- ଗଞ୍ଜାମ ଏସ୍ପି, ବ୍ରହ୍ମପୁର ଏସ୍ପିଙ୍କ ମିଳିତ କ୍ରମେ ଆଇଜି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଜାରୀ ରଖିଛନ୍ତି
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ଗଞ୍ଜାମ ବାର ଆସୋସିଏସନ (ବ୍ରହ୍ମପୁର)ର ସଦସ୍ୟ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗତକାଲି ରାତ୍ରି ପ୍ରାୟ ୧୦ ଘଣ୍ଟା ସମୟରେ ବାଇକ୍ରେ ହେଲମେଟ ପିନ୍ଧି ଆସି ଦୁଇଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ଆଇନଜୀବୀ ପୀତବାସ ପଣ୍ଡାଙ୍କ ମୃତ୍ୟୁ ଖବର ପାଇ ସମଗ୍ର ଗଞ୍ଜାମ ଜିଲ୍ଲା କ’ଣ ବିଶେଷ କରି ବ୍ରହ୍ମପୁର ସହରରେ ଶୋକର ଛାୟା ଖେଳିଯାଇଛି । ଶୋଭାଯାତ୍ରା ମାଧ୍ୟମରେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା ଚରି ଆଜି ସକାଳେ ତାହାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଯାଇଛି । ସେ ଜଣେ ବରିଷ୍ଠ ବିଜେପି ନେତା ଓ ଦକ୍ଷ ଓକିଲ, ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଗରିବ ଲୋକଙ୍କର କଥାକୁ ବୁଝି ସରକାରଙ୍କ ଠାରେ ପହଞ୍ଚାଉଥିଲେ । ସେ ଜଣେ ପରୋପକାରୀ ବନ୍ଧୁ ଥିଲେ । ଦୁର୍ନୀତି ବିରୁଦ୍ଧରେ ଦୃଢ଼ ଅଭିଯୋଗ ଆଣି, ତାହାର କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଂଗ୍ରାମ ଜାରି ରଖିଥିଲେ । ଏଭଳି ଦୁଃଖଦାୟକ ଘଟଣାକୁ ବିଭିନ୍ନ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇ ତୀବ୍ର ନିନ୍ଦା କରାଯାଇଛି । ଖବର ଶୁଣି ଅନେକ ବନ୍ଧୁବର୍ଗ , ବିଜେପି ନେତା, ବିଧାୟକ ନେତ୍ତୃବର୍ଗ ପ୍ରମୁଖ ମର୍ମାହତ ହୋଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ହତ୍ୟାକାରୀକୁ ତୁରନ୍ତ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଆଇନଜୀବୀଙ୍କ ପାଇଁ ସରକାର ଆଇନଜୀବି ସୁରକ୍ଷା ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ଠାରେ ଆଇନଜିବୀ ସଙ୍ଘ ପକ୍ଷରୁ ଦାବୀ କରାଯାଇଛି । ପ୍ରକାଶ ଥାଉକି, ବ୍ରହ୍ମପୁର ସ୍ଥିତ ବ୍ରହ୍ମାନଗରର ତାଙ୍କ ବାସଭବନ ସମ୍ମୁଖରେ ବୈକୁଣ୍ଠନଗର ଗଳି ନିକଟରେ କିଛି ଦୁବୃତ୍ତ ଦୁଇ ରାଉଣ୍ଡ ଗୁଳିକରି ଚମ୍ପଟ ମାରିଛନ୍ତି । ୩ମାସ ତଳେ ବ୍ରହ୍ମପୁର ପୋଲିସକୁ ଆଇନଜୀବୀଙ୍କ ଅସୁରକ୍ଷିତ ଅବସ୍ଥାକୁ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାଜ୍ୟ ପୋଲିସ ବ୍ୟବସ୍ଥାର ଅପାରଗତା କାରଣରୁ ଆଜି ଭଳି ଏକ ଚଳଚଞ୍ଚଳ ଦିନରେ ସହର ମଝିରେ ଆଇନଜୀବୀଙ୍କୁ ହତ୍ୟା କରିବା ପାଇଁ ଅପରାଧୀ ମାନେ ନିର୍ଭୟ ହେବାର ଦୁଃସାହସ କରିଲେ ବୋଲି କୁହାଯାଉଛି । ରାଜ୍ୟ ସରକାର ତୁରନ୍ତ ଆଇନଜୀବୀଙ୍କ ସୁରକ୍ଷା ବିଲ୍ ଅନୁମୋଦନ କରନ୍ତୁ ବୋଲି ମତପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ’ ଆଇନଜୀବୀ ପିତବାସ ପଣ୍ଡା ଦୁଇଜଣ ଆତତାୟୀଙ୍କ ଗୁଳିରେ ନିହତ ହୋଇଥିଲେ । ଦୁଇଜଣ ଯୁବକ ହେଲମେଟ ପିନ୍ଧି ବୈକୁଣ୍ଠନଗର ଛକରେ ଘରକୁ ଫେରୁଥିବା ବେଳେ ପୀତବାସଙ୍କୁ ଅଟକାଇ ଅତି ନିକଟରୁ ଗୁଳି କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ସ୍ୱର୍ଗତ ପଣ୍ଡା ସର୍ବାଧିକ ଭୋଟ ପାଇ ଗତ ନିର୍ବାଚନରେ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ନିର୍ବାଚିତ ହୋଇଥିଲେ । ଏହି ଘଟଣା ସହରର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପଦାରେ ପକାଇବା ସହ ଅପରାଧୀମାନେ ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି । ବ୍ରହ୍ମପୁର ଏସ୍ପି ଡକ୍ଟର ଶ୍ରବଣା ବିବେକ ଏମ୍ଙ୍କ ଅନୁପସ୍ଥିତିରେ ଗଞ୍ଜାମ ଏସ୍ପି ଶୁଭେନ୍ଦୁ ପାତ୍ର ଓ ଦକ୍ଷିଣାଞ୍ଚଳ ପୁଲିସ ଆଇଜି ନୀତି ଶେଖର ଘଟଣା ସ୍ଥଳରେ ଉପସ୍ଥିତ ରହି ସାଇଣ୍ଟିଫିକ ଓ ସନ୍ଧନୀ ଟିମର ସହାୟତାରେ ତଦନ୍ତ କରିଛନ୍ତି । ସେପଟେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅନୁରୋଧରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମୃତ ଆଇନଜୀବୀ ପିତବାସ ପଣ୍ଡାଙ୍କ ଶବକୁ ବିଳମ୍ବିତ ରାତିରେ ବ୍ୟବଚ୍ଛେଦ କରାଯାଇଛି । ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ଓ ବିଜେପିର ବହୁ ନେତୃବୃନ୍ଦଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ରହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ସମସ୍ତେ ସହରର ବିପର୍ଯ୍ୟର୍ୟ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ଦାୟୀ କରିଛନ୍ତି ।