
ଲୋଇସିଂହା, (ବିମଳେନ୍ଦୁ ସାହୁ) : ୪୮୮ ଓ ୬୬୨ ବର୍ଗ କଲେଜରେ ଯୋଗ୍ୟ କର୍ମଚାରୀଙ୍କୁ ବ୍ଲକଗ୍ରାଣ୍ଟ ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି କରି ଯୋଗ୍ୟ କର୍ମଚାରୀଙ୍କ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗରୁ ଚିଠି ପାଇବା ପରେ ୪୮୮ ବର୍ଗ ଅନ୍ତର୍ଭୁକ୍ତ ଲୋଇସିଂହା କଲେଜ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ ନିଜସ୍ଵ ତ୍ୱାବଧାନରେ ବରିଷ୍ଠ ପ୍ରାଧ୍ୟାପକମାନଙ୍କୁ ନେଇ ଏକ ତଦାରଖ କମିଟି ଗଠନ କରିଥିଲେ । କଲେଜର ସମସ୍ତ କର୍ମଚାରୀଙ୍କ ଦସ୍ତାବିଜ୍ ଯାଞ୍ଚ କରାଯିବା ପରେ ଦୁଇଜଣ କର୍ମଚାରୀଙ୍କ ସର୍ଭିସ୍ ରେକର୍ଡ, ଯୋଗ୍ୟତା ତଥା ନିଯୁକ୍ତି ପ୍ରମାଣପତ୍ରରେ ତାଳମେଳ ନ ଥିବା ଅଧ୍ୟକ୍ଷ ତଥା ତଦାରଖ କମିଟି ହୃଦବୋଧ କରିଥିଲେ । ଏ ନେଇ ଅଧ୍ୟକ୍ଷ ଶ୍ରୀ ସାହୁ ଉଚ୍ଚଶିକ୍ଷା ବିଭାଗକୁ ଗତ ତା :୦୩/୦୫/୨୦୨୫ରେ ସୂଚିତ କରିଥିଲେ । ଲୋଇସିଂହା କଲେଜ ଅଧ୍ୟକ୍ଷଙ୍କ ଠାରୁ ରିପୋର୍ଟ ପାଇବା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତତ୍ପରତା ପ୍ରକାଶ ପୂର୍ବକ ସଂପୃକ୍ତ ଦୁଇଜଣ କର୍ମଚାରୀଙ୍କ ବେଆଇନ ନିଯୁକ୍ତି ବାବଦରେ ଅଧିକ ତଦନ୍ତ କରିବାକୁ କଲେଜ ଅଧ୍ୟକ୍ଷଙ୍କୁ ପୁଣିଥରେ ଚିଠି କରିଥିବା ଜଣାଯାଇଛି । ଉଚ୍ଚଶିକ୍ଷା ବିଭାଗ ସହ ନିର୍ଦ୍ଦେଶକ ମମତା ପଣ୍ଡାଙ୍କ ଚିଠି ନଂ -୨୫୫୬୯ ତା:୨୦/୦୫/୨୦୨୫ ମୁତାବକ, ସଂପୃକ୍ତ ଦୁଇଜଣ କର୍ମଚାରୀଙ୍କ ଚାକିରୀ ସମ୍ବନ୍ଧୀୟ ପ୍ରାୟ ୮ ଗୋଟି ଦସ୍ତାବିଜ୍ ଦାଖଲ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । ତଥ୍ୟ ମୁତାବକ, ଲୋଇସିଂହା କଲେଜରେ କାର୍ଯ୍ୟରତ ୭୦ ଜଣ କର୍ମଚାରୀଙ୍କ ମଧ୍ୟରୁ ଅନୁଦାନପ୍ରାପ୍ତ ୨୭ ଜଣ ଏବଂ ମେନେଜମେଣ୍ଟରୁ ଦରମା ପାଉଥିବା ୪୩ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ତନ୍ମଧ୍ୟରୁ ଡ ଶିବପ୍ରସାଦ ତ୍ରିପାଠୀ ଲୋଇସିଂହା କଲେଜରେ ତା:୧୯/୧୦/୧୯୮୪ ରେ କନିଷ୍ଠ ଗ୍ରନ୍ଥାଗାରିକ ଭାବେ ଯୋଗ ଦେଇଥିଲେ । ତେବେ ତାଙ୍କର ନିଯୁକ୍ତି ପ୍ରଦାନ ସମ୍ବନ୍ଧୀୟ କୌଣସି ଦସ୍ତାବିଜ୍ କଲେଜରେ ନ ଥିବା ଜଣାଯାଇଛି । ଶ୍ରୀ ତ୍ରିପାଠୀଙ୍କ ସର୍ଭିସ୍ ବହି ମୁତାବକ, ସେ ତା:୨୦/୧୨/୧୯୮୪ ରେ କଲେଜରେ ନିଯୁକ୍ତି ପାଇଥିଲେ । ଯଦି ସେ ତା:୨୦/୧୨/୧୯୮୪ରେ ନିଯୁକ୍ତି ପାଇଲେ, କିଭଳି ସେ ତାର ଦୁଇମାସ ପୂର୍ବରୁ ଅର୍ଥାତ୍ ତା:୧୯/୧୦/୧୯୮୪ ରେ ଚାକିରୀରେ ଯୋଗଦାନ କଲେ, ତାହା ତଦନ୍ତ ସାପେକ୍ଷ । ଏପରିକି ଚାକିରୀରେ ଯୋଗଦାନର ତିନିମାସ ପରେ ଅର୍ଥାତ୍ ତା:୨୪/୦୧/୧୯୮୫ ରେ ସେ ଇଣ୍ଟରମିଡିଏଟ (ଆଜିର ଯୁକ୍ତ ୨) ପାସ କରିଥିବା ଜଣାଯାଇଛି । ସେହିପରି ଲୋଇସିଂହା କଲେଜର ଆଉ ଜଣେ ବରିଷ୍ଠ ପ୍ରାଧ୍ୟାପକ ମଧ୍ୟ ନକଲି ବିବାଦରେ ଛନ୍ଦି ହୋଇଥିବା ଖବର ମିଳିଛି । ଏ ନେଇ କଲେଜର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଉଚ୍ଚଶିକ୍ଷା ବିଭାଗରୁ ଚିଠି ମିଳିବା ସହିତ ତଦନ୍ତ ଜାରି ରହିଥିବା ପ୍ରକାଶ କରିଥିଲେ । ଜାଲ ଦସ୍ତାବିଜ ତଥା ଯୋଗ୍ୟତା ନ ଥାଇ ଚାକିରୀ କରୁଥିବା ଜଣା ପଡ଼ିଲେ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯାଇ ବିଭାଗୀୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯିବା ପରେ ଏଭଳି କର୍ମଚାରୀଙ୍କ ମଧ୍ୟରେ ଭାଳେଣୀ ପଡ଼ି ଯାଇଥିବା ଦେଖିବାକୁ ମିଳିଛି ।