ବେପରୁଆ ଡ୍ରାଇଭିଂ ପାଇଁ ଜଣେ ମୃତ, ୨ ଗୁରୁତର

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ନୁନହାଡ଼ ଗ୍ରାମରେ ଗୋଟିଏ ପରିବାରର ୩ ଭଉଣୀ ଭୁଲେଶ୍ୱରୀ ମାଝୀ (୨୦), ଯେମନ୍ତୀ ମାଝୀ (୧୭), ପ୍ରତିମା ଧରୁଆ(୧୭) ଘର ସାମ୍ନାରେ ଠିଆ ହୋଇଥିବା ବେଳେ ଗୋଟିଏ ୱାଗନର କାର ଧକ୍କା ଦେବା ଫଳରେ ଭୁଲେଶ୍ୱରୀ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟା ୬ ଟା ସମୟରେ ନୁନହାଡ଼ ବସଷ୍ଟାଣ୍ଡ ସ୍ଥିତ ନିଜ ଘର ସମ୍ମୁଖରେ ଭୁଲେଶ୍ୱରୀ, ଯେମନ୍ତୀ ଓ ପ୍ରତିମା ୩ ଜଣ ଠିଆ ହୋଇ କଥାବାର୍ତ୍ତା ହେଉଥିଲେ । ସେହି ସମୟରେ ନୁନହାଡ଼ ସ୍ଥିତ ସନସାଇନ ଢ଼ାବା ମାଲିକ ସୁଶୀଲ ସାହୁ ନୁଆଁ କିଣିଥିବା କାରରେ ଘରକୁ ଫେରୁଥିଲେ ହେଲେ ଯୁବତୀମାନେ ଠିଆ ହୋଇଥିବା ସ୍ଥାନରେ ହଠାତ୍‌ କାର ଟିକୁ ୩ ଜଣ ଯୁବତୀଙ୍କ ଉପରେ ଚଢାଇ ଦେଇଥିଲେ । ଫଳରେ ୩ ଜଣ ଯୁବତୀ କାର ତଳେ ଚାପିହୋଇ ରହିଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ଘଟଣାସ୍ଥଳକୁ ପହଞ୍ଚି ଯୁବତୀମାନଙ୍କୁ କାର ତଳୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲପଡା ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ହେଲେ ଭୁଲେଶ୍ୱରୀ ମାଝୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଯେମନ୍ତୀ ଓ ପ୍ରତିମା ଦୁହିଁଙ୍କ ହାତ ଏବଂ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି । ଅନ୍ୟପଟେ ଢ଼ାବା ମାଲିକ ସୁଶୀଲ ବେପରୁଆ ଭାବରେ ଗାଡି ଚଳାଇ ଦୁର୍ଘଟଣା ଘଟାଇଥିବା ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ମୃତକ ଏବଂ ଗୁରୁତର ଥିବା ପରିବାରଙ୍କୁ କ୍ଷତିପୂରଣ ଦାବିରେ ରୋଡ଼ ଉପରେ ଟାୟାର ଜାଳି ସ୍ଥାନୀୟଲୋକେ ରାସ୍ତାରୋକ କରିଥିବା ଜଣାପଡିଛି । ଘଟଣାର ଖବର ପାଇ ପାଟଣାଗଡ଼ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ଲୋକଙ୍କୁ ବୁଝାସୁଝା କରିଛନ୍ତି । ଏନେଇ ବେଲପଡା ଥାନା କେସ୍‌ ନଂ ୨୫୬/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଡ୍ରାଇଭର ସୁଶୀଲ ସାହୁକୁ ପୋଲିସ ଗିରଫ କରିଛି ବୋଲି ବେଲପଡା ଥାନାଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.