍ବଳ ମାଟି କାନ୍ଥ ଘରେ ଜୀବନ ବିତାଉଛନ୍ତି ମାଁ ଝିଅ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ସାମାଜିକ ସୁରକ୍ଷା ନିମନ୍ତେ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଯୋଜନା ମାନ ପ୍ରଣୟନ କରିଛନ୍ତି । ପ୍ରତ୍ୟେକ ମାଟି ଘରକୁ ପକ୍କା ଘର କରିବା ପାଇଁ ଆବାସ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଯୋଗ୍ୟ ହିତାଧିକାରୀ ମାନେ ଏଥିରୁ ବଂଚିତ ହେଉଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଭେଉଁରିଆ ଗ୍ରାମ ପଞ୍ଚାୟତର ଦେଉଳି ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗ୍ରାମର ଦୁଇ ମାଁ ଝିଅ ଏକ ଦଦରା ଫାଟ ଯୁକ୍ତ ଘରେ ଜୀବନ ବିତାଉଛନ୍ତି । ଗ୍ରାମର ବୟସ୍କା ବିଧବା ବୃଦ୍ଧା ବୃନ୍ଦାବତି ବିଶ୍ୱାଳ (୭୦) ଏବଂ ତାଙ୍କ ଝିଅ ବୟସ୍କା ଅବିବାହିତା ପଦ୍ମାବତୀ ବିଶ୍ୱାଳ (୪୫) ବହୁ କଷ୍ଟରେ ମାଟି କାନ୍ଥ ଘରେ ରହୁଛନ୍ତି । ଝଡ ବର୍ଷାରେ ଜୀବନ ପ୍ରତି ଆଶଙ୍କା ସୃଷ୍ଟି ହେଉଥିବା ବେଳେ ପ୍ରାୟ ସବୁବେଳେ କାନ୍ଥ ପଡ଼ିଯିବାର ଭୟ ରହିଥାଏ । ଚାରିଆଡେ ଫାଟ ହୋଇ ଯାଇଥିବା ଯୋଗୁଁ କାନ୍ଥକୁ ବର୍ଷା ଦାଉରୁ ରକ୍ଷା ପାଇଁ ପଲିଥିନ ତଥା ପାଲ ଢାଙ୍କି ରଖିଛନ୍ତି । ଜୀବିକା କହିଲେ ତାଙ୍କ ଭତ୍ତା ଓ ମଜୁରୀ ଅଟେ ଜମିବାଡ଼ି ନଥିବାରୁ ମଜୁରୀ ଓ ଭତ୍ତାରୁ ଗୁଜୁରାଣ ମେଣ୍ଟାଇ ଘର ମରାମତି ପାଇଁ ଖର୍ଚ୍ଚ ବାହାର କରିପାରୁ ନାହାଁନ୍ତି । ଏହା ସହ ଗ୍ରାମର ସରୋଜିନୀ ସାହୁ ଓ ଗିରିଜା ସାହୁ ସେହିପରି ଭଙ୍ଗା ମାଟିକାନ୍ଥ ଘରେ ବସବାସ କରି ଜୀବନ ବିତାଉଛନ୍ତି । ଏହି ତିନି ପରିବାର ଘର ପାଇଁ ପ୍ରଶାସନ ତଥା ପଞ୍ଚାୟତକୁ ଆଗରୁ ଜଣାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଘର ପାଇ ନାହିଁ । ପ୍ରଶାସନ ଏହିପ୍ରତି ଦୃଷ୍ଟି ଦେଇ ଏ ମାନଙ୍କୁ ଆବାସ ଯୋଜନାରୁ ଘର ପ୍ରଦାନ କରିବାକୁ ଦାବି ହୁଏ ।

Leave A Reply

Your email address will not be published.